ଦେଶରେ ହେଉ ୪ ରାଜଧାନୀ : ମମତା

0 53

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପର୍ଯ୍ୟାୟକ୍ରମେ ବା ରୋଟେସନ ଭିତ୍ତିରେ ଭାରତର ୪ ସହରକୁ ରାଜଧାନୀର ମାନ୍ୟତା ମିଳିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ଆଜି କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମମତା କେନ୍ଦ୍ର ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି । ମମତା କହିଛନ୍ତି, ଦେଶରେ ରୋଟେସନ ଭିତ୍ତିରେ ୪ ସହରକୁ ରାଜଧାନୀର ମାନ୍ୟତା ମିଳିବା ଦରକାର । କେବଳ ଦିଲ୍ଲୀ କାହିଁକି ଦେଶର ରାଜଧାନୀ ହୋଇ ରହିବ? ଇଂରେଜମାନେ କୋଲକାତାରୁ ପୂରା ଦେଶକୁ ଶାସନ କରିଥିଲେ । ତେଣୁ ଆମ ଦେଶରେ କାହିଁକି କେବଳ ଗୋଟିଏ ସହରକୁ ରାଜଧାନୀ ମାନ୍ୟତା ମିଳିବ? ଦେଶର ୪ ଦିଗରେ ୪ଟି ରାଜଧାନୀ ପ୍ରତିଷ୍ଠା ହେଉ । ଯେତେବେଳେ ନେତାଜୀ ଇଣ୍ଡିଆନ ନ୍ୟାଶନାଲ ଆର୍ମି ଗଠନ କରିଥିଲେ ସେତେବେଳେ ଗୁଜରାଟ, ବେଙ୍ଗଲ ଓ ତାମିଲନାଡୁର ଲୋକଙ୍କୁ ସାମିଲ କରିଥିଲେ । ସେ ବ୍ରିଟିଶରମାନଙ୍କ ବିଭାଜନ ଓ ଶାସନ ପଲିସି ବିରୋଧରେ ସ୍ୱର ଉଠାଇଥିଲେ । ଆମେ ଗୋଟିଏ ଆଜାଦ ହିନ୍ଦ ମନୁମେଣ୍ଟ ଗଠନ କରିବୁ । ଏହା କେମିତି ତିଆରି ହୁଏ, ସେକଥା ସମସ୍ତଙ୍କୁ ଦେଖାଇବୁ । ସେମାନେ ହଜାର ହଜାର କୋଟି ପ୍ରତିମୂର୍ତ୍ତି ଓ ସଂସଦର ନୂଆ ବିଲଡିଂ ପାଇଁ ଖର୍ଚ୍ଚ କରୁଛନ୍ତି । ହେଲେ ଆମେ ନେତାଜୀଙ୍କ ପାଇଁ କାମ କରିବୁ । ଆଜି ଆମେ ନେତାଜୀଙ୍କ ଜୟନ୍ତୀକୁ ଦେଶନାୟକ ଦିବସ ଭାବେ ପାଳନ କରୁଛୁ । ତେଣୁ କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମଦିନକୁ ଜାତୀୟ ଛୁଟି ଭାବେ ଘୋଷଣା କରନ୍ତୁ । କେନ୍ଦ୍ର ସରକାର ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ଘୋଷଣା କରିବା ବେଳେ ମୋର ମତାମତ ନେଇ ନଥିଲେ । ଆପଣମାନେ ଜାଣିଛନ୍ତି କି ଆମେ ଆଜି କାହିଁକି ଦେଶ ନାୟକ ଦିବସ ପାଳନ କରୁଛୁ? କାରଣ ରବୀନ୍ଦ୍ରନାଥ ଟାଗୋର ନେତାଜୀଙ୍କୁ ଏହି ନାଁରେ ଡାକୁଥିଲେ । ମାତୃଭୂମିକୁ ତାଙ୍କ ଭଳି ଭଲ ପାଉଥିବା ଲୋକଙ୍କ ସଂଖ୍ୟା ବହୁତ କମ । ଆମେ ତାଙ୍କ ଜନ୍ମ ବିଷୟରେ ଜାଣିଛେ । ତେଣୁ ଆମେ ତାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବା ମଧ୍ୟ ଦରକାର ବୋଲି ମମତା କହିଛନ୍ତି । ଏଥିସହ ସେ ମୋଦି ସରକାର ଯୋଜନା କମିଶନକୁ ଉଚ୍ଛେଦ କରି ନୀତି ଆୟୋଗ ପ୍ରଚଳନ କରିଥିବା କହିଛନ୍ତି । ଏବେ ନୀତି ଆୟୋଗ ସହ ଯୋଜନା କମିଶନକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମମତା ଦାବି କରିଛନ୍ତି ।

Leave A Reply

Your email address will not be published.