ବିଜେପି କରୋନା ଭାଇରସଠୁ ବି ଆହୁରି ଭୟଙ୍କର

0 73

କୋଲକାତା,୧୫ ।୧: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବସିରହାଟ ସାଂସଦ ନୁସରତ ଜହାଁଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଟିଏମସି ସାଂସଦ ନୁସରତ ଜହାଁ ବିଜେପିକୁ କରୋନା ଭାଇରସରୁ ବି ଭୟଙ୍କର ବୋଲି କହିଛନ୍ତି । ସେ କହିଛନ୍ତି, ବିଜେପି ହିନ୍ଦୁ-ମୁସଲମାନ ମଧ୍ୟରେ ଦଙ୍ଗା କରାଉଛି । ଯଦି ବିଜେପି କ୍ଷମତାକୁ ଆସେ ତାହେଲେ ମୁସଲମାନମାନଙ୍କ ଓଲଟା ଗଣତି ଆରମ୍ଭ ହୋଇଯିବ । ନୁସରତ ଜହାଁ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ମୁସଲିମ ବହୁଳ ଅଞ୍ଚଳ ଦେଗଙ୍ଗାରେ ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ନେଇ ଏହିଭଳି ବିବାଦୀୟ ବୟାନ ଦେଇଛନ୍ତି । ନୁସରତ କହିଛନ୍ତି, ଆପଣମାନେ ଆଖି ଖୋଲା ରଖିଥାନ୍ତୁ, ବିଜେପି ଭଳି ଭୟଙ୍କର ଭାଇରସ ବୁଲୁଛି । ଏହି ଭାଇରସ ଦଳ ଦଳ ମଧ୍ୟରେ ଓ ଧର୍ମ ମଧ୍ୟରେ ଭେଦଭାବ ଓ ମଣିଷ-ମଣିଷ ମଧ୍ୟରେ ଦଙ୍ଗା କରାଉଛି । ନୁସରତ ଜହାଁଙ୍କ ଏହି ବୟାନ ପରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲାବୀୟ ଟିଏମସି ଉପରେ ମୁସଲିମ ତ୍ରୁଷ୍ଟିକରଣ ଆରୋପ ଲଗାଇଛନ୍ତି । ଅମିତ ମାଲାବୀୟ ଟ୍ୱିଟ କରି କହିଛନ୍ତି ପଶ୍ଚିମବଙ୍ଗରେ ଭ୍ୟାକସିନକୁ ନେଇ ସବୁଠାରୁ ଖରାପ ରାଜନୀତି ହେଉଛି । ଏହା ପୂର୍ବରୁ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ସିଦ୍ଧିକୁଲା ଚୌଧୁରୀ ଭ୍ୟାକସିନ ଟ୍ରକକୁ ଅଟକାଇ ଦେଇଥିଲେ । ଏବେ ପୁଣି ଟିଏମସି ସାଂସଦ ନିର୍ବାଚନ ପ୍ରଚାରରେ କରୋନା ଭାଇରସର ତୁଳନା ବିଜେପି ସହ କରୁଛନ୍ତି । କିନ୍ତୁ ପିସି ଚୁପ ଅଛନ୍ତି, କାହିଁକି ? ତ୍ରୁଷ୍ଟିକରଣ ? ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି । ସବୁ ଦଳ ଜୋରସୋରରେ ପ୍ରଚାର ଅଭିଯାନରେ ଲାଗିଛନ୍ତି । ଏପରିକି ବିଭିନ୍ନ ଦଳ ପରସ୍ପର ପ୍ରତି ଆରୋପ-ପ୍ରତ୍ୟାରୋପ ମଧ୍ୟ ଲାଗି ରହିଛି ।

Leave A Reply

Your email address will not be published.