ଓଡ଼ିଶା ନଭଲ ଟାଟା ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପକ୍ଷରୁ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ

0 79

ଭୁବନେଶ୍ୱର : ହକି ଦୁନିଆର ଆଗାମୀ କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶ ଓ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ନଭଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର-ଏଚ୍ପିସି (ଉଚ୍ଚ ପ୍ରଦର୍ଶନ କେନ୍ଦ୍ର) ପକ୍ଷରୁ କଳିଙ୍ଗ ହକି କମ୍ପେ୍ଲକ୍ସରେ ଏହାର ପ୍ରଥମ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ପାଇଁ ମୋଟ ୩୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ମନୋନୀତ କରାଯାଇଛି । ୨୦୨୦ ମସିହା ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଦୁଇ ସପ୍ତାହ ଧରି ଆୟୋଜିତ ମନୋନୟନ ଶିବିରରେ ଭାଗ ନେଇଥିବା ୧୦୦ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ୧୭ ବର୍ଷରୁ କମ୍ ବୟସ ଗ୍ରୁପ୍ରୁ ଉକ୍ତ ଖେଳାଳିମାନଙ୍କୁ ମନୋନୀତ କରାଯାଇଥିଲା । ଏହାମଧ୍ୟରେ ଓଡ଼ିଶାର ୨୧, ମଣିପୁରର ୭, ଉତ୍ତର ପ୍ରଦେଶର ଦୁଇ ଜଣ ଓ ଆସାମର ଜଣେ ଖେଳାଳି ଅନ୍ତର୍ଭୁକ୍ତ । ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର (ଏଚ୍ପିସି) ପକ୍ଷରୁ ଅତିରିକ୍ତ ଖେଳାଳି ଭାବେ ୮ଜଣ (ଓଡ଼ିଶାର ୫ ଜଣ) ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯାଇଛି । ହକି ଏଚ୍ପିସି ପକ୍ଷରୁ କିଛି ଖେଳାଳିମାନଙ୍କୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ପାନପୋଷ ଓ ସୁନ୍ଦରଗଡ଼ରେ ପରିଚାଳିତ କ୍ରୀଡ଼ା ଛାତ୍ରାବାସ ପାଇଁ ସୁପାରିଶ କରାଯାଇଛି । ଏହି ଛାତ୍ରାବାସଗୁଡ଼ିକ ଆଞ୍ଚଳିକ ବିକାଶ କେନ୍ଦ୍ର ହେବା ସହିତ ଓଡ଼ିଶା ନଭଲ ଟାଟା ହକି ଏଚ୍ପିିସିରେ ସାମିଲ ହେବା ପାଇଁ ଆଉ ଏକ ମାଧ୍ୟମ ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ରେ ଆଜି ଆୟୋଜିତ ଆଧିକାରୀକ ଉଦ୍ଘାଟନୀ ସମାରୋହରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଲ କୁମାର ଦେବ, ପଦ୍ମଶ୍ରୀ ବିଜେତା ଶ୍ରୀ ଦିଲ୍ଲୀପ ତିର୍କୀ, ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ବିଭାଗ ଭାଇସ ପ୍ରେସିଡେଣ୍ଟ ତଥା ଏଚ୍ଏଏଫ୍ (ହକି ଏସ୍ ଫାଉଣ୍ଡେସନ୍) ଅଧ୍ୟକ୍ଷ ଶ୍ରୀ ଚାଣକ୍ୟ ଚୌଧୁରୀ ଏବଂ ଏଚ୍ଏଏଫ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌତମ ମୁଖର୍ଜି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଢେଙ୍କାନାଳ ଓ ଦେବଗଡ଼ରେ ଦୁଇଟି ତୃଣମୂଳ କେନ୍ଦ୍ରର ଶୁଭାରମ୍ଭ ହେବା ସହିତ ତୃଣମୂଳ କେନ୍ଦ୍ର ସଂଖ୍ୟା ୧୨ରେ ପହଞ୍ଚିଛି । ତୃଣମୂଳସ୍ତରର ମହିଳା ପ୍ରଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଜଣେ ମହିଳା ପ୍ରଶିକ୍ଷକଙ୍କୁ ମିଶାଇ ଉକ୍ତ କେନ୍ଦ୍ରଗୁଡ଼ିକରେ ମୋଟ ୨୫ ଜଣ ପ୍ରଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ଏହି ଦୁଇଟି କେନ୍ଦ୍ର ଆରମ୍ଭ ହେବା ସହିତ ଆଜିର ଦିନରେ ଏହି ତୃଣମୂଳସ୍ତରୀୟ ପଦକ୍ଷେପ ଦ୍ୱାରା ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫୦୦ ଯୁବ ପ୍ରଶିକ୍ଷାର୍ଥୀ (ବାଳକ ଓ ବାଳିକା)ଙ୍କୁ ଏଥିରେ ସାମିଲ କରାଯାଇପାରିଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର , ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, “ଓଡ଼ିଶା ନଭଲ ଟାଟା ହକି ଏଚ୍ପିସିରେ ବାଳକମାନଙ୍କ ଆବାସିକ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ସଫଳାତର ସହ ଚୟନ ପ୍ରକ୍ରିୟାକୁ ଅତିକ୍ରମ କରି ଆମର ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ସାମିଲ ହୋଇଥିବା ପ୍ରତ୍ୟେକ ଓ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ହକିରେ ଅଗ୍ରଗତି କରିବା ପାଇଁ ଏହା ଏକ ସର୍ବୋକ୍ତୃଷ୍ଟ ସୁଯୋଗ ଓ ମଞ୍ଚ ଏବଂ ଆପଣମାନେ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ । କ୍ରୀଡ଼ାରେ ଆପଣମାନଙ୍କ ସ୍ୱପ୍ନ ପୁରା କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ । ଅଭିଜ୍ଞ ଓ ନିପୁଣ ପ୍ରଶିକ୍ଷକମାନଙ୍କ ଉପସ୍ଥିତିରେ ଆପଣମାନଙ୍କୁ ଭବିଷ୍ୟତରେ ଏକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ରୂପେ ବିକଶିତ କରିବାରେ ଏଚ୍ପିସିର ଏକ ପ୍ରମୁଖ ଭୂମିକା ରହିବ” । ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ବିଭାଗ ଭାଇସ ପ୍ରେସିଡେଣ୍ଟ ତଥା ହକି ଏସ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ “ଦେଶ ମଧ୍ୟରେ କ୍ରୀଡ଼ା ସଂସ୍କୃତିକୁ ପ୍ରେତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ ସର୍ବଦା ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ଯୁବବର୍ଗମାନଙ୍କ ମଧ୍ୟରେ ପ୍ରଚୁର ପ୍ରତିଭା ଭରି ରହିଛି ଓ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ସର୍ବଶ୍ରେଷ୍ଠ କ୍ରୀଡ଼ା ବ୍ୟବସ୍ଥା ଓ ପ୍ରଶିକ୍ଷଣ କେନ୍ଦ୍ର ଯୋଗାଇବା ଦିଗରେ ଏହା ଆମର ପଦକ୍ଷେପ । ଓଡ଼ିଶା ନଭଲ ଟାଟା ହକି ଏଚ୍ପିସି ଏକ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ହେବା ସହିତ ଏକ ଏଭଳି ଅନୁଷ୍ଠାନ, ଯେଉଁଠାରେ ଯୁବ ପ୍ରତିଭାଙ୍କ ବିକାଶ କରାଯିବା ସହିତ ତାଙ୍କ କ୍ୟାରିୟରକୁ ଏକ ରୂପ ଦିଆଯାଉଛି । ବାଳକଙ୍କ ପାଇଁ ଆବାସିକ କାର୍ଯ୍ୟକ୍ରମର ଆରମ୍ଭ କରିଥିବାରୁ ଆମେ ଖୁସି ଅନୁଭବ କରୁଛୁ, ଯାହା ଦେଶକୁ ହକିରେ ଏକ ଆଶାଜନକ ଭବିଷ୍ୟତ ଆଡକୁ ଅଗ୍ରସର କରିବା ଦିଗରେ ଆମ ଯାତ୍ରାକୁ ଅଧିକ ସୁଦୃଢ କରିବ” । ୨୦୨୧ ଏପ୍ରିଲ ମାସ ପରେ ବର୍ତ୍ତମାନ ଖାଲିଥିବା ସ୍ଥାନରେ ଏଚ୍ପିସି ଅଧିକ ବାଳକ ଓ ବାଳିକାଙ୍କୁ ସାମିଲ କରିବ, ଯେଉଁଥିପାଇଁ ଅନ୍ୟ ଏକ ଚୟନ ପ୍ରକ୍ରିୟା ଆୟୋଜନ କରିବାକୁ ଯୋଜନା କରାଯାଉଛି । ବର୍ତ୍ତମାନ ଆବାସିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା, ଝାଡ଼ଖଣ୍ଡ, ଆସାମ, ପଞ୍ଜାବ, ମଣିପୁର ଏବଂ ଉତ୍ତରପ୍ରଦେଶର ୩୦ ଜଣ ବାଳିକାଙ୍କୁ ଏଥିରେ ସାମିଲ କରାଯାଇଛି । ଏହାପୂର୍ବରୁ, ଏଚ୍ପିସିର ବୈଷୟିକ ନିର୍ଦ୍ଦେଶକ ୱାର୍ଣ୍ଣର ଭେନ୍ ଡେର ଗେଟ୍ (ବୋଭେଲାଣ୍ଡର ହକି ଏକାଡେମୀ ଓ ହକି ଏସ୍ ଫାଉଣ୍ଡେସନ୍ର ବୈଷୟିକ ନିର୍ଦ୍ଦେଶକ) ଓ ହକି ଏଚ୍ପିସିର ମୁଖ୍ୟ ପ୍ରଶିକ୍ଷକ ପି ଲକ୍ଷ୍ମୀନାରାୟଣଙ୍କ ଦ୍ୱାରା ବାଳକଙ୍କ ଆବାସିକ କାର୍ଯ୍ୟକ୍ରମ ପାଇଁ ଚୟନ ପ୍ରକ୍ରିୟାର ଆୟୋଜନ କରାଯାଇଥିଲା । ଚୁଡ଼ାନ୍ତ ଚୟନ ପ୍ରକ୍ରିୟା ସମୟରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏଠାକୁ ପରିଦର୍ଶନରେ ଆସିବା ସହିତ ପ୍ରଶିକ୍ଷକମାନଙ୍କୁ ନିଜର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ଯାତ୍ରା କଟକଣା ଯୋଗୁଁ ଏଠାରେ ଉପସ୍ଥିତ ନ ରହିବା ସତ୍ତେ୍ୱ ନେଦରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ତଥା ଏଚ୍ପିସିର ବୈଷୟିକ ସହଯୋଗୀ ଫ୍ଲୋରିସ ବୋଭେଲାଣ୍ଡର ନିଜର ପରାମର୍ଶ ପ୍ରଦାନ କରିବା ସହିତ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଥିଲେ । ପ୍ରତ୍ୟେକ ବାଳକ ପ୍ରଶିକ୍ଷାର୍ଥୀଙ୍କ ଉପରେ ବିଶେଷ ଗୁରୁ୍ତ୍ୱ ଦେବା ଲକ୍ଷ୍ୟରେ ହକି ଏଚ୍ପିସି ପକ୍ଷରୁ ଅତିରିକ୍ତ ଯୋଗ୍ୟତାପ୍ରାପ୍ତ ପ୍ରଶିକ୍ଷକ ଓ ସହଯୋଗୀ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.