ଦୀପ ସିଦ୍ଧୁଙ୍କ ସପକ୍ଷରେ ଖଲିସ୍ତାନ ସମର୍ଥକ

0 58

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ଚାଷୀଙ୍କୁ ଉସୁକାଇ ଲାଲକିଲ୍ଲାରେ ଶିଖ୍ ପତାକା ଉଡ଼ାଇବା ସହ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ଫସିଥିବା ଅଭିନେତା ଦୀପ ସିଦ୍ଧୁଙ୍କ ସପକ୍ଷରେ ଓକିଲାତି କରିଛନ୍ତି ଖଲିସ୍ତାନ ସମର୍ଥକ । ଏଥିସହ ଖଲିସ୍ତାନ ସମର୍ଥକ ଦିଲ୍ଲୀ ହିଂସାକାଣ୍ଡ ଘଟଣା ପାଇଁ ଦୀର୍ଘଦିନ ହେଲା ରାଜରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ନେତାମାନଙ୍କୁ ଦାୟୀ କରିଛନ୍ତି । ଖଲିସ୍ତାନର ଜଣେ ସମର୍ଥକ ବାଗୀଚା ସିଂହ କହିଛି, ଚାଷୀନେତାମାନେ ନିଜ ମୁଣ୍ଡରୁ ଦୋଷ ଖସାଇ ଦୀପ ସିଦ୍ଧୁଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି । ପୁଲିସ୍ କାର୍ଯ୍ୟାନୁଷ୍ଠାନରୁ ଚାଷୀ ନେତାମାନେ ବଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଚାଷୀନେତାମାନେ ହିଁ କୃଷକମାନଙ୍କୁ ଲାଲକିଲ୍ଲାକୁ ଯିବା ପାଇଁ କହିଥିଲେ । ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ଯେମିତି ହେଲେ ଶୋଭାଯାତ୍ରା ପହଞ୍ଚିବ ବୋଲି ସେମାନେ ସମସ୍ତଙ୍କୁ ଜଣାଇଥିଲେ । ଏହାକୁ ନେଇ ବିବାଦ ହେବାରୁ ସେମାନେ ସବୁ ଦୋଷ ଦୀପ ସିଦ୍ଧୁଙ୍କ ମୁଣ୍ଡରେ ଲଦି ଦେଉଛନ୍ତି । ସେ ଯାହା ବି ହେଉ ଲାଲକିଲ୍ଲାରେ ନିଶାନ ସାହିବ ପତାକା ଉଡ଼ିଥିବାରୁ ଆମେ ଖୁସି । ହିଂସାକାଣ୍ଡ ପଛରେ ଦୀପ ସିଦ୍ଧୁଙ୍କର କୌଣସି ଭୂମିକା ନାହିଁ ବୋଲି ସେ କହିଛି । ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସାକାଣ୍ଡ ଘଟିଥିଲା । ଟ୍ରାକ୍ଟର ରାଲି ଆଳରେ କିଛି ଉପଦ୍ରବକାରୀ ଲାଲକିଲ୍ଲାରେ ପ୍ରବେଶ କରି ପତାକା ଉଡ଼ାଇଥିଲେ । ଲାଲକିଲ୍ଲା ଭିତରେ ତ୍ରିରଙ୍ଗା ବଦଳରେ ଦୀପ ସିଦ୍ଧୁ ଶିଖ ଧର୍ମର ପତାକା ଉଡ଼ାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଚାଷୀନେତାମାନେ କହିଥିଲେ ଯେ ଦୀପ ସିଦ୍ଧୁ ହିଁ କିଛି ଚାଷୀଙ୍କୁ ଉସକାଇ ଲାଲକିଲ୍ଲାରେ ପତାକା ଉଡ଼ାଇଛନ୍ତି । ସେହିପରି ଦୀପ ସିଦ୍ଧୁ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଫଟୋ ଉଠାଇଥିବାରୁ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପିର ଏହା ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି । ପୁଲିସ୍ ଦୀପ ସିଦ୍ଧୁଙ୍କ ନାଁ ଏଫଆଇଆର୍ରେ ଉଲ୍ଲେଖ କରିଛି । ଏସବୁ ଭିତିରେ ଖଲିସ୍ତାନ ସମର୍ଥକ ଅଭିନେତା ଦୀପ ସିଦ୍ଧୁଙ୍କୁ ସମର୍ଥନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.