ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଲେ ସଞ୍ଜୟ ସିଂ

0 66

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ହିଂସକାଣ୍ଡ ପରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ହଟାଇବାକୁ ପୁଲିସ୍ ଯୋଜନା କରୁଥିବା ବେଳେ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ବଡ଼ ଆହ୍ୱାନ ଦେଇଛନ୍ତି । ମୁଜାଫରନଗରରେ ଆନ୍ଦୋଳନ କରୁଥିବା କିଷାନ ମହାପଞ୍ଚାୟତର ଚାଷୀମାନଙ୍କୁ ଆପ୍ ସାଂସଦ ସଞ୍ଜୟ ସିଂହ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ସେହିପରି ଦିଲ୍ଲୀ ହିଂସାକାଣ୍ଡ ପାଇଁ ପୁଲିସ୍ ଭାରତୀୟ କିଷାନ ୟୁନିୟନ(ବିକେୟୁ) ମୁଖପାତ୍ର ରାକେଶ ଟିକାୟତଙ୍କୁ ଅଭିଯୁକ୍ତ ସଜାଇଥିବାରୁ ଏହାକୁ ମଧ୍ୟ ଶ୍ରୀ ସିଂହ ବିରୋଧ କରିଛନ୍ତି । ସେ କହିଛନ୍ତି ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ରାକେଶ ଟିକାୟତ ଗତକାଲି ପୁଲିସର ଆଚରଣ ଦେଖି କାନ୍ଦି ପକାଇଥିଲେ । ତାଙ୍କ ଲୁହ ଦେଖି ମୁଁ ବିଚଳିତ ହୋଇପଡ଼ିଛି । ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ଚାଷୀମାନେ ହିଂସାକାଣ୍ଡ ଘଟାଇ ନଥିଲେ । ବିଜେପି ନେତା ହିଁ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ହିଂସାକାଣ୍ଡ ଘଟାଇଥିଲେ । ଆଜି ମୁଁ ମୁଜାଫରନଗରରେ ଆରମ୍ଭ ହୋଇଥିବା କିଷାନ ମହାପଞ୍ଚାୟତର ଚାଷୀମାନଙ୍କୁ ଦିଲ୍ଲୀ ଅଭିମୁଖେ ଆସିବାକୁ ନିମନ୍ତ୍ରଣ କରିଛୁ । ଏଠାରେ ପାଣି, ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ କୌଣସି ବି ଅଭାବ ହେବନାହିଁ । ଆମେ ସର୍ବଦା ଚାଷୀଙ୍କ ସହ ରହିଛୁ ବୋଲି ସେ କହିଛନ୍ତି । ଗତକାଲି ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ତୁରନ୍ତ ହଟାଇବାକୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଥିଲେ । ଏପରିକି ଚାଷୀଙ୍କ କ୍ୟାମ୍ପକୁ ପାଣି ବନ୍ଦ କରି ଦିଆଯାଇଥିଲା । ଏହାପରେ ଏଠାରେ ଆନ୍ଦୋଳନ କରୁଥିବା ରାକେଶ ଟିକାୟତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାଣି ପାଇଁ କହିଥିଲେ । ଆଜି ସଞ୍ଜୟ ସିଂହ ଏପରି ଆହ୍ୱାନ ଦେବା ପରେ ପୁଲିସ୍ର ଚିନ୍ତା ବଢ଼ି ଯାଇଛି ।

Leave A Reply

Your email address will not be published.