କୋଭିଡ କଟକଣାରେ ଅନୁଷ୍ଠିତ ହେବ ସାଧାରଣତନ୍ତ୍ର ଦିବସ ପ୍ୟାରେଡ

0 65

ନୂଆଦିଲ୍ଲୀ, ୨୪ ।୧: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଦିଲ୍ଲୀ ରାଜପଥରେ ଧୁମଧାମରେ ପାଳିତ ହେବ । ତେବେ କୋଭିଡ-୧୯ ମହାମାରୀ ଲାଗି ସମ୍ପୂର୍ଣ୍ଣ ସରକାରୀ କଟକଣା ମଧ୍ୟରେ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ଚୂଡାନ୍ତ ରିହରସେଲ୍ ଶେଷ ହୋଇଛି । ସାଧାରଣତନ୍ତ୍ର ଦିବସରେ ଭାରତୀୟ ସେନା ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବେ । ତେବେ ଏଥରର କାର୍ଯ୍ୟକ୍ରମ ସାମାନ୍ୟ ଅଲଗା ହେବ । ପ୍ୟାରେଡରେ ଅଂଶଗ୍ରହଣ କରୁଥିବା ସୈନିକମାନେ ମାସ୍କରେ ନଜର ଆସିବେ । ସେହିପରି ଏଥର ସାଧାରଣତନ୍ତ୍ର ଉତ୍ସବରେ କେହି ମୁଖ୍ୟ ଅତିଥି ହେବେନାହିଁ । ଏହାଛଡା ସମସ୍ତଙ୍କ ନଜର ବାୟୁସେନାରେ ନୂଆକରି ସାମିଲ ହୋଇଥିଲା ରାଫେଲ ଯୁଦ୍ଧବିମାନ ଉପରେ ରହିବ । ଏଥର ସାଧାରଣତନ୍ତ୍ର ଦିବସର ଅନ୍ୟତମ ଆକର୍ଷଣ ହେବ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ସିଲକା । ଦିଲ୍ଲୀ ରାଜପଥରେ ଲୋକେ ସିଲକାର ଅପଗ୍ରେଡ ଭର୍ସନ ଦେଖିବାକୁ ପାଇବେ । ସେହିପରି ବିହାରର ମହିଳା ଫାଇଟର ପାଇଲଟ ଭାବନା କଣ୍ଠ ଏଥର ପ୍ୟାରେଡରେ ସାମିଲ ହେବେ । ୨୦୧୮ରେ ଭାବନା ଫାଇଟର ପାଇଲଟ ଭାବେ ଏୟାରଫୋର୍ସରେ ନିଯୁକ୍ତ ହୋଇଥିଲେ । ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଚଳିତବର୍ଷ ଭାରତୀୟ ବାୟୁସେନାର ୪୨ଟି ଯୁଦ୍ଧବିମାନ ସାମିଲ ହୋଇଛନ୍ତି । ଏଥିରେ ଭିଣ୍ଟେଜ ଯୁଦ୍ଧବିମାନ ମଧ୍ୟ ଦିଲ୍ଲୀ ରାଜପଥ ଉପରେ ଉଡିବ । ତଥାପି ସମସ୍ତଙ୍କ ନଜର ରାଫେଲ ଉପରେ ରହିବ । ରାଫେଲ ସ୍କ୍ୱାଡ୍ରନ ଦିଲ୍ଲୀ ରାଜପଥରେ “ଭର୍ଟିକାଲ ଚାର୍ଲି’ କଳାବାଜୀ ପ୍ରଦର୍ଶନ କରିବେ । ପରେଡରେ ବାଂଲାଦେଶ ସୈନିକ ମଧ୍ୟ ଅଂଶ ଗ୍ରହଣ କରିବେ । ବାଂଲାଦେଶ ମୁକ୍ତି ଆନ୍ଦୋଳନର ୫୦ତମ ବର୍ଷିକ ପାଳନ କରୁଛି । ଭାରତ ସହଯୋଗରେ ବାଂଲାଦେଶ ନୂଆ ଦେଶର ମାନ୍ୟତା ପାଇଥିଲା । ଏହା ସହ ବାଂଲାଦେଶ ନିଜ ସୀମା ସୁରକ୍ଷା ଲାଗି ସେନାବାହିନୀ ମଧ୍ୟ ଗଠନ କରିଥିଲା । ବର୍ଷକୁ ସ୍ମରଣୀୟ କରିବା ଲାଗି ବାଂଲାଦେଶ ସୈନ୍ୟ ବାହିନୀର ବିଭିନ୍ନ ଶାଖାରୁ ୧୨୨ ଜଣ ସୈନିକ ରାଜପଥରେ ପ୍ୟାରେଡ କରିବେ । ପ୍ରତିବର୍ଷ ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବାକୁ ଦେଶ ଓ ବିଦେଶରୁ ଅନ୍ୟୁନ ଦେଢଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ଏଥିଲାଗି ଟିକେଟ୍ ବିକ୍ରି ହୁଏ । ତେବେ ଏଥର ସେପରି କିଛି ହେବନି । କୋଭିଡ କଟକଣାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଲାଗି ମାତ୍ର ୨୫ ହଜାର ଦର୍ଶକଙ୍କୁ ଅନୁମତି ମିଳିବ । ସେହିପରି କେହିବି ଦର୍ଶକ ଛିଡା ହୋଇ ପରେଡ ଦେଖିବାକୁ ଅନୁମତି ମିଳିବ ନାହିଁ । ପରିଦର୍ଶନ ସ୍ଥଳକୁ ମାସ୍କ ଓ ହ୍ୟାଣ୍ଡସାନିଟାଇଜର ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.