ଜୁନରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ନିଷ୍ପତ୍ତି

0 67

ନୂଆଦିଲ୍ଲୀ, ୨୨ ।୧: କଂଗ୍ରେସରେ ସୃଷ୍ଟି ହୋଇଥିବା ନେତତ୍ୱ ସଙ୍କଟ ଆଜି ସିଡବ୍ଲ୍ୟୁସି ବୈଠକରେ ବି ଦେଖିବାକୁ ମିଳିଛି । ନୂଆ କଂଗ୍ରେସ ଅଧ୍ୟକ୍ଷ ତୁରନ୍ତ କରିବାକୁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଦାବି କରିବାରୁ ଏହାକୁ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରିଛନ୍ତି । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି । ତେବେ ଯୁକ୍ତିତର୍କ ପରେ ସମସ୍ତେ ଏକାଠି କାମ କରିବାକୁ ରାଜି ହୋଇଛନ୍ତି । ସେହିପରି ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜୁନ୍ ମାସରେ ଦଳର ନୂଆ ଅଧ୍ୟକ୍ଷ ଚୟନ କରାଯିବ । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଜୁନ୍ ମାସରେ ଅଧ୍ୟକ୍ଷ ଚୟନ କରିବାକୁ ସମସ୍ତେ ରାଜି ହୋଇଥିବା ଜଣାପଡ଼ିଛି । ବୈଠକରେ କେସି ଭେନୁଗୋପାଳ କହିଛନ୍ତି, ଆଜି ଦଳର ସିବଡ୍ଲ୍ୟୁସି ବୈଠକ ବସିଥିଲା । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଶେଷରେ ୨୦୨୧ ଜୁନ୍ ମାସରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ କରିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ଆଜିର ବୈଠକରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମୁକୁଲ ୱାସନିକ ଓ ପି ଚିଦାମ୍ବରମ୍ ତୁରନ୍ତ ସାଂଗଠନିକ ନିର୍ବାଚନ କରିବା ସପକ୍ଷରେ ମତ ଦେଇଥିଲେ । ଏମାନେ ପୂର୍ବରୁ ମଧ୍ୟ ଦଳର ନେତୃତ୍ୱ ସଙ୍କଟ ଓ ସାଂଗଠନିକ ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆଜି ସେମାନେ ସାଂଗଠନିକ ନିର୍ବାଚନ କଥା କହୁଥିବା ବେଳେ ଏହାକୁ ଗାନ୍ଧି ପରିବାରର ତଥାକଥିତ ବିଶ୍ୱସ୍ତ କୁହାଯାଉଥିବା ଅଶୋକ ଗେହଲଟ, ଅମରିନ୍ଦର ସିଂହ, ଏକେ ଆଣ୍ଟୋନୀ, ତାରିକ ଅନୱର ଏବଂ ଓମେନ ଚାଣ୍ଡି ବିରୋଧ କରିଥିଲେ । ବିଶେଷକରି ପଶ୍ଚିମବଙ୍ଗ ଓ ତାମିଲନାଡୁ ପରି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେମାନେ ଏହାପରେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥିଲେ । ଜଣେ ନେତା କହିଥିଲେ, ଆମେ କାହା ଏଜେଣ୍ଡାରେ କାମ କରିବାକୁ ଆଗେଇ ଯାଉଛେ? ଆମ ଦଳ ଭଳି ବିଜେପି କେବେ ହେଲେ ଆଭ୍ୟନ୍ତରୀଣ ନିର୍ବାଚନ କଥା କହେନାହିଁ । ପ୍ରଥମ କଥା ହେଲା ଆମେ ସମସ୍ତେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲଢ଼ିବା ଓ ପରେ ସାଂଗଠନିକ ନିର୍ବାଚନ କଥା ବିଚାରକୁ ନେବା । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ ଦେଖି ରାହୁଲ ଗାନ୍ଧି କହିଥିଲେ, ଗୋଟିଏ ଥର ଓ ସମସ୍ତଙ୍କ ପାଇଁ । ଏହାକୁ ବନ୍ଦ କର ଓ ଆଗକୁ ବଢ଼ । ଏହାଶୁଣି ଉଭୟ ଗୋଷ୍ଠୀ କହିଥିଲେ ଯେ ଅଧ୍ୟକ୍ଷ ଓ ସିଡବ୍ଲ୍ୟୁସି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । କିନ୍ତୁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସୋନିଆ ଗାନ୍ଧି ନେବେ । ଶେଷରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମସ୍ତେ ରାଜି ହୋଇଛନ୍ତି । ଶେଷଥର ପାଇଁ ସିଡବ୍ଲ୍ୟୁସି ନିର୍ବାଚନ ୧୯୯୭ରେ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନର ପରାଜୟ ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ଅଧ୍ୟକ୍ଷ ରହିଛନ୍ତି । କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଜୁନ୍ ମାସରେ ଚୟନ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଗାନ୍ଧି ପରିବାରରୁ କିଏ ହେବେ ନା ଆଉ କାହାକୁ ଦଳର ଏହି ସର୍ବୋଚ୍ଚ ପଦରେ ବସାଯିବ, ସେ ବିଷୟରେ ଜଣାପଡ଼ିନାହିଁ । ରାହୁଲ ଗାନ୍ଧି ପୂର୍ବରୁ ହିଁ ସ୍ପଷ୍ଟ କରି ସାରିଛନ୍ତି ଯେ ଗାନ୍ଧି ପରିବାର ବାହାରୁ ହିଁ ଅଧ୍ୟକ୍ଷ ଚୟନ କରାଯାଉ । ହେଲେ ଦଳର ବରିଷ୍ଠ ନେତାମାନେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଦାବି କରିଛନ୍ତି ।

Leave A Reply

Your email address will not be published.