ମଣିଷଖିଆ ଘାଟିରେ ୪୦ଫୁଟ ତଳକୁ ଓଲଟିଲା ଅଟୋ

0 73

୩ଶିଶୁଙ୍କ ସମେତ ୮ ଆହତ,ଜଣେ ମୃତ


ପାରଳାଖେମୁଣ୍ଡି,୨୯ା୦୧: ଗଜପତି ଜିଲ୍ଲାର ବିପଦପୁର୍ଣ୍ଣ ମଣିଷଖିଆ ଘାଟିରେ ଗତକାଲି ସଂଧ୍ୟାରେ ପୁଣି ଏକ ଦୁର୍ଘଟଣା ଘଟିଛି । ଏଥିରେ ଏକ ଅଟୋ ୪୦ଫୁଟ ତଳକୁ ଖସି ପଡିବା ଯୋଗୁଁ ୮ଜଣ ଗୁରୁତର ହୋଇ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଗତକାଲି ରାତ୍ରରୁ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ହେଲେ ମଧ୍ୟରାତ୍ରରେ ଅତ୍ୟନ୍ତ ଗୁରୁତର ଜଣକ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଯେ,ଗତକାଲି ଗଜପତିର ରାଗୋଇସିଂ ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ୨୦ଜଣ ଅଢେଇସିଂ ଗ୍ରାମବାସୀ ଅଟୋ ଯୋଗେ ଗ୍ରାମକୁ ଫେରୁଥିଲେ । କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତର ଅଢେଇସିଂ ଗ୍ରାମ ନିକଟସ୍ଥ ଲୁହାଝର ଘାଟିର ବିପଦ ପୁର୍ଣ୍ଣ ବୁଲାଣିଆ ରାସ୍ତାରେ ଏହି ଯାତ୍ରୀବାହୀ ଅଟୋ ଭରସାମ୍ୟ ହରାଇ ୪୦ଫୁଟ ତଳକୁ ଖସି ଗତକାଲି ସଂଧ୍ୟାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଅଞ୍ଚଳବାସୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏହି ଯାତ୍ରୀବୀହୀ ଅଟୋରେ ମୋଟ ୨୦ଜଣ ଯାତ୍ରୀ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ୩ଜଣ ଶିଶୁଙ୍କ ସମେତ ୮ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ବେଳେ ଅତ୍ୟନ୍ତ ଗୁରୁତର ଜୁଏଲ ଗମାଙ୍ଗଙ୍କ ଗତକାଲି ମଧ୍ୟରାତ୍ରରେ ମୃତ୍ୟୁ ଘଟିଛି । ଅନ୍ୟମାନେ ଗୁରୁତର ଥିଲେ ମଧ୍ୟ ଆଜି ବିପଦ ମୁକ୍ତ ଥିବା ଡାକ୍ତରଖାନା ତରଫରୁ ସୁଚନା ମିଳିଛି । ଆହତଙ୍କୁ ଭେଟିବା ପାଇଁ ଜିିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ପାରଳା ବିଧାୟକ କେ.ନାରାୟଣ ରାଓ ଓ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ ପ୍ରମୁଖ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଡାକ୍ତରଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏଠାରେ ସୁଚନା ଯୋଗ୍ୟ ୨ ବର୍ଷ ପୂର୍ବେ ଏହି ଘାଟିରେ ଏକ ଇଟା ବୋଝେଇ ଟ୍ରକ ଓଲଟି ୯ଜଣଙ୍କର ମୃତ୍ୟୁ ଘଟିଥିଲା । ଏପରି ଭାବେ ଏହି ଘାଟିରେ ଗତ ୫ବର୍ଷ ମଧ୍ୟରେ ଅନେକ ଥର ଦୁର୍ଘଟଣା ଘଟି କେତେକଙ୍କ ଜୀବନ ଯାଇଛି । ଏହି ଘାଟିକୁ ଅଞ୍ଚଳବାସୀ ମଣିଷଖିଆ ଘାଟି ବୋଲି ଅବିହତ କରି ବିପଦପୁର୍ଣ୍ଣ ଥିବା ଅତ୍ୟନ୍ତ ବୁଲାଣିଆ ଘାଟିକୁ କାଟି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କଟାଯାଉ ବୋଲି ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଯୋଗୁଁ ଅଞ୍ଚଳବାସୀଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ପାରଳାଖେମୁଣ୍ଡି ଥାନାରେ କେସ ନଂ ୨୩/୨୦ରେ ମକଦ୍ଦମା ରୁଜୁ ହୋଇ ତଦନ୍ତ ଚାଲିଥିବା ଆଇଆଇସି ବିବେକାନନ୍ଦ ସ୍ୱାଇିଁ ଜଣାଇଛନ୍ତି ।

Leave A Reply

Your email address will not be published.