ସଚେତନ ହେବାର ସମୟ

0 67

ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଛି ରାଜଧାନୀ । ପ୍ରତ୍ୟେକ ଦିନ ରାଜଧାନୀରେ କେଉଁଠି ନା କେଉଁଠି ହତ୍ୟା, ଲୁଟ୍, ରାହାଜାନି, ଠକେଇ ଆଦି ସଂଘଠିତ ହୋଇଥିବା ଖବର ଶୁଣିବାକୁ ମିଳୁଛି । ଗତ କିଛିଦିନ ହେବ ରାଜଧାନୀ ଭୁବନେଶ୍ୱରରେ ସାଇବର ଠକେଇ ଉଗ୍ରରୂପ ଧାରଣ କରିଛି । ନିମିଷକେ ମଧ୍ୟରେ ସେମାନେ ବିଭିନ୍ନ ମୋବାଇଲ୍ ଆପ୍ ଜରିଆରେ ଗ୍ରାହକଙ୍କୁ ଠକୁଥିବାର ଖବର ଶୁଣିବାକୁ ମିଳୁଛି । ସେହିଭଳି ବିହାର, ୟୁପି, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବହୁ ଲୁଟେରା ଏବେ ଭୁବନେଶ୍ୱରକୁ ସେମାନଙ୍କର କର୍ମସ୍ଥଳୀ ଭାବେ ବାଛି ନେଇଛନ୍ତି । ଫେରିବାଲା ବେଶରେ ରାଜଧାନୀରେ ଗଳିକନ୍ଦିରେ ଘୂରି ବୁଲୁଥିବା ଏହି ଲୁଟେରା ଦଳ ସିନ୍ଧିଚୋରି, ଛିନ୍ତାଇ ଭଳି ଅପରାଧ କରୁଛନ୍ତି । ଉଠା ଦୋକାନୀ, ଫେରିବାଲା ଓ ଶ୍ରମିକ ବେଶରେ ଏମାନେ ବୁଲି ବୁଲି ଠିକଣା କରିବା ପରେ ସୁଯୋଗ ଉଣ୍ଡି ଲୁଟ୍ପାଟ କରୁଛନ୍ତି । ଲକ୍ଷ୍ମୀସାଗର ଥାନା ପୋଲିସ ହାତରେ ଝାଡ଼ଖଣ୍ଡର ୩ କୁଖ୍ୟାତ ଲୁଟେରା ଧରାପଡ଼ିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଗ୍ୟାଙ୍ଗର ମାତ୍ର ୩ଜଣ ଧରାପଡ଼ିଥିବା ବେଳେ ଆଉ ଅନେକ ସଦସ୍ୟ ଏବେ ବାହାରେ ବୁଲୁଛନ୍ତି । ଗତବର୍ଷ ରାଜଧାନୀରୁ ୩୦ରୁ ଊଦ୍ଧ୍ୱର୍ ଅଣଓଡ଼ିଆ ଲୁଟେରା ଗିରଫ ହୋଇଥିବାରୁ ରାଜଧାନୀ ଯେ କେତେ ଅସୁରକ୍ଷିତ ତାହା ଏବେ ପ୍ରମାଣିତ ହୋଇଯାଇଛି । କମିଶନରେଟ୍ ପୋଲିସ ଏହି ଅନ୍ତଃରାଜ୍ୟ ଲୁଟେରାମାନଙ୍କୁ ଚିହ୍ନଟ କରିପାରିନଥିବାରୁ ଏହି ଅପରାଧୀମାନେ ସହଜରେ ଗ୍ୟାଙ୍ଗ ଗଢ଼ି ଲୁଟ୍ପାଟ୍ ଜାରି ରଖିଛନ୍ତି । ଏମାନଙ୍କ ସମ୍ପର୍କରେ ପୋଲିସ ପାଖରେ କୌଣସି ସୂଚନା ନଥିବା କିମ୍ବା ଜୋର୍ଦାର ଯାଞ୍ଚ କରାଯାଉନଥିବାରୁ ଆଗକୁ ଯେ ରାଜଧାନୀବାସୀଙ୍କ ପାଇଁ ଏକ ବଡ଼ ବିପଦ ଆସୁଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ପୁରୁଣା ଭୁବନେଶ୍ୱର, ବଡ଼ଗଡ଼, ଲକ୍ଷ୍ମୀସାଗର, ବୋମିଖାଲ, ମଞ୍ଚେଶ୍ୱର, କଟକରୋଡ୍, କ୍ୟାପିଟାଲ ଥାନା ଅଞ୍ଚଳ, ଖଣ୍ଡଗିରି, ତମାଣ୍ଡୋ ଓ ଇନ୍ଫୋସିଟି ଅଞ୍ଚଳରେ ଘରଭଡ଼ା ନେଇ ରହୁଥିବା ସୂଚନା ମିଳିଛି । ରାସ୍ତାକଡ଼ରେ ବାଦାମ, ଚଣା, ଅଣ୍ଡା ବିକିବା ସହ ଆଉ କେତେକ ଶ୍ରମିକ ଓ ଫେରିବାଲା ସାଜିଛନ୍ତି । ଏପରିକି ଝାଡ଼ଖଣ୍ଡ ଓ ଛତିଶଗଡ଼ର କେତେକ ଛାତ୍ର ବନ୍ଧୁକ, ଗଞ୍ଜେଇ ଓ ବ୍ରାଉନ୍ସୁଗାର କାରବାରେ ଲିପ୍ତ ଥିବା ଜଣାପଡ଼ିଛି । କେତେକ ଅଣଓଡ଼ିଆ ଛାତ୍ର କମିଶନରେଟ୍ ପୋଲିସ ହାତରେ ଲାଗିବା ପରେ ଏହା ଜଣାଯାଇଛି । ତେବେ ପ୍ରଶ୍ନ ଉଠୁଛି ଏବେ କିଭଳି ଏମାନଙ୍କୁ ଠାବ କରାଯିବ? ବାହାର ରାଜ୍ୟରୁ କେତେ ଲୁଟେରା ଆସି ଆତ୍ମଗୋପନ କରିଛନ୍ତି ଏହି ଅଣଓଡ଼ିଆଙ୍କ ଡାଟାବେସ୍ ଶୀଘ୍ର ପ୍ରସ୍ତୁତ କରାଯାଇ ତୁରନ୍ତ ଏମାନଙ୍କୁ ଗିରଫ କରାଯାଉ ବୋଲି ରାଜଧାନୀବାସୀ ସ୍ୱର ଉତ୍ତୋଳନ କଲେଣି । ନଚେତ୍ ଯେ ଆଗକୁ ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯିବ ଏଥିରେ ଦ୍ୱିମତ ନାହିଁ । ଏହାକୁ ଲକ୍ଷ୍ୟ କରି କମିଶନରେଟ୍ ପୋଲିସ ଅପରାଧୀଙ୍କ ମୁକାବିଲା ପାଇଁ ଏକ ଯୋଜନା ଆରମ୍ଭ କରିଛି । ଏଣିକି ସବୁ ବସ୍ତିକୁ ଯାଇ ଘର ଘର ବୁଲି ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । କିଏ ରହୁଛି, କ’ଣ କରୁଛି, ପରିବାରରେ କେତେଜଣ ଓ ଘରର ମାଲିକ କିଏ ଏସବୁ ଟିକିନିକ୍ ତଥ୍ୟ ହାସଲ କରାଯିବ । ବସ୍ତିରେ ରହୁଥିବା ଅଧିକାଂଶ ଲୋକ ଦିନମଜୁରିଆ ହୋଇଥିବାରୁ ଏହି ଅପରାଧୀଙ୍କ ସମ୍ପର୍କରେ କୌଣସି ଟେର୍ ପାଉନାହାନ୍ତି । ଅବଶ୍ୟ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସ ଘନ ଘନ ବୈଠକ ବି କରୁଛି । ତେବେ ଏ କ୍ଷେତ୍ରରେ କେବଳ ପୋଲିସ ପ୍ରଶାସନ ନୁହେଁ ବରଂ ପ୍ରତିଟି ନାଗରିକ ସଚେତନ ହେବାର ସମୟ ଆସିଛି ।

Leave A Reply

Your email address will not be published.