ଜେଲରୁ ବାହାରି ଜଜଙ୍କୁ ବିବାହ କରିବେ ଏସଡିଏମ ପିଙ୍କି ମୀନା

0 69

ଜୟପୁର, ୧୧ ।୨: ହାଇୱେ କମ୍ପାନୀ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ନିଲମ୍ବିତ ରାଜସ୍ଥାନ ପ୍ରଶାସନିକ ସେବା ( ଆରଏଏସ୍) ଅଫିସର ପିଙ୍କି ମୀନା ପୁଣି ଚର୍ଚ୍ଚାରେ । ତକ୍ରାଳୀନ ବାନ୍ଦିକୁଇ ଏସଡିଏମ ଭାବେ କାର୍ଯ୍ୟ କରୁଥିବା ପିଙ୍କି ଘଟଣା ପରେ ଜେଲରେ ଥିଲେ । ହେଲେ ବାହାଘର ପାଇଁ ତାଙ୍କୁ ରାଜସ୍ଥାନ ହାଇକୋର୍ଟ ଜାମିନ ଦେଇଛନ୍ତି । ସେ ବାହାଘର ପାଇଁ ୧୦ଦିନିଆ ଜାମିନ ପାଇଛନ୍ତି । ଆସନ୍ତା ୧୬ ତାରିଖରେ ତାଙ୍କ ବାହାଘର । ସେ ୨୧ ତାରିଖରେ ପୁଣି କୋର୍ଟରେ ଆତ୍ମସମର୍ପଣ କରିବେ । ଏହାର ଅର୍ଥ ପିଙ୍କି ବାହାଘର ପାଇଁ ନିଜର ଘରକୁ ତ ଯିବେ, ହେଲେ ବାହାଘରର ମାତ୍ର କିଛି ଦିନ ପରେ ପୁଣିଥରେ ଜେଲକୁ ଫେରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଜେଲରୁ ବାହାରି ପିଙ୍କି ଜଣେ ଜଜଙ୍କୁ ବିବାହ କରିବେ । ଦୀର୍ଘଦିନ ହେଲା ପିଙ୍କ ଓ ଉକ୍ତ ଜଜ୍ ପରସ୍ପରକୁ ଭଲ ପାଉଥିଲେ ବୋଲି ଜଣାପଡ଼ିଛି । ହାଇକୋର୍ଟ ପିଙ୍କିଙ୍କ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି, ୨୧ ଫେବୃଆରୀରେ ତାଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ପଡ଼ିବ । ମାମଲାର ଶୁଣାଣି ୨୨ ତାରିଖରେ କରାଯିବ । ଜାମିନର ଶୁଣାଣି ବେଳେ ଏହାକୁ ସରକାରୀ ଓକିଲ ବିରୋଧ କରିଥିଲେ । ସେ କହିଥିଲେ ଯେ ପିଙ୍କି ଜାମିନରେ ଗଲେ ତଦନ୍ତ କାର୍ଯ୍ୟ ପ୍ରଭାବିତ ହୋଇପାରେ । ତେବେ କୋର୍ଟ ପିଙ୍କିଙ୍କୁ ୧୦ ଦିନିର ଜାମିନ ଦେଇଛନ୍ତି । ପିଙ୍କିଙ୍କ ବିବାହ ରାଜସ୍ଥାନ ନ୍ୟାୟିକ ସେବା(ଆରଜେଏସ)ର ଅଧିକାରୀ ଅର୍ଥାତ ଜଣେ ଜଜଙ୍କ ସହ ହେଉଛି । ୧୨ ଫେବୃଆରୀରୁ ବିବାହ ରୀତିନୀତି ହେବ ଓ ୧୬ରେ ହାତଗଣ୍ଠି ପଡ଼ିବ । ପିଙ୍କି ମୀନାଙ୍କ ଘର ଚୌମୁର ଚିଥବାଡି ଗାଁରେ । ସରକାରୀ ସ୍କୁଲରେ ପାଠପଢ଼ା ଶେଷ କରିଥିବା ପିଙ୍କିଙ୍କ ବାପା ଜଣେ ଚାଷୀ । ସେ ପ୍ରଥମ ଉଦ୍ୟମରେ ହିଁ ଆରଏଏସ୍ ପରୀକ୍ଷାରେ ପାସ୍ କରିଥିଲେ । କିନ୍ତୁ ତାଙ୍କ ବୟସ ସେତେବେଳେ ୨୧ ଥିବାରୁ ସେ ଇଣ୍ଟରଭ୍ୟୁ ଦେଇ ପାରି ନଥିଲେ । ୨୦୧୬ରେ ସେ ପୁଣିଥରେ ମେରିଟ ସହ ପାସ୍ କରିଥିଲେ । ଜାନୁଆରୀ ୧୫ରେ ପିଙ୍କି ଦିଲ୍ଲୀ -ମୁମ୍ବାଇ ଏକ୍ସପ୍ରେସ ୱେ ନିର୍ମାଣ କରୁଥିବା କମ୍ପାନୀର ପ୍ରତିନିଧିଙ୍କ ଠାରୁ ପିଙ୍କି ୧୦ ଲକ୍ଷ ଟଙ୍କାର ଲାଞ୍ଚ ମାଗୁ ଥିବା ବେଳେ ଗିରଫ ହୋଇଥିଲେ । ଗିରଫ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ସେହିପରି ତାଙ୍କୁ ଜେଲକୁ ମଧ୍ୟ ପଠାଇ ଦିଆଯାଇଥିଲା ।

Leave A Reply

Your email address will not be published.