ପଥର କ୍ୱାରୀରେ ବିସ୍ଫୋରଣ, ୮ ମୃତ

0 76

ବେଙ୍ଗାଲୁରୁ, ୨୨ ।୧: କର୍ଣ୍ଣାଟକାର ଶିବମୋଗ୍ଗା ଜିଲ୍ଲାର ହୁନାସୋଣ୍ଡି ନିକଟସ୍ଥ ଅବ୍ୱଲାଗେରେ ଗାଁରେ ଗତକାଲି ରାତିରେ ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଆଉ କିଛି ଲୋକ ମଧ୍ୟରେ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି । ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । କାରଣ ଏବେବି ଘଟଣାସ୍ଥଳକୁ ସଫା କରାଯାଇନାହିଁ । ଘଟଣାସ୍ଥଳରେ ଏବେବି କିଛି ଜୀବନ୍ତ ଡାଇନାମାଇଟ୍ ଷ୍ଟିକ୍ ପଡ଼ି ରହିଥିବା ପୁଲିସ୍ ଆଶଙ୍କା କରୁଛି । ତେଣୁ ଘଟଣାସ୍ଥଳକୁ ପୁଲିସ୍ ସିଲ୍ କରି ରଖିବା ସହିତ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଇଛି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଏହି ପଥର କ୍ୱାରୀକୁ ଏକ ଟ୍ରକ୍ରେ ଡାଇନାମାଇଟ୍ ଆସିଥିଲା । ଡାଇନାମାଇଟ୍ ଗୁଡ଼ିକୁ ଟ୍ରକ୍ରୁ ବାହାର କରାଯାଉଥିବା ବେଳେ ବିସ୍ପୋରଣ ଘଟିଥିଲା । ବିସ୍ଫୋରଣରେ ଟ୍ରକ୍ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଥିଲା । ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହା ନିକଟସ୍ଥ ଚିକ୍କାମାଗାଲୁରୁ ଜିଲ୍ଲା ପର୍ଯ୍ୟନ୍ତ ମଧ୍ୟ ଶୁଣା ଯାଇଥିଲା । କେହି କେହି ପ୍ରଚଣ୍ଡ ଶବ୍ଦ ଶୁଣି ଡରି ଯାଇଥିଲେ । ଆଉ କେହି କେହି ଭୂକମ୍ପ ହେଲା ବୋଲି ଭାବିଥିଲେ । ସେହିପରି ଏହି ପଥର କ୍ୱାରୀ ଥିବା ଗାଁର ଅନେକ ଲୋକଙ୍କ କାଚ ଝରକା ମଧ୍ୟ ଭାଙ୍ଗି ଯାଇଛି । ସେମାନେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ । ଅନେକ ଲୋକ ଘର କ୍ଷୟକ୍ଷତି ହେବାର ଫଟୋ ଟ୍ୱିଟ୍ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ, ଶିବମୋଗ୍ନା ହେଉଛି ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପାଙ୍କ ଜିଲ୍ଲା । ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି- ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏହି ବିସ୍ଫୋରଣରେ ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.