ଆତ୍ମଘାତୀ ବିସ୍ଫୋରଣ : ୩୨ ମୃତ, ଶତାଧିକ ଆହତ

0 74

ବାଗ୍ଦାଦ,୨୨ ।୧: ବିସ୍ଫୋରଣରେ ଥରିଲା ବାଗଦାଦ । ଇରାକର ରାଜଧାନୀ ବାଗ୍ଦାଦର ତାୟରାନ ସ୍କୋୟାରରେ ଗୁରୁବାର ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ଅତି କମରେ ୩୨ ଜଣ ପ୍ରାଣ ହରାଇଥିଲାବେଳେ ୧୦୦ଜଣରୁ ଅଧିକ ଆହତ ହୋଇଛନ୍ତି । ଗତ ତିନି ବର୍ଷ ଭିତରେ ଏହାକୁ ବାଗଦାଦରେ ସବୁଠାରୁ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଇରାକ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଆତଙ୍କବାଦୀମାନେ ଗୁରୁବାର ତାୟରାନ୍ ସ୍କୋୟାର ସ୍ଥିତ ଏକ ବଜାରକୁ ଟାର୍ଗେଟ କରିଥିଲେ । ସେଠାରେ ପୋଷାକର ସେଲ୍ ଲାଗିଥିଲା । ଦୀର୍ଘଦିନ ଧରି କରୋନା ସଂକ୍ରମଣ ଜନିତ କଟକଣା ପରେ ବଜାର ଖୋଲିଥିବାରୁ ସେଠାରେ ଲୋକଙ୍କ ଭିଡ ଲାଗି ରହିଥିଲା । ଏହି ସମୟରେ ଜଣେ ଆତଙ୍କବାଦୀ ଦେହ ଖରାପ ହୋଇଯାଇଥିବା ବାହାନା କରି ସେଠାକୁ ଯାଇଥିଲା । ତା’ର କ’ଣ ହୋଇଛି ବୋଲି ଜାଣିବାକୁ ତା’ ଚାରିପଟେ ଲୋକେ ଗଦା ହୋଇଯାଇଥିଲେ । ପରେ ସେ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲା । ଏହାପରେ ଯେତେବେଳେ ଅନ୍ୟ ଲୋକମାନେ ମୃତାହତଙ୍କୁ ଉଦ୍ଧାର କରିବାକୁ ସେଠାରେ ଜମା ହେଲେ ସେତେବେଳେ ଦ୍ୱିତୀୟ ଆତଙ୍କବାଦୀ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲା । ଫଳରେ ୩୨ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.