ଗୁରୁଦାୟିତ୍ୱ

0 63

ଦିଲ୍ଲୀ ସୀମାରେ ଅହୋରାତ୍ର ଆନ୍ଦୋଳନରେ ବସିଥିବା ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର ଚାଷୀମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଯଦିଓ ସୁପ୍ରିମ୍କୋର୍ଟ ସରକାର ଆଣିଥିବା ଏହି କୃଷି ଆଇନ୍ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି ତଥାପି ଚାଷୀମାନେ ଧାରଣାସ୍ଥଳରୁ ଉଠୁନାହାନ୍ତି । ସେମାନଙ୍କ କହିବାନୁଯାୟୀ ଯେ ପର୍ଯ୍ୟନ୍ତ ସରକାର ଆଣିଥିବା ନୂଆ କୃଷି ଆଇନ୍କୁ ନଫେରାଇଛନ୍ତି ସେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ । ମୋଦି ସରକାର କୃଷି ଉତ୍ପାଦନର ବିକ୍ରି, ମୂଲ୍ୟଧାର୍ଯ୍ୟ ଓ ଶସ୍ୟଭଣ୍ଡାରକୁ ନେଇ ୩ଟି ଆଇନ୍ ପ୍ରଣୟନ କରିଥିଲେ । କିନ୍ତୁ ଏହାପରେ ଏହାକୁ ନେଇ ସାରା ଦେଶରେ କୃଷି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା । ଆଗକୁ ଏହି ଆନ୍ଦୋଳନ କି ରୂପ ନେବ ତାହା ଏବେଠୁ କହିବା ମୁସ୍କିଲ୍ । କିିନ୍ତୁ ପ୍ରଶ୍ନ ଉଠୁଛି ସରକାର ଏହି ଆଇନ୍ ଆଣିବା ପୂର୍ବରୁ ଚାଷୀଙ୍କ ମୁଡ୍ କିଭଳି ରହିବ ତାହା କିପରି ବୁଝିବାକୁ ଅସମର୍ଥ ହେଲେ । କ’ଣ ଏଥିପାଇଁ ମୋଦି ସରକାରଙ୍କ ସହଯୋଗୀ ଦଳ ଥିବା ଅକାଳୀ ଦଳକୁ ଦାୟୀ କରାଯାଇପାରିବ? କାରଣ କୃଷିବିଲ୍ ପ୍ରଣୟନ ହେବା ସମୟରେ ଅକାଳୀ ଦଳ ଏହାକୁ ସମର୍ଥନ କରୁଥିଲା । କିନ୍ତୁ ପର ମୁହୂର୍ତ୍ତରେ ହଠାତ୍ ସେଥିରୁ ଓହରିଯିବାର କାରଣ କ’ଣ ଥାଇପାରେ ତାହା ବୁଝାପଡ଼ୁନି । ସାଧାରଣତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସ୍ପଷ୍ଟବାଦୀ ନେତା ଭାବେ ପରିଚିତ । ସେ କେବେବି ନିଜ ସମାଲୋଚକଙ୍କୁ ପରବାଏ କରନ୍ତି ନାହିଁ । ତେବେ ପ୍ରଧାନମନ୍ତ୍ରୀଙ୍କ ଭୁଲ୍ କେଉଁଠି ରହିଲା ଯାହାକି ସାରା ଦୁନିଆରେ ଏବେ ଭାରତର ଚାଷୀ ଆନ୍ଦୋଳନକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟାଳୟରେ ଯେତେସବୁ ବଡ଼ ବଡ଼ ଆନ୍ଦୋଳନ ହୋଇଛି ତାହାକୁ ସେ ଖାତିର୍ କରିନାହାନ୍ତି । ୨୦୧୫ ମସିହାରେ ଗୁଜୁରାଟର ପ୍ରଭାବଶାଳୀ ପଟେଲ ସମୁଦାୟ ସଂରକ୍ଷଣକୁ ନେଇ ବଡ଼ ଧରଣର ପ୍ରଦର୍ଶନ କରିଥିଲେ ବି ଶେଷ ସମୟରେ ତାହା ପ୍ରଭାବହୀନ ହୋଇଯାଇଥିଲା । ସେହିପରି ଗତବର୍ଷ ଦିଲ୍ଲୀରେ ମୁସ୍ଲିମ୍ ମହିଳାମାନେ ସିଏଏ ବିରୋଧରେ ଦୀର୍ଘଦିନ ହେବ ବିରୋଧ ପ୍ରଦର୍ଶନ କରିଥିଲେ ବି କରୋନା ମହାମାରୀ ସେମାନଙ୍କ ଆନ୍ଦୋଳନକୁ ସଂପୂର୍ଣ୍ଣ ରୋକିଦେଇଥିଲା । କିନ୍ତୁ ଏସବୁ ଆନ୍ଦୋଳନ ବର୍ତ୍ତମାନର କୃଷି ଆନ୍ଦୋଳନ ଭଳି ସେତେଟା ପ୍ରଭାବଶାଳୀ ଥିବା ମନେ ହୁଏନାହିଁ । ୧୯୪୭ ଦେଶ ସ୍ୱାଧୀନ ହେବା ପରେ କୃଷକମାନେ ନିଜ ଫସଲର ମୂଲ୍ୟଧାର୍ଯ୍ୟକୁ ନେଇ ବହୁ ସମୟରେ ଆନ୍ଦୋଳନ କରିଥିବା ଇତିହାସ ସାକ୍ଷୀ ରହିଛି । ଏହି ଆନ୍ଦୋଳନ ଜରିଆରେ କୃଷକମାନେ ଋଣ, କୃଷିକ୍ଷେତ୍ରର ସଂକଟ ଓ ଅନ୍ୟାନ୍ୟ ଅସୁବିଧାକୁ ସରକାରଙ୍କୁ ଦୃଷ୍ଟିକୁ ଆଣିଛନ୍ତି । କିନ୍ତୁ ଯେତେସବୁ ଆନ୍ଦୋଳନ ହୋଇଛି ବର୍ତ୍ତମାନର ଆନ୍ଦୋଳନ ଭଳି ହୋଇନାହିଁ । ଏବେ ଯେଉଁ ଆନ୍ଦୋଳନ ଚାଲିଛି ସେଥିରେ ୪୦ଟି କିଷାନ୍ ୟୁନିୟନ୍ ଓ ପ୍ରଦର୍ଶନସ୍ଥଳୀରେ ୫ଲକ୍ଷରୁ ଅଧିକ କୃଷକ ସାମିଲ ଅଛନ୍ତି । କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ କୃଷକମାନେ ଏହି ଆନ୍ଦୋଳନ ମାଧ୍ୟମରେ ଦେଶରେ ଏକ ନୂଆ କ୍ରାନ୍ତି ଆରମ୍ଭ କରିବାକୁ ଚାହାନ୍ତି । ସେମାନେ ଏହି ଆନ୍ଦୋଳନ ଜରିଆରେ ସାରା ଭାରତବାସୀଙ୍କୁ ପ୍ରମାଣ କରିଦେବାକୁ ଚାହାନ୍ତି କି ନିଜର ହକ୍ ପାଇଁ କେବେବି ଚୁପ୍ ବସନାହିଁ । ଦୃଢ଼ତାର ସହ ଆଗେଇ ଆସି ନିଜ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖ । କାରଣ ଯେଉଁ ଲୋକଙ୍କ ବଳରେ ଆଜି ଦେଶରେ ଲୋକତନ୍ତ୍ରର ଶାସନ ଚାଲିଛି ସେହି ଲୋକମାନେ ଯଦି ନିଜର ହକ୍ ପାଇଁ ଦାବି କରିବେ ତେବେ କ୍ଷମତାସୀନ ସରକାର ନିଶ୍ଚିତ ସେମାନଙ୍କ ଦାବି ଶୁଣିବ । କିନ୍ତୁ ଏହାରି ମଧ୍ୟରେ ସୋସିଆଲ୍ ମିଡିଆରେ ପ୍ରଚାର କରାଯାଉଛି କି ଏହି କୃଷକ ଆନ୍ଦୋଳନକୁ ବଳ ଦେବା ପାଇଁ କିଛି ବିରୋଧୀ ନିଜର ଚକ୍ରାନ୍ତ ଚଳାଇଛନ୍ତି । ଏପରିକି ଆନ୍ଦୋଳନକାରୀଙ୍କ ମଧ୍ୟରୁ କିଛି ଏଭଳି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ କି କେବେ ଶସ୍ୟକ୍ଷେତକୁ ଯାଆନ୍ତି ନାହିଁ । ସେମାନଙ୍କ ସନ୍ତାନମାନେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି । ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ମୋଦି ସରକାରଙ୍କୁ ବ୍ୟାକ୍ଫୁଟ୍କୁ ଆଣିବା ପାଇଁ ସେମାନେ ନିଜକୁ କୃଷକ ବୋଲାଇ ଏଥିରେ ସାମିଲ ହୋଇଛନ୍ତି । ସେ ଯାହାହେଉନା କାହିଁକି ବର୍ତ୍ତମାନ ଯେଉଁ କୃଷକ ଆନ୍ଦୋଳନ ଚାଲିଛି ତାହାକୁ କିପରି ସମଧାନ କରାଯିବ ତାହା ସରକାରଙ୍କ ପାଇଁ ଗୁରୁଦାୟିତ୍ୱ ନିଶ୍ଚିତ ।

Leave A Reply

Your email address will not be published.