ନିଜ କାର୍ଯ୍ୟକାଳକୁ “ଅସାଧାରଣ ବିଶେଷାଧିକାର’ କହିଲେ ଟ୍ରମ୍ପ

0 71

ୱାଶିଂଟନ୍, ୨୦ ।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ କାର୍ଯ୍ୟାଳୟର ଶେଷଦିନରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଶୁଭକାମନା ଜଣାଇଛନ୍ତି । ହେଲେ ଟ୍ରମ୍ପ ନିଜର ବିଦାୟ ଭାଷଣରେ ବାଇଡେନଙ୍କୁ ବ୍ୟକ୍ତିଭାବେ ପ୍ରଶଂସା କରିବାରେ ସାମାନ୍ୟ କଞ୍ଜୁସି ଦେଖାଇଛନ୍ତି । ପାଖାପାଖି ୨୦ ମିନିଟର ଏକ ପ୍ରିରେକର୍ଡିଂ ବାର୍ତ୍ତା ଦ୍ୱାରା ଟ୍ରମ୍ପ ନିଜ ସମୟର ରାଷ୍ଟ୍ରପତି କାର୍ଯ୍ୟକାଳକୁ “ଅସାଧାରଣ ବିଶେଷାଧିକାର’ କହିଛନ୍ତି । ନୂଆ ସରକାରକୁ ଶୁଭକାମନା ଦେଇ ଟ୍ରମ୍ପ କହିଛନ୍ତି, ଏବେ ଆମକୁ ନୂଆ ସରକାର ମିଳିବାକୁ ଯାଉଛି । ଆମେ ବାଇଡେନ୍ ସରକାରଙ୍କର ସଫଳତା କାମନା କରୁଛୁ ଏବଂ ଆମେ ଚାହୁଁଛୁ ସେମାନେ ଆମେରିକାକୁ ସୁରକ୍ଷିତ ଓ ସମୃଦ୍ଧ ରଖନ୍ତୁ । ଏବେ ମୁଁ ନୂଆ ପ୍ରଶାସନକୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ମୁଁ ସମସ୍ତଙ୍କୁ କହିଦେବାକୁ ଚାହୁଁଛି ଯେ ଆମେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲୁ ତାହା ଜାରି ରହିବ । ଏହା କେବଳ ଆରମ୍ଭ ମାତ୍ର । କ୍ୟାପିଟାଲ୍ ହିଲରେ ନିଜ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସାକୁ ଟ୍ରମ୍ପ ନିନ୍ଦା କରିଛନ୍ତି । ଏ ନେଇ ଟ୍ରମ୍ପ କହିଛନ୍ତି “କ୍ୟାପିଟାଲ୍ ଆକ୍ରମଣକୁ ନେଇ ସବୁ ଆମେରିକୀୟ ଭୟଭୀତ ଥିଲେ । ରାଜନୀତିକ ହିଂସାକୁ କେବେବି ଗ୍ରହଣ କରାଯାଇପାରିବ ନାହିଁ । ଟ୍ରମ୍ପ ମଧ୍ୟ ନିଜ ସରକାରର ଉପଲବ୍ଧି ଉପରେ ଚର୍ଚ୍ଚା କରି କହିଛନ୍ତି, ଆମେ ଗର୍ବିତ ଯେ ଦଶନ୍ଧିରେ ଏଭଳି ଜଣେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ଯିଏ କେବେବି ଯୁଦ୍ଧର ଶୁଭାରମ୍ଭ କରିନାହାନ୍ତି । ସୂଚନାଯୋଗ୍ୟ ଜାନୁଆରୀ ୬ ତାରିଖରେ ହୋଇଥିବା ହିଂସା ପରେ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ରମ୍ପଙ୍କୁ ବ୍ୟାନ୍ କରିଥିଲା । ଏହାକୁ ନେଇ ମଧ୍ୟ ଖୁବ୍ ବିବାଦ ଦେଖାଦେଇଥିଲା ।

Leave A Reply

Your email address will not be published.