ମୋଷ୍ଟ ୱାଣ୍ଟେଡ ଡନ୍ର ବଙ୍ଗଳା ମାଟିରେ ମିଶିଲା

0 62

ମୀରଟ, ୨୨ ।୧: ଉତ୍ତର ପ୍ରଦେଶର ମୀରଟସ୍ଥିତ ପଞ୍ଜାବୀ ପୁରା ଅଞ୍ଚଳର ଗୋଟିଏ ଛୋଟିଆ ଗଳିରେ ହଠାତ୍ ସବୁକିଛି ବନ୍ଦ ହୋଇ ଯାଇଥିଲା । ୧୨ରୁ ଅଧିକ ପୁଲିସ୍ ଅଧିକାରୀ ହାତରେ ବନ୍ଧୁକ ଧରି ଗଳି ମଧ୍ୟରେ ପଶିବାରୁ ସମସ୍ତେ ଛାନିଆ ହୋଇଯାଇଥିଲେ । ତେବେ ସମସ୍ତଙ୍କ ଆଖି ଗୋଟିଏ ଘରର ଗେଟ୍ ଉପରେ ରହିଥିଲା । ସେଠାରେ ପ୍ରଶାସନ ପକ୍ଷରୁ ଏକାଧିକ ନୋଟିସ୍ ମଧ୍ୟ ମରାଯାଇଥିଲା । ହଠାତ୍ ଦେଖୁଦେଖୁ ପ୍ରଶାସନ ପକ୍ଷରୁ ଏହି ବଙ୍ଗଳାଟିକୁ ଭାଙ୍ଗି ଦିଆଯାଇଥିଲା । ତେବେ ଭଙ୍ଗା ଯାଇଥିବା ପାଲାଟିଆଲ ବଙ୍ଗଳାଟି ହେଉଛି ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଡନ୍ ବାଦନ ସିଂହ ସାନ୍ଧୁ ଓରଫ ବାଡୋର । ସେ ବେଆଇନ ଭାବେ ଏଠାରେ ବଙ୍ଗଳା ତିଆରି କରିଥିଲା । ୧୮ ମାସ ତଳେ ୪୮ ବର୍ଷୀୟ ଡନ୍ ବାଡୋ ପୁଲିସ୍ ହେପାଜତରୁ ଖସି ଫେରାର ହୋଇଯାଇଥିଲା । ତା’କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିଲେ ହେଁ ଏଯାଏ ପୁଲିସ୍କୁ କୌଣସି ସଫଳତା ମିଳିନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ତା’ ନାଁରେ ୩୦ରୁ ଅଧିକ ମାମଲା ରହିଛି ଓ ତା’କୁ ଧରିବା ପାଇଁ ପୁଲିସ୍ ୨.୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସମସ୍ତ ପ୍ରକାରର ଆଇନଗତ ଦିଗକୁ ବିଚାରକୁ ନେଇ ବଙ୍ଗଳାଟିକୁ ଭଙ୍ଗା ଯାଇଛି । ଏହି ଘରଟି ବାଡୋ ନାଁରେ ପଞ୍ଜୀକରଣ ହୋଇ ନଥିଲା । ସେ ଏହାକୁ ତା’ ଭାଉଜଙ୍କୁ ଉପହାର ଆକାରରେ ଦେଇଥିଲା । ନଗର ନିଗମ ରେକର୍ଡରେ ମଧ୍ୟ ଏହି ଘରର ନାଁ ନାହିଁ । କିନ୍ତୁ ବାଡୋ ଏହି ବଙ୍ଗଳାକୁ ଲାଗିଥିବା ଅନ୍ୟ ଘର ପାଇଁ ଟିକସ ଦେଉଥିଲା । ସେ ଏଭଳି କରି ପୂରା ସରକାରୀ ବ୍ୟବସ୍ଥାକୁ ଅନ୍ଧାରରେ ରଖି ଚାଲିଥିଲା । ଶେଷରେ ତା’ର ସବୁ ଚକ୍ରାନ୍ତ ଧରାପଡ଼ିଛି ଓ ଆଜି ଏହାକୁ ଉଚ୍ଛେଦ କରାଯାଇଛି ।

Leave A Reply

Your email address will not be published.