ମୋଦିଙ୍କ ଆହ୍ୱାନ : ଆଗାମୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ

0 56

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରୁ ସାମ୍ବାଦିକମାନଙ୍କୁ ଚଳିତବର୍ଷ ବଜେଟ କେମିତି ରହିବ, ତା’ର ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ୨୦୨୦ରେ ଅର୍ଥମନ୍ତ୍ରୀ ଯେଉଁଭଳି ୩ରୁ ୪ଟି ମିନି ବଜେଟ ଉପସ୍ଥାପନ କରିଥିଲେ ଆସନ୍ତା ବଜେଟ ତା’ର ଏକ ଅଂଶବିଶେଷ ହେବ । ଆମେ ଚଳିତ ବଜେଟକୁ ଉକ୍ତ ମିନି ବଜେଟର ଅଂଶ ଭାବେ ଦେଖିବା । ଚଳିତ ଦଶନ୍ଧିର ଏହା ହେଉଛି ପ୍ରଥମ ଅଧିବେଶନ । ଭାରତର ଉଜ୍ୱଳ ଭବିଷ୍ୟତ ପାଇଁ ଏହି ଦଶନ୍ଧି ବେଶ ଗୁରୁତ୍ୱପୂର୍ଣ୍ଣ । ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଆମ ପାଖରେ ଏବେ ସୁବର୍ଣ୍ଣ ସୁଯୋଗ ରହିଛି । କୋଟି କୋଟି ଭାରତୀୟ ଆମକୁ ଯେଉଁ ବିଶ୍ୱାସ ରଖି ସଂସଦକୁ ପଠାଇଛନ୍ତି, ଆମେ ଏହାର ଭରପୂର ଉପଯୋଗ କରି ଲୋକତନ୍ତ୍ରକୁ ଆହୁରି ସଶକ୍ତ କରିବା । ଭାରତର ଇତିହାସରେ ସମ୍ଭବତଃ ପ୍ରଥମଥର ୨୦୨୦ରେ ଅର୍ଥମନ୍ତ୍ରୀ ଗୋଟିଏ ନୁହେଁ, ବରଂ ୩ରୁ ୪ଟି ପ୍ୟାକେଜ ଘୋଷଣା କରି ମିନି ବଜେଟ ଉପସ୍ଥାପନ କରିଛନ୍ତି । ତେଣୁ ଚଳିତବର୍ଷ ବଜେଟ ମଧ୍ୟ ସେହି ମିନି ବଜେଟର ଏକ ଅଂଶ ଭାବେ ଉପସ୍ଥାପନ କରାଯିବ ବୋଲି ମୋର ବିଶ୍ୱାସ ରହିଛି । ଏଥିସହ ଶ୍ରୀ ମୋଦି ସଂସଦର ସମସ୍ତ ସଦସ୍ୟଙ୍କୁ ମିଳିତ ଭାବେ କାମ କରିବାକୁ ଆହ୍ୱାନ କରିଛନ୍ତି । ଆଜି ସଂସଦର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧନ କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ଏହି ଉଦବୋଧନକୁ ୧୮ଟି ବିରୋଧ ଦଳ ବୟକଟ୍ କରିଛନ୍ତି । କୃଷି ଆଇନକୁ ବିରୋଧ ଓ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ।

Leave A Reply

Your email address will not be published.