ବେଳହୁଁ ସାବଧାନ

0 69

ଦେଶରେ ଅନ୍ଲାଇନ୍ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୋକଙ୍କୁ ଯେତେ ସତର୍କ କରାଇଲେ ମଧ୍ୟ ଲୋକମାନେ ସଚେତନ ହେବା ପରିବର୍ତ୍ତେ ଦିନକୁ ଦିନ ଭୁଲ୍ ବାଟରେ ଯାଇ ନିଜର ସର୍ବସ୍ୱ ହରାଉଛନ୍ତି । ନିଜର କଷ୍ଟ ଉପାର୍ଜିତ ଧନକୁ ଅନ୍ୟ ହାତକୁ ଟେକିଦେଉଛନ୍ତି । ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଏହି ସାଇବର ଠକେଇ ବଢ଼ିବାରେ ଲାଗିଛି । ଗତ ୩ଦିନ ମଧ୍ୟରେ ୧୨୩ଜଣ ଠକେଇର ସମ୍ମୁଖୀନ ହୋଇଥିବା କମିଶନରେଟ୍ ପୋଲିସର ସାଇବର ସହାୟତା କେନ୍ଦ୍ରରେ ଅଭିଯୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୬ଜଣ ସାଇବର ଅପରାଧୀଙ୍କ କୌଶଳରେ ପଡ଼ି ୧୦ଲକ୍ଷ ୩୮ହଜାର ୫୦୧ଟଙ୍କା ହରାଇଛନ୍ତି । ପ୍ରତ୍ୟେକ ଦିନ ୨୦ରୁ ୩୦ଜଣ ସାଧାରଣ ଲୋକ ସେମାନଙ୍କ ହାବୁଡ଼ରେ ପଡ଼ୁଛନ୍ତି । ଯେତେ ସତର୍କ ହେଲେ ବି ସାଇବର ଅପରାଧୀଙ୍କ ନୂଆ କୌଶଳରୁ ଏମାନେ ମୁକୁଳି ପାରୁନାହାନ୍ତି । କମିଶନରେଟ୍ ପୋଲିସ ଏଯାଏଁ ୩୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରିସାରିଲାଣି । ଗତ ୨୪ ତାରିଖରେ ସହାୟତା କେନ୍ଦ୍ରରେ ୩,୮୬,୦୦୦ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୨୫ ତାରିଖରେ ୩,୪୫,୫୦୧ ଏବଂ ସାଧାରଣତନ୍ତ୍ର ଦିବସରେ ମଧ୍ୟ ୨,୯୮,୦୦୦ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ତେବେ ଅଧିକାଂଶ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ଦ୍ୱାରା ଠକେଇ ହୋଇଥିବା ଜଣାଯାଇଛି । ଏଥିନେଇ ଜାନୁଆରୀ ୭ରେ କମିଶନରେଟ୍ ପୋଲିସ ପକ୍ଷରୁ ଏକ ସହାୟତା ନମ୍ବର ଜାରି କରାଯାଇଥିଲା । ଏହାପରେ ରାଜଧାନୀରେ ପ୍ରତ୍ୟେକ ଦିନ ସାଇବର ଠକେଇ ନେଇ ଅଭିଯୋଗ ଆସୁଛି । ଏହି ୩ଦିନରେ ଭୁବନେଶ୍ୱରରୁ ଆସିଥିବା ଅଭିଯୋଗ ମଧ୍ୟରେ ୯ଟି ଏଟିଏମ୍ ଠକେଇ ହୋଇଥିବା ବେଳେ ୧୪ଟି ୟୁପିଆଇ ଠକେଇ ରହିଛି । ବିଶେଷକରି ଅପରାଧୀମାନେ ଏବେ ନୂଆ କୌଶଳ ଆପଣାଇଥିବା ଜଣାଯାଇଛି । ଫେସ୍ବୁକ୍ରେ ବନ୍ଧୁତା ସ୍ଥାପନ ପରେ ଅଶ୍ଳୀଳ ଫଟୋ ପଠାଇ ବ୍ଲାକ୍ମେଲ୍ କରି ଠକେଇ କରୁଥିବା ଡିସିପି କହିଛନ୍ତି । ପୂର୍ବରୁ ପୋଲିସ ଡିଜି ଅଭୟ ସଚେତନ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଥିଲେ । ନିଜର ଏଟିଏମ୍ ନମ୍ବର, ପ୍ୟାନ୍ କାର୍ଡ ଆଦି ଗୁପ୍ତ ତଥ୍ୟ କାହାରିକୁ ନଦେବା ସହିତ ଅନ୍ଲାଇନ୍ ଜରିଆରେ ସାମଗ୍ରୀ କିଣିବା ସମୟରେ ହୁସିଆର୍ ରହିବା ପାଇଁ କହିଥିଲେ । କିନ୍ତୁ କିଛି ଲୋକ ଲୋଭର ବଶବର୍ତ୍ତୀ ହୋଇ ଏସବୁକୁ ମାନୁନାହାନ୍ତି । ଯାହାଫଳରେ ଦିନକୁ ଦିନ ସାଇବର ଅପରାଧୀ ବଢ଼ିବାରେ ଲାଗିଛି । କଥାରେ ଅଛି ଲୋଭରୁ ମୃତ୍ୟୁ । ଅଳ୍ପଦିନରେ ଅଧିକା ପଇସା ରୋଜଗାର କରିବାର ନିଶା ଏବେ ସମସ୍ତଙ୍କୁ ଘାରିଛି । ଯଦ୍ୱାରା କିଛି ଲୋକ ଏହି ଅପରାଧୀଙ୍କ ଜାଲରେ ପଡ଼ୁଛନ୍ତି । ଯଦି ଟିକିଏ ସଚେତନ ହୁଅନ୍ତେ ତେବେ ଅନାୟସରେ ଏହି ସାଇବର ଠକେଇକୁ ରୋକାଯାଇପାରନ୍ତା ବୋଲି ଅର୍ଥନୈତିକ ବିଶାରଦମାନେ ମତ ଦେଇଛନ୍ତି । ନିଜର ସବୁ ତଥ୍ୟ ଦେଇସାରିବା ପରେ ନେଡିଗୁଡ଼ କହୁଣିକୁ ବୋହିଯିବା ପରେ ଶେଷରେ ଲୋକଙ୍କର ଚେତା ପଶୁଛି । ଅନ୍ୟ ଉପାୟ ନପାଇ ଶେଷରେ ପୋଲିସର ଶରଣାଗତ ହେଉଛନ୍ତି । ଆଗରୁ ଯଦି ଟିକେ ସତର୍କ ଓ ସାବଧାନ ହୁଅନ୍ତେ ତେବେ ଏପରି ଅପରାଧିକ ମାମଲା ବଢ଼ନ୍ତା ନାହିଁ । କିଛିଦିନ ତଳେ ଜାମ୍ତରା ଗ୍ୟାଙ୍ଗ ରାଜଧାନୀରେ ଡେରା ପକାଇଛି ବୋଲି ଲୋକଙ୍କୁ ପୋଲିସ ପକ୍ଷରୁ ହୁସିଆର୍ କରାଯାଇଥିଲା । ମାତ୍ର କିଛି ଲୋକେ ସତର୍କ ହେବା ପରିବର୍ତ୍ତେ ଖୁଲମ୍ଖୁଲ୍ଲା ସବୁ ତଥ୍ୟ ସେମାନଙ୍କ ନିକଟରେ ଦେଇଥିବା ଦେଖାଯାଇଥିଲା । ଯଦି ଆମେ ପୋଲିସର ପରାମର୍ଶ ଏବଂ ନିଜକୁ ନିଜେ ସାବଧାନତା ଅବଲମ୍ବନ ନକରିବା ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଯେ ଆମ ସହିତ ନ ଘଟିବ ଏଥିରେ ଦ୍ୱିମତ ହେବାର କିଛି ନାହିଁ । ତେଣୁ କଥାରେ ଅଛି ବେଳହୁଁ ସାବଧାନ ହେବା ଉଚିତ୍ ।

Leave A Reply

Your email address will not be published.