ବଳିନପଡ଼ୁ ରାଜ୍ୟର ସ୍ୱାର୍ଥ

0 69

ମାଟି ଆଗ ନା ପାର୍ଟି ଆଗ? ଯାହା ଦେଖାଯାଉଛି ରାଜନୈତିକ ବ୍ୟକ୍ତିବିଶେଷମାନେ ମାଟି ଅପେକ୍ଷା ପାର୍ଟି ତଥା ନିଜ ସ୍ୱାର୍ଥକୁ ଆଗ ଦୃଷ୍ଟି ଦେଉଛନ୍ତି । ଯଦି ଏହା ହେଉନଥାନ୍ତା ତେବେ ଆମ ରାଜ୍ୟର କୋଟିଆ ସମେତ ଗଜପତି ଜିଲ୍ଲାର କେତେକ ଅଞ୍ଚଳ ଓ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ଆନ୍ଧ୍ର ନିର୍ବାଚନ କରିବାକୁ ସତ୍ସାହସ କରିନଥାନ୍ତା । ଆମର ରାଜନୈତିକ ଗୋଷ୍ଠୀକନ୍ଦଳର ଫାଇଦା ନେଇ ଆନ୍ଧ୍ର ସେଠାରେ ନିର୍ବାଚନ କରିବାକୁ ସକ୍ଷମ ହୋଇଛି । ଆମର ଅପାରଗତା ଯେ ଏଥିପାଇଁ ଦାୟୀ ଏକଥା ଆମକୁ ମାନିବାକୁ ହିଁ ପଡ଼ିବ । ସେଠାରେ ନିର୍ବାଚିତ ପ୍ରତିନିଧିମାନେ ସ୍ଥାନୀୟ ଲୋକଙ୍କ ପ୍ରତି ଅବହେଳା ଯେ କରିଛନ୍ତି ଏକଥା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି । ଯଦି ଆମର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାନ୍ତା ତେବେ ଆମ ଲୋକମାନେ କେବେହେଲେ ପ୍ରଲୋଭନର ବଶବର୍ତ୍ତୀ ହୋଇନଥାନ୍ତେ । ଲୋକମାନେ ଯେ ସେଠାରେ ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି ଏକଥା ନିଶ୍ଚିନ୍ତ ଯେ କୁହାଯାଇପାରେ ଯାହାର ଫାଇଦା ନେଇଛି ଆନ୍ଧ୍ର ସରକାର । ଅବଶ୍ୟ ରାଜ୍ୟ ସରକାର କୋଟିଆ ନେଇ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଏବଂ ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମ୍କୋର୍ଟରେ ରାୟ ଯେ କ’ଣ ହେବ ତାହା ତ ଆଗାମୀ ଦିନରେ ଜଣାପଡ଼ିବ । ମାତ୍ର ଯେଉଁ ନିର୍ବାଚିତ ପ୍ରତିନିଧିମାନେ ଲୋକଙ୍କ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଛନ୍ତି ସେମାନଙ୍କ ପାଇଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଖାଲି ନିର୍ବାଚିତ ପ୍ରତିନିଧି ନୁହଁନ୍ତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏଥିପାଇଁ ବିଶେଷଭାବେ ଦାୟୀ । ସେଠାରେ ଜିଲ୍ଲାପାଳ କରୁଥିଲେ କ’ଣ? ଏହା ତ ଗୋଟିଏ ଦିନର କଥା ନୁହେଁ । ଅନେକ ଦିନ ଧରି କିଭଳି କୋଟିଆ ଗ୍ରାମପୁଞ୍ଜକୁ ନିଜ ହାତକୁ ନେବ ବୋଲି ଆନ୍ଧ୍ର ବହୁଦିନ ହେଲାଣି ତା’ର ପ୍ରୟାସ ଜାରି ରଖିଛି ଏବଂ ଶେଷରେ ସଫଳ ମଧ୍ୟ ହୋଇଛି । ଆଉ ଗୋଟେ କଥା ବିଚାରକୁ ନିଆଯାଉ । ଏନ୍ଏମ୍ ବାଇଲୋ ଚିଠା ଅଧିନିୟମକୁ ନେଇ ଏବେ ବିବାଦ ଜୋର୍ ଧରିଛି । ସମସ୍ତ ମନ୍ଦିରର ୧୦୦ ମିଟର ପରିସର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏପରିକି ମନ୍ଦିର ଠାରୁ ୨୦୦ ମିଟର ଦୂର ଅଞ୍ଚଳରେ କୌଣସି ନିର୍ମାଣ କିମ୍ବା ମରାମତି କାର୍ଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଏହି ଅଧିନିୟମକୁ ନେଇ ଶ୍ରୀକ୍ଷେତ୍ରର ସେବାୟତଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମସ୍ତ ରାଜନୈତିକ ଦଳ ଉଦ୍ବେଗ ପ୍ରକାଶ କରିବା ସହ ଜୋର୍ଦାର ବିରୋଧ କରିଥିଲେ । ଯାହାଫଳରେ ଶ୍ରୀକ୍ଷେତ୍ରରୁ ଏହି ଅଧିନିୟମକୁ ପ୍ରତ୍ୟହାର କରିନେଲେ କେନ୍ଦ୍ର ସରକାର । ମାତ୍ର ଏକାମ୍ର କ୍ଷେତ୍ର ସମେତ ଅନ୍ୟ ମନ୍ଦିରରେ ଏହାକୁ ହଟାଇବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଗତକାଲି ତୁରନ୍ତ ଏହି ଅଧିନିୟମକୁ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂହଙ୍କୁ ଚିଠି ଲେଖିଛନ୍ତି । କ’ଣ ହେବ ଏହି ଅଧିନିୟମର ରୂପରେଖ ଏହା ହଟିବ ନା ରହିବ ତାକୁ ନେଇ ଏବେ ଅନିଶ୍ଚିତତା ଲାଗିରହିଛି । ଖାଲି ଅନିଶ୍ଚିତତା ନୁହେଁ ରାଜନୈତିକ ବୟାନବାଜି ମଧ୍ୟ ଜୋର୍ ଧରିଛି । ବିଜେପିର ୩ ସାଂସଦଙ୍କ କଥାରେ ତାଳମେଳ ରହୁନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅଧିନିୟମକୁ ବିସ୍ତୃତ ଭାବରେ ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏପରିକି ପ୍ରତ୍ୟେକ ପଏଣ୍ଟକୁ ସମୀକ୍ଷା ସହ ଯାହା ଆପତ୍ତି ରହିଛି ତାହା କେନ୍ଦ୍ର ସଂସ୍କୃତିକମନ୍ତ୍ରୀଙ୍କୁ ଜଣାଇବା ପାଇଁ କହିଥିଲେ । ଆଉ ପାଦେ ଆଗକୁ ଯାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଅମଲାଙ୍କ ତ୍ରୁଟି ଯୋଗୁଁ ଏପରି ହେଉଛି । କିଛି ଚିନ୍ତା କରିବାର ନାହିଁ । ଖୁବ୍ଶୀଘ୍ର ଏହି ବାଇଲ ପ୍ରତ୍ୟାହାର ହେଲା ବୋଲି ଧରିନିଆଯାଉ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ ବିବାଦୀୟ ବୟାନ ଦେଇଛନ୍ତି ଖୋଦ୍ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ଏହି ବାଇ ଲ’ ପ୍ରତ୍ୟାହାରର କୌଣସି ପ୍ରାସଙ୍ଗିକତା ନାହିଁ । ଏହି ବାଇ ଲ’ ଲୋକଙ୍କ ସୁବିଧା ପାଇଁ । ଗୋଟିଏ ଦଳର ୩ ସାଂସଦଙ୍କ ଏଭଳି ଭିନ୍ନ ଭିନ୍ନ ମତ ଏବଂ ବୟାନ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.