ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ସନ୍ଦିଗ୍ଧକୁ ଗୁଳିକରି ହତ୍ୟା କଲେ ବିଏସ୍ଏଫ୍ ଯବାନ

0 71

ଜାମ୍ମୁ, ୮ ।୨ : ଜାମ୍ମୁ-କାଶ୍ମୀରର ସାମ୍ବା ଅଞ୍ଚଳରେ ପାକିସ୍ତାନର ଆଉ ଏକ ଚାଲକୁ ଭଣ୍ଡୁର କରିଛି ଭାରତୀୟ ସେନା । ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛ । ନିହତ ହୋଇଥିବା ଯୁବକର ମୃତଦେହକୁ ମଧ୍ୟ ଜବତ କରାଯାଇଛି । ମୃତକର ପରିଚୟ ମିଳିନଥିବା ବେଳେ ସର୍ଚ୍ଚଅପରେସନ୍ ଜାରି ରହିଛି । ସୂଚନା ଅନୁସାରେ, ଜାମ୍ମୁର ସାମ୍ବା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଠାବ କରିଥିଲେ ଭାରତୀୟ ଯବାନ । ତାକୁ ଅନେକଥର ଚେତାବନୀ ଦେବା ପରେ ମଧ୍ୟ ସେ ଅନୁପ୍ରବେଶକାରୀଜଣକ ସନ୍ଦେହଜନକ ଅବସ୍ଥାରେ ସେଠାରେ ବୁଲୁଥିଲା । ଏହା ପରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ବିଏସ୍ଏଫ । ଯବାନଙ୍କ ଗୁଳିରେ ନିହତ ହୋଇଥିଲା ସନ୍ଧିଗ୍ଧ ବ୍ୟକ୍ତି । ସୂଚନାଯୋଗ୍ୟ ସେଠାରେ ପୂର୍ବରୁ ଗତ ୨୩ ଅଗଷ୍ଟ ୨୦୨୦ରେ ମଧ୍ୟ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳି କରିଥିଲେ ଯବାନ । ସେହି ଅଞ୍ଚଳରୁ ଏକ ସୁଡଙ୍ଗକୁ ମଧ୍ୟ ଠାବ କରାଯାଇଥିଲା । କିଛିଦିନ ପୂର୍ବରୁ ହୀରାନଗରର ପାନସରରୁ ଏକ ସୁଡଙ୍ଗ ଠାବ କରିଥିଲେ ଯାହାର ଲମ୍ବ ଥିଲା ପ୍ରାୟ ୧୫୦ ମିଟର । ପାକିସ୍ତାନର ଗୁପ୍ତ ବିଭାଗ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉକ୍ତ ସୁଡଙ୍ଗ ନିର୍ମାଣ କରିଥିଲା । କେବଳ ସେତିକି ନୁହେଁ ୨୦୨୦ ଜୁନ୍ରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ନେଇ ଯାଉଥିବା ଏକ ଟ୍ରକକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ଜଣେ ଆତଙ୍କବାଦୀ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲା । ପାଲଟା ଆକ୍ରମଣରେ ସେହିଠାରେ ହିଁ ନିହତ ହୋଇଥିଲା ଆତଙ୍କୀ । ନଭେମ୍ବର ୨୦୧୯ରେ ମଧ୍ୟ ଏହିଠାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା ।

Leave A Reply

Your email address will not be published.