ସାମ୍ବାଦିକ ପ୍ରିୟା ଦୋଷମୁକ୍ତ

0 69

ନୂଆଦିଲ୍ଲୀ, ୧୭ ।୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବର ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ରୁଜୁ କରିଥିବା ଅପରାଧିକ ମାନହାନୀ ମାମଲାକୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଖାରଜ କରି ଦେଇଛନ୍ତି । ଏମଜେ ଆକବର ଆଣିଥିବା ଅଭିଯୋଗର କୌଣସି ପ୍ରମାଣ ନଥିବାରୁ ପ୍ରିୟାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ୨୦୧୮ରେ ମିଠୁ ଅଭିଯାନ ଚାଲିଥିବା ବେଳେ ପ୍ରିୟା ସୋଶିଆଲ ମିଡିଆରେ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ । ସେତେବେଳେ ଏମଜେ ଆକବର କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ । ବିବାଦ ଯୋଗୁ ତାଙ୍କ ମନ୍ତ୍ରୀ ପଦ ମଧ୍ୟ ଯାଇଥିଲା । ତେବେ ପ୍ରିୟା ଆଣିଥିବା ଅଭିଯୋଗକୁ ବିରୋଧ କରି ଆକବର ତାଙ୍କ ନାଁରେ ଅପରାଧିକ ମାନହାନୀ ମାମଲା କରିଥିଲେ । ଆକବର ଆବେଦନରେ କହିଥିଲେ ଯେ ପ୍ରିୟା ରମାନି ମିଥ୍ୟା ଅଭିଯୋଗ ଆଣି ତାଙ୍କ ସାମାଜିକ ଛବିକୁ ଖରାପ କରିଛନ୍ତି । ତେବେ ପ୍ରିୟା ୨୦୧୭ରେ ଗୋଟିଏ ସ୍ତମ୍ଭ ଓ ୨୦୧୮ରେ ଗୋଟିଏ ଟ୍ୱିଟ କରି ଆକବର ତାଙ୍କ ସହ କ’ଣ କରିଥିଲେ, ସେ କଥା କହିଥିଲେ । ଆଜି କୋର୍ଟ କହିଛନ୍ତି, ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳା ସ୍ୱର ଉଠାଇଲେ, ତାଙ୍କୁ ଦଣ୍ଡ ଦିଆଯାଇ ପାରିବ ନାହିଁ । ଭାରତୀୟ ସମ୍ବିଧାନ ମହିଳାମାନଙ୍କୁ ସେମାନଙ୍କ ସହ ଘଟିଥିବା ଘଟଣାକୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଉଠାଇ ପାରିବାର ଅଧିକାର ଦେଇଛି । ଅଧିକାଂଶ ଯୌନ ନିର୍ଯାତନା ସମସ୍ତଙ୍କ ନଜର ଆଢ଼ୁଆଳରେ ହେଉଛି ବୋଲି ଆମକୁ ମନେ ରଖିବାକୁ ପଡ଼ିବ । ମର୍ଯ୍ୟାଦା ଓ ଚରିତ୍ର ସଂହାର କରାଯାଉଥିବାରୁ ଅଧିକାଂଶ ମହିଳା ସେମାନଙ୍କ ସହ ଘଟିଥିବା ଘଟଣା ବିରୋଧରେ ସ୍ୱର ଉଠାଇ ପାରୁନାହାନ୍ତି । ୨୦୧୮ରେ ପ୍ରିୟା ଗୋଟିଏ ନ୍ୟୁଜ ପେପରରେ ସ୍ତମ୍ଭ ଲେଖି ଏମଜେ ଆକବର ତାଙ୍କ ସହ ୨୦ ବର୍ଷ ତଳେ କ’ଣ କରିଥିଲେ ଓ କେମିତି ଯୌନ ନିର୍ଯାତନା ଦେଇଥିଲେ, ସେକଥା ସମସ୍ତଙ୍କୁ ଜଣାଇଥିଲେ । ଆକବର ଏସିଆନ ଏଜର ମୁଖ୍ୟ ଥିବା ବେଳେ ପ୍ରିୟାଙ୍କୁ ଇଣ୍ଟରଭ୍ୟୁ ପାଇଁ ହୋଟେଲ ବେଡ୍ରୁମକୁ ଡାକିଥିଲେ ଓ ଅଭଦ୍ର ବ୍ୟବହାର କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । କେବଳ ପ୍ରିୟା ନୁହେଁ, ଏକାଧିକ ମହିଳା ମଧ୍ୟ ଆକବରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ମୋଦି ସରକାରରେ ମନ୍ତ୍ରୀ ଥିବା ଆକବର ୨୦୧୮ ଅକ୍ଟୋବର ମାସରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ଦୁଇଦିନ ପରେ ଅର୍ଥାତ ଅକ୍ଟୋବର ୧୭ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.