ଉତ୍ତରାଖଣ୍ଡ ପ୍ରଳୟରେ ଓଡ଼ିଆ ପୁଅ ନିଖୋଜ

0 75

ଭୁବନେଶ୍ୱର : ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ  ନିଖୋଜ ହୋଇଯାଇଛନ୍ତି । ଏହି ପ୍ରଳୟ ପରଠୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କର କୌଣସି ପତ୍ତା ମିଳୁନାହିଁ ।  ନାଗାର୍ଜୁନ ଉତ୍ତରାଖଣ୍ଡରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ । ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି । ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଛି। ଉତ୍ତରାଖଣ୍ଡ ଚାମୋଲିରେ ହୋଇଥିବା  ପ୍ରଳୟ ପରେ ଜୋରଦାର ହୋଇଛି ଉଦ୍ଧାର କାର୍ଯ୍ୟ। ଡ୍ୟାମର ସୁଡ଼ଙ୍ଗ ଭିତରେ ଫସି ରହିଥିବା ୩୦ରୁ ଅଧିକ ଲୋକଙ୍କୁ ବାହାର କରିବା ଲାଗି ଜୋରଦାର ଅଭିଯାନ ଚାଲିଛି । ଚାମୋଲିର ତପୋବନରେ ଥିବା ୧୨ ଫୁଟ୍ ଉଚ୍ଚ ଓ ୧୫ ଫୁଟ୍ ଚଉଡ଼ା ଓ ୧.୬ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗର ସମ୍ମୁଖ ଅଂଶ ଭୂସ୍ଖଳନ ଯୋଗୁଁ ବୋହି ଆସିଥିବା ମାଟି ଓ ଆବର୍ଜନାରେ ପୋତି ହୋଇଯାଇଛି । ଫଳରେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସି ରହିଛନ୍ତି  । ମାଟି ଓ ଆବର୍ଜନା ସଫା କରି ଶ୍ରମିକଙ୍କୁ ବାହାର କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି । ଅନ୍ୟପକ୍ଷରେ ଏବେ ବି ୨୦୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି । ସେହିପରି ନିର୍ମାଣାଧୀନ ଋଷିଗଙ୍ଗା ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓ ଏନ୍‌ଟିପିସି ପ୍ଲାଣ୍ଟ ଅଞ୍ଚଳରେ ନିଖୋଜ ଥିବା ଶ୍ରମିକଙ୍କୁ ଖୋଜା ଯାଉଛି । ନିଖୋଜଙ୍କ ମଧ୍ୟରେ ଏନଟିପିସି ପ୍ଲାଣ୍ଟର ବହୁ ଶ୍ରମିକ ଥିବା ସୂଚନା ମିଳିଛି । ଉଦ୍ଧାର ହେଉଥିବା ଲୋକଙ୍କୁ ସେନାର Mi-17 ଓ ଚିନୁକ୍ ହେଲିକପ୍ଟରରେ ଯୋଶୀ ମଠକୁ ପଠାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍, କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ. ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ସେପଟେ ରେନୀ ନିକଟରେ ବ୍ରିଜ ଭାସିଯିବାରୁ ୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ସେମାନଙ୍କୁ ହେଲିକପ୍ଟର ଦ୍ୱାରା ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.