ଦ୍ୱିତୀୟଥର ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ପ

0 68

ରାଷ୍ଟ୍ରପତି ପଦରୁ ହୋଇପାରନ୍ତି ବିଦା

ୱାଶିଂଟନ, ୧୪ ।୧: ଆମେରିକା ରାଜନୀତିରେ ନୂଆ ଇତିହାସ ସୃଷ୍ଟି ହୋଇଛି । ପ୍ରଥମଥର ପାଇଁ ଜଣେ ରାଷ୍ଟ୍ରପତିଙ୍କୁ ୨ ଥର ପ୍ରତିନିଧି ସଭାର ସଦସ୍ୟମାନେ ଭୋଟିଂ ମାଧ୍ୟମରେ ଅଯୋଗ୍ୟ ଘୋଷଣା କରିଛନ୍ତି । ଅର୍ଥାତ ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ନିମ୍ନ ସଦନ ବା ଆମେରିକା ପ୍ରତିନିଧି ସଭାରେ ପାରିତ ହୋଇଛି । ନିର୍ବାଚନରେ ପରାଜୟ ସତ୍ତେ୍୍ୱ ଏହାକୁ ସ୍ୱୀକାର ନ କରିବା ଓ ସମର୍ଥକମାନଙ୍କ ଦ୍ୱାରା ଆମେରିକାର କ୍ୟାପିଟୋଲ ବିଲଡିଂରେ ହିଂସାକାଣ୍ଡ ଘଟାଇବାକୁ ଉସକାଇବା ଭଳି ଘଟଣା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକୀୟ ସଂସଦର ନିମ୍ନ ସଦନ ଅଯୋଗ୍ୟ ଘୋଷଣା କରିଛି । ଆସନ୍ତା ସପ୍ତାହରେ ତାଙ୍କ କାର୍ଯ୍ୟକାଳ ପୂରିବାର ଥିଲା । ହେଲେ ଏହା ପୂର୍ବରୁ ହିଁ ରାଷ୍ଟ୍ରପତି ପଦରୁ ଟ୍ରମ୍ପ ବିଦା ହେବାର ଆଶଙ୍କା ପ୍ରକାଶ ପାଇଛି । ଟ୍ରମ୍ପଙ୍କ ବିରୋଧରେ ଆସିଥିବା ପ୍ରଥମ ମହାଭିଯୋଗ ପ୍ରସ୍ତାବକୁ କୌଣସି ରିପବ୍ଲିକାନ ପାର୍ଟିର ସଦସ୍ୟ ସମର୍ଥନ କରି ନଥିଲେ । ତେବେ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୧୦ ଜଣ ରିପବ୍ଲିକାନ ପାର୍ଟିର ସଦସ୍ୟ ଭୋଟ ଦେଇଛନ୍ତି । ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ହୋଇଥିଲେ ହେଁ ଏହାର ୧୦ ଜଣ ସଦସ୍ୟ ତାଙ୍କ ବିରୋଧରେ ଭୋଟ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଟ୍ରମ୍ପଙ୍କ ସପକ୍ଷରେ ୧୯୭ ଭୋଟ ପଡ଼ିଥିବା ବେଳେ ତାଙ୍କ ବିରୋଧରେ ୨୩୨ ଖଣ୍ଡ ଭୋଟ ପଡ଼ିଛି । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ୨୨୨ ଜଣ ସଦସ୍ୟ ଭୋଟିଂ କରିଛନ୍ତି । ପ୍ରସ୍ତାବ ପାରିତ କରିବା ପାଇଁ ୨୧୮ ଖଣ୍ଡ ଭୋଟର ଆବଶ୍ୟକ ଥିବା ବେଳେ ଟ୍ରମ୍ପଙ୍କ ବିରୋଧରେ ୨୩୨ ଖଣ୍ଡ ଭୋଟ ପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ୍ୟ ପ୍ରତିନିଧି ସଭାରେ ପାସ୍ ହୋଇଛି । ତେଣୁ ଆମେରିକା ସିନେଟ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଯଦି ସିନେଟ ପ୍ରସ୍ତାବ ଉପରେ ମୋହର ମାରିବ, ତା’ହେଲେ ଟ୍ରମ୍ପଙ୍କୁ କାର୍ଯ୍ୟକାଳ ପୂରଣ ହେବା ଆଗରୁ ରାଷ୍ଟ୍ରପତି ପଦ ଛାଡ଼ିବାକୁ ପଡ଼ିବ । ଆମେରିକା ସିନେଟ୍ରେ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ୫୧ ଜଣ ସଦସ୍ୟ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ୫୦ ଜଣ ସଦସ୍ୟ ରହିଛନ୍ତି । ତେଣୁ ଏଠାରେ ମହାଭିଯୋଗ ପ୍ରସ୍ତାବ ପାରିତା ହେବା, ଏତେଟା ସହଜ ହେବନାହିଁ । କିନ୍ତୁ ଏକାଧିକ ରିପବ୍ଲିକାନ ପାର୍ଟିର ସଦସ୍ୟ ଟ୍ରମ୍ପଙ୍କ ବିରୋଧରେ ଥିବାରୁ ପୂରା ଘଟଣା କେଉଁ ମୋଡ଼ ନେଉଛି, ତା’ ଉପରେ ସମସ୍ତଙ୍କ ନଜର । ୨୦୧୯ରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା । କିନ୍ତୁ ଆମେରିକା ସିନେଟ ଏହାକୁ ୫୨-୪୮ ଭୋଟ ବ୍ୟବଧାନରେ ଖାରଜ କରିଦେଇଥିଲା । ମହାଭିଯୋଗ ପ୍ରସ୍ତାବ ଆସିଥିଲେ ହେଁ ଟ୍ରମ୍ପ ୨୦୨୦ ନିର୍ବାଚନ ଲଢ଼ିଥିଲେ । ଏପରି ଘଟଣା ଘଟିବାରେ ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି ।

Leave A Reply

Your email address will not be published.