ଆରମ୍ଭ ହେଲା ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ

0 62

୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ, ଖର୍ଚ୍ଚ ହେବ ୯୭୧ କୋଟି ଟଙ୍କା

ନୂଆଦିଲ୍ଲୀ,୧୫ ।୧: ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ବିଧିବଦ୍ଧଭାବେ ଏହାର ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନିର୍ମାଣ କାର୍ଯ୍ୟ ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ଡେଭଲପମେଣ୍ଟ ପ୍ଲାନ୍ ଅନୁଯାୟୀ ହେଉଛି । ନୂଆ ସଂସଦ ଭବନର ଆକୃତି ତ୍ରିଭୁଜ ଆକୃତିର ହେବ ଏବଂ ଏହାକୁ ଦେଶର ୭୫ତମ ସ୍ୱାଧିନତା ଦିବସ ପୂର୍ବରୁ ଅର୍ଥାତ ୨୦୨୨ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୨୨ରେ ହେବାକୁ ଥିବା ମୌସୁମୀ ଅଧିବେଶନ ନୂଆ ସଂସଦ ଭବନରେ ହେବାକୁ ଯୋଜନା କରାଯାଉଛି । ଟାଟା ପ୍ରୋଜେକ୍ଟ ଲିଃ. ଦ୍ୱାରା ହେବାକୁ ଥିବା ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧ କୋଟି ଟଙ୍କା । ଏ ନେଇ ଟାଟା ପକ୍ଷରୁ କୁହାଯାଇଛି ଯେ, ନୂତନ ଭବନ ନିର୍ମାଣ କାର୍ଯ୍ୟ ୩୫ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ହିଁ କାର୍ଯ୍ୟ ଶେଷ ହେବ । ଟାଟାର ବ୍ୟବସାୟିକ ୟୁନିଟ୍ର ଉପ-ସଭାପତି ସନ୍ଦୀପ ନଭଲାଖେ କହିଛନ୍ତି, ନୂତନ ଭବନ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଉଚ୍ଚ ଦକ୍ଷତା ସମ୍ପନ୍ନ କାରିଗର ଏବଂ ଆବଶ୍ୟକୀୟ ସରଞ୍ଜାମ କାମରେ ଲାଗିଛନ୍ତି । ୯୪ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ପୁରୁଣା ସଂସଦ ଭବନ ପାଇଁ ସେତେବେଳେ ଖର୍ଚ୍ଚ ହୋଇଥିଲା ୮୩ ଳକ୍ଷ୍ୟ ଟଙ୍କା । ତେବେ ନୂଆ ସଂସଦ ଭବନ ନିର୍ମାଣ ହେବା ପରେ ପୁରୁଣା ଭବନକୁ ମ୍ୟୁଜିୟମରେ ପରିଣତ କରାଯିବ । ନୂଆ ସଂସଦ ଭବନରେ ଲୋକସଭା ଆସନ ସଂଖ୍ୟା ରହିବ ୮୮୮ ଏବଂ ରାଜ୍ୟସଭା ଆସନ ୩୮୪ ରହିବ । ତେବେ ଉଭୟ ଗୃହର ମିଳିତ ଅଧିବେଶନକୁ ଆଖିଆଗରେ ରଖି ମୋଟ ସିଟ୍ ସଂଖ୍ୟା ୧୨୭୨କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.