ଚାଷୀ ଆନ୍ଦୋଳନ ହଟାଇବାକୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶ

0 64

ନୂଆଦିଲ୍ଲୀ, ୨୮ ।୧: କୃଷି ଆଇନକୁ ତୁରନ୍ତ ହଟାଇ ରାସ୍ତା ଖାଲି କରିବାକୁ ଉତ୍ତର ପ୍ରଦେଶର ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୃଷି ଆଇନ ବିରୋଧରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମା ଗାଜିପୁରରେ ଶତାଧିକ ଚାଷୀ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଛନ୍ତି । ହେଲେ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ପରେ ସରକାର ଆକ୍ସନ ମୋଡକୁ ଚାଲି ଆସିଛନ୍ତି । ଆଜି ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ ଡିଏମ ଓ ଏସ୍ପିଙ୍କୁ ଚାଷୀ ଆନ୍ଦୋଳନକୁ ତୁରନ୍ତ ହଟାଇ ରାସ୍ତା ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପରେ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ପୁଲିସ୍ ପ୍ରଶାସନକୁ ଗାଜିପୁର ଆନ୍ଦୋଳନସ୍ଥଳକୁ ଖାଲି କରିବା ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ କ୍ୟାମ୍ପକୁ ପାଣି ଯୋଗାଣ ବନ୍ଦ କରି ଦିଆଯାଇଛି । ସେମାନେ ବ୍ୟବହାର କରୁଥିବା ଟଏଲେଟକୁ ମଧ୍ୟ ପ୍ରଶାସନ ଉଠାଇ ନେଇଛି । ଏହାକୁ ନେଇ ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ସକାଳୁ ଗାଜିପୁର ସୀମାରେ ଉଭୟ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ପୁଲିସ୍ ପହଞ୍ଚିଥିଲେ । ସେମାନେ ରାସ୍ତା ଖାଲି କରିବାକୁ ଚାଷୀମାନଙ୍କୁ କହିଛନ୍ତି । ସେହିପରି ଚାଷୀ ନେତା ରାକେଶ ଟିକେତଙ୍କ ସମେତ ଅନ୍ୟ କିଛି ଚାଷୀଙ୍କ ସହ ପୁଲିସ ଆଲୋଚନା କରିଛି । ରାକେଶ ଟିକେତ ମଞ୍ଚ ଉପରକୁ କହିଛନ୍ତି, ପୁଲିସ୍ ଯଦି ଆମକୁ ଗିରଫ କରିବ, ତା’ହେଲେ ଆମେ ଶାନ୍ତିପୂର୍ଣ୍ଣ ଭାବେ ଏଥିରେ ସହଯୋଗ କରିବୁ । ତଥାପି ପୁଲିସ୍ ରାସ୍ତା ଖାଲି କରିବାକୁ ଚାଷୀମାନଙ୍କୁ କହିଛି । ଏଥିସହ ଏଠାକୁ ପାଣି ଯୋଗାଣ ବନ୍ଦ କରାଯିବା ସହ ପୁଲିସ୍ ଲାଗଇଥିବା ଅସ୍ଥାୟୀ ଟଏଲେଟ ଗୁଡ଼ିକୁ ମଧ୍ୟ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅନ୍ୟପକ୍ଷରେ ଆଜି ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ହିନ୍ଦୁ ସେନା ପକ୍ଷରୁ ଧମକ ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ସହ ମିଶି ଆଜି ହିନ୍ଦୁ ସେନା ପକ୍ଷରୁ ସିଙ୍ଘୁ ସୀମାରେ ବିକ୍ଷୋଭ କରାଯାଇଥିଲା । ଏହି ସମୟରେ ସେମାନେ ଚାଷୀମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ସିଙ୍ଘୁ ସୀମା ଖାଲି କରିବାକୁ ସମୟ ଦେଇଛନ୍ତି ।

Leave A Reply

Your email address will not be published.