ଟିଏମସିର ବିଧାୟକ ପଦ ଛାଡ଼ିଲେ ରାଜୀବ ବାନାର୍ଜୀ

0 68

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୀତିକ ହଟଚମଟ ଜାରି ରହିଛି । ଗତ ସପ୍ତାହରେ ମମତା ବାନାର୍ଜୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ଟିଏମସି ବିଧାୟକ ପଦକୁ ବାଏବାଏ କହିଛନ୍ତି । ସେ ପଶ୍ଚିମବଙ୍ଗର ଡମଜୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଗୋଟିଏ ଦିନ ପୂର୍ବରୁ ରାଜୀବ ବାନାର୍ଜୀ କହିଥିଲେ ବର୍ତ୍ତମାନ ମୁଁ ପାର୍ଟିର କର୍ମୀ ରହିଛି । ହେଲେ ଆଗାମୀ ଦିନରେ କ’ଣ ହେବ, ସେକଥା କହିବା ମୁସ୍କିଲ । ଏବେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିବାରୁ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ରବିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବେଙ୍ଗଲ ଗସ୍ତରେ ଆସିବେ । ତାଙ୍କ ଉପସ୍ଥିତିରେ ବାନାର୍ଜୀ ପଦ୍ମ ଧରିବେ ବୋଲି କୁହାଯାଉଛି । ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ରାଜୀବ ବାନାର୍ଜୀ କହିଛନ୍ତି, ମୁଁ ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛି । ବାଚସ୍ପତିଙ୍କୁ ଏ ସଂକ୍ରାନ୍ତରେ ମୁଁ ଚିଠି ଲେଖି ଜଣାଇ ଦେଇଛି । ଲୋକଙ୍କ ସେବା କରିବାକୁ ମୋ ଦଳର ସୁପ୍ରିମୋ ମମତା ବାନାର୍ଜୀ ମୋତେ ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି । ଆଗକୁ ମଧ୍ୟ ଲୋକଙ୍କ ସେବା କରିବାକୁ ମୋତେ ନିଶ୍ଚିତ ସୁଯୋଗ ମିଳିବ ବୋଲି ସେ ଆଶାବାଦୀ ରହିଛନ୍ତି । ଅନ୍ୟପକ୍ଷରେ ଟିଏମସି ଛାଡ଼ି ବିଜେପି ସାଂସଦ ହୋଇଥିବା ଅର୍ଜୁନ ସିଂହ କହିଛନ୍ତି ରାଜୀବ ବାନାର୍ଜୀ ମୋ ସାନ ଭାଇ ଭଳି । ମୁଁ ତାଙ୍କୁ କହିବାକୁ ଚାହେଁ ଯେ ତାଙ୍କ ପାଇଁ ବିଜେପିର ଦ୍ୱାର ଖୋଲା ରହିଛି ।

Leave A Reply

Your email address will not be published.