ପଞ୍ଜାବ ପୌର ନିର୍ବାଚନରେ ବିଜେପି ମୂଳପୋଛ

0 63

ଅମୃତସର, ୧୭ ।୨: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ମହଙ୍ଗା ପଡ଼ିଛି । ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ପଞ୍ଜାବରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେପି ଏକ ପ୍ରକାରର ମୂଳପୋଛ ହୋଇ ଯାଇଛି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି କଂଗ୍ରେସ ପୌର ନିର୍ବାଚନରେ କ୍ଲିନ ସୁଇପ କରିଛି । ପଞ୍ଜାବର ୮ଟି ମହାନଗର ନିଗମରୁ କଂଗ୍ରେସ ୭ଟିରେ ବାଜିମାତ କରିଛି । ସେହିପରି ମୋହାଲି ମହାନଗର ନିଗମ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ । କଂଗ୍ରେସ ମୋଗା, ହୋଶିଆରପୁର, କାପୁରଥାଲା, ଅବୋହର, ପଠାନକୋଟ, ବାଟଲା ଓ ବଥିଣ୍ଡାରେ ବାଜିମାତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଥିଣ୍ଡାରେ କଂଗ୍ରେସ ୫୩ ବର୍ଷ ପରେ ଜିତିବାକୁ ସକ୍ଷମ ହୋଇଛି । ୫୩ ବର୍ଷ ପରେ ଏଠାରେ କଂଗ୍ରେସ ମେୟର କାର୍ଯ୍ୟ କରିବା ଆରମ୍ଭ କରିବେ । ବଥିଣ୍ଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ହେଉଛନ୍ତି, ଶିରୋମଣି ଅକାଳୀ ଦଳର ହରସିମରତ ବାଦଲ । ଶିରୋମଣି ଦୀର୍ଘ ବର୍ଷ ହେଲାଣି ବିଜେପି ସହ ରହିଥିଲା । ହେଲେ କୃଷି ଆଇନକୁ ବିରୋଧ କରି ଦଳ ବିଜେପିକୁ ବାଏବାଏ କହିଛନ୍ତି । ବାଦଲ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବଥିଣ୍ଡା ସହରାଞ୍ଚଳ ବିଧାନସଭା ଆସନରେ କିନ୍ତୁ କଂଗ୍ରେସ ଜିତିଥିଲା । ଏଠାରୁ ଜିତିଥିବା ମନପ୍ରୀତ ସିଂହ ବାଦଲ ରାଜ୍ୟର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି, ଆଜି ଇତିହାସ ସୃଷ୍ଟି ହୋଇଛି । ୫୩ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବଥିଣ୍ଡାରେ କଂଗ୍ରେସ ମେୟର ହେବେ । ବଥିଣ୍ଡାର ସବୁ ଲୋକଙ୍କୁ ଧନ୍ୟବାଦ । ଐତିହାସିକ ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ବୋଲି ସେ ଟ୍ୱିଟ କରିଛନ୍ତି । ଅନ୍ୟପକ୍ଷରେ ୧୦୯ଟି ପୌର ସଂସ୍ଥା ମଧ୍ୟରୁ ଏଯାଏ କଂଗ୍ରେସ ୬୫ରେ ଜିତିଥିବା ବେଳେ ଶିରୋମଣି ୫ଟି ଓ ଅନ୍ୟାନ୍ୟ ଦଳ ୧୦ଟିରେ ଜିତିଛନ୍ତି । ବିଜେପି ଏଠାରେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ । ଫେବୃଆରୀ ୧୪ରେ ୭ଟି ମହାନଗର ନିଗମ ଓ ୧୦୯ ପୌର ସଂସ୍ଥା ପାଇଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ମୋଟ ୯,୨୨୨ ଜଣ ପ୍ରାର୍ଥୀ ରହିଥିଲେ । ଏମାନଙ୍କ ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ୨,୮୩୨ ରହିଥିବା ବେଳେ କଂଗ୍ରେସ ୨୦୩୭ ଜଣଙ୍କୁ ଲଢ଼େଇ ମୈଦାନକୁ ଓହ୍ଲାଇଥିଲା । କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଯୋଗୁ ବ୍ୟାକଫୁଟରେ ଥିବା ବିଜେପି ମାତ୍ର ୧୦୦୩ ଜଣ ପ୍ରାର୍ଥୀ ଛିଡ଼ା କରିଥିଲା । ଶିରୋମଣି ଅକାଳୀ ଦଳ ମଧ୍ୟ ୧୫୬୯ ଜଣଙ୍କୁ ଲଢ଼େଇ ମୈଦାନକୁ ଛାଡ଼ିଥିଲା ।

Leave A Reply

Your email address will not be published.