ଗୋଲାମୁଣ୍ଡା ବ୍ଲକ ତୁମୁରା ରାଜରାସ୍ତାରେ ଚାଷୀ ଆନ୍ଦୋଳନ

0 45

ଗୋଳାମୁଣ୍ଡା, ୨୭/୦୧ :ଚାଷୀ ହସିଲେ ଦେଶ ହସିବ ସତେ ଯେମିତି ଏହି ଉକ୍ତିଟି କେବଳ ଉକ୍ତିରେ ରହି ଯାଇଛି । ନିଜର ହକ ପାଇଁ ଚାଷୀ କେତେବେଳେ ହାଡ଼ ଭଙ୍ଗା ଶୀତରେ ଶୋଇଛି ତ କେତେବେଳେ ରାଜ ରାସ୍ତାକୁ ଓହ୍ଲାଇଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଗୋଳାମୁଣ୍ଡା ବ୍ଲକ ଅଧିନସ୍ଥ ତୁମୁରା ମଣ୍ଡି ନିକଟରେ । ବ୍ଲକର ଅନେକ ଚାଷୀ ଟୋକନ୍ ପାଇ ମଧ୍ୟ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନପାରିବା ଯୋଗୁ ପ୍ରତିବାଦ ସ୍ବରୂପ ରାଜ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ସିନାପାଲି – ଗୋଳାମୁଣ୍ଡା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତା କଳାହାଣ୍ଡି ଓ ନୁଆପଡା ଜିଲ୍ଲାକୁ ସଂଯୋଗ କରେ । ଚାଷୀ ଏହି ରାସ୍ତାକୁ ଅବରୋଧ କରି ଥିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବା ଫଳରେ ଶହ ଶହ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଛି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଧାନବିକ୍ରି ପାଇଁ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରି ପାରିନାହାନ୍ତି ଅନେକ ଚାଷୀ । ଧାନ ଯଦି ଉଠାଯିବାର ନଥିଲା ତେବେ ସରକାର ଟୋକନ୍ କାହିଁକି ଦେଉଥିଲେ ? ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବା ପାଇଁ ପ୍ରଶାସନ ନିକଟରେ ଚାଷୀ ମାନେ ଅନେକ ହାରି ଗୁହାରି କରିବା ସତ୍ୱେ ମଧ୍ୟ ଚାଷୀଙ୍କର ପାଖାପାଖି ୫୪୦୦ କୁଇଣ୍ଟାଲ ଧାନ ମଣ୍ଡିରେ ପଡିରହିଛି । ଅନେକ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କୁ ସମସ୍ୟା ବିଷୟରେ ଅବଗତ କରାଇବା ପରେ ମଧ୍ୟ ଚାଷୀଙ୍କର ସମସ୍ୟାର ସମାଧାନ ହୋଇପାରି ନଥିବାର ଅଭିଯୋଗ ହେଉଛି । ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିବାପାଇଁ ଆଣି ଶୀତ କାକରରେ ମଣ୍ଡିରେ ଚାଷୀଙ୍କ ଶୋଇ ଶୋଇ ଦିନ ଯାଉଛି । ଯଥାଶୀଘ୍ର ପ୍ରଶାସନ ତରଫରୁ ଚାଷୀଙ୍କ ସମସ୍ୟାର ସମାଧାନ କରାଗଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.