ହାଇଟେକ୍‌ ଜମାକାରୀ ପାଇବେ ୮୦ କୋଟି ଟଙ୍କା

0 54

କଟକ୧୨/୨: ଚିଟ୍‌ଫଣ୍ଡ ଠକେଇରେ ନିଜ ଟଙ୍କା ହରାଇଥିବା ହାଇଟେକ୍‌ ଗ୍ରୁପ୍‌ର ଜମାକାରୀମାନେ ସେମାନଙ୍କର ଜମା ରାଶି ଖୁବ୍‌‌ଶୀଘ୍ର ଫେରିପାଇବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗ ପକ୍ଷରୁ ବ୍ଲୁ’ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଟଙ୍କା ଫେରସ୍ତ ପାଇଁ ଆବେଦନକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିବେ । ଏଥିପାଇଁ ୱେବ୍‌ସାଇଟ୍‌ ପ୍ରସ୍ତୁତ ହୋଇଛି, ସୂଚନା ପାଇଁ ବିଜ୍ଞାପନ ବି’ ଚୂଡାନ୍ତ କରାଯାଇଛି । କେବଳ ସରକାରଙ୍କ ଘୋଷଣା ବାକି । ଏହି ପ୍ରକ୍ରିୟାରେ ହାଇଟେକ୍‌ ଗ୍ରୁପ୍‌ର ପ୍ରାୟ ୮୦ କୋଟି ଟଙ୍କା ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ । ଅର୍ଥ ବିଭାଗ ଏବଂ ଚିଟ୍‌ଫଣ୍ଡ ସ୍ୱତନ୍ତ୍ର ଅଧିକାରୀ ତଥା କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ହାଇଟେକ୍‌ ଗ୍ରୁପ୍‌ର ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କୁ ସୁପ୍ରିମ୍‌କୋର୍ଟ ୨୦୧୪ ଫେବ୍ରୁଆରୀରେ ଜାମିନ୍‌ ପ୍ରଦାନ କରିଥିଲେ । ଜାମିନ୍‌ ପାଇଁ ତିରୁପତି ପାଣିଗ୍ରାହୀ ସାଢେ ୬୩ କୋଟି ଟଙ୍କା ଜମା କରିବେ ବୋଲି ସୁପ୍ରିମ୍‌କୋର୍ଟ ସର୍ତ୍ତାରୋପ କରିଥିଲେ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଶ୍ରୀ ପାଣିଗ୍ରାହୀ ଏକାଧିକ ପର୍ଯ୍ୟାୟରେ ସମସ୍ତ ଅର୍ଥ ଜମା କରି ଜାମିନ୍‌ରେ ମୁକୁଳିଥିଲେ । ପରେ ଏହି ଜମା ଅର୍ଥ ହାଇଟେକ୍‌ ଗ୍ରୁପ୍‌ର ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ଲାଗି କୁହାଯାଇଥିଲା । ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ଚିଟ୍‌ଫଣ୍ଡ ସ୍ୱତନ୍ତ୍ର ଅଦାଲତ ଏହି ସମସ୍ତ ଅର୍ଥ ହାଇଟେକ୍‌ର ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ବ୍ୟାଙ୍କ୍‌ରେ ଜମା ଥିବା ଏହି ଅର୍ଥ ୮୦ କୋଟି ଛୁଇଁଲାଣି । କିନ୍ତୁ ଦୀର୍ଘ ବର୍ଷ ଧରି ଜମାକାରୀଙ୍କ ମଧ୍ୟରେ ଏହି ଅର୍ଥ ବଣ୍ଟାଯାଇ ପାରୁନଥିଲା । କିଛି ଦିନ ତଳେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ, କଟକ ଚିଟ୍‌ଫଣ୍ଡ ସ୍ୱତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଅର୍ଥ ଫେରସ୍ତ ପ୍ରକ୍ରିୟା ସଂପର୍କରେ ଆଲୋଚନା କରାଯାଇଥିଲା । ଯେଉଁ ଜମାକାରୀମାନେ ହାଇଟେକ୍‌ ଇଷ୍ଟେଟ୍‌ ଆଣ୍ଡ ପ୍ରମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏମ୍‌/ଏସ୍‌ ରାଜଧାନୀ ସିଷ୍ଟମ ଆଣ୍ଡ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ୍‌-୨, ଭାଗ୍ୟ ନଗର, କୁଞ୍ଜ ବିହାର, ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍‌ରେ ପ୍ଲଟ୍‌ ପାଇବା ଲାଗି ଅର୍ଥ ଜମା କରିଥିଲେ ସେହିମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁମାନେ କି’ ହାଇଟେକ୍‌ ଗ୍ରୁପ୍‌ ପକ୍ଷରୁ ନା’ ଅର୍ଥ ଫେରସ୍ତ ପାଇଛନ୍ତି ନା’ ସେମାନଙ୍କ ଅର୍ଥ ବଦଳରେ ପ୍ଲଟ୍‌ ପାଇଛନ୍ତି ।ସେହିପରି ଟଙ୍କା ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଜମାକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଡବ୍ଲୁଡବ୍ଲୁଡବ୍ଲୁ.ଓପିଆଇଡି.ଓଡିଶା.ଜିଓଭି.ଇନ୍‌ରେ ଜମାକାରୀମାନେ ଆବେଦନ କରିବେ । ସେମାନଙ୍କ ସମସ୍ତ ଡକ୍ୟୁମେଣ୍ଟ ଯଥା ସେମାନଙ୍କ ନାଁ, ଠିକଣା, ପାସ୍‌ ବୁକ୍‌, ଆକାଉଣ୍ଟ ନମ୍ବର, ଆଇଏଫ୍‌ସି କୋଡ୍‌, ଜମା କରିଥିବାର ରସିଦ୍‌ ଏହି ୱେବ୍‌ସାଇଟ୍‌ରେ ଦାଖଲ କରିବେ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯିବ । ଏହି ସମୟସୀମା ବାହାରେ ଆବେଦନ କଲେ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରାଯିବ ନାହିଁ । ଆବଶ୍ୟକସ୍ଥଳେ ଜମାକାରୀଙ୍କ ଜମା ଅର୍ଥକୁ ନେଇ ଇନ୍‌କମ୍‌ ଟ୍ୟାକ୍ସ ବିଭାଗ ଦ୍ୱାରା ଯାଞ୍ଚ ମଧ୍ୟ କରାଯାଇପାରେ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ଏନେଇ ଖୁବ୍‌ଶୀଘ୍ର ଅର୍ଥ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବାକୁ ଯାଉଛି । ଏହି ବିଜ୍ଞାପନ ଜରିଆରେ ଅର୍ଥ ବିଭାଗ ଆବେଦନକାରୀଙ୍କ ପାଇଁ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.