ମୁସଲମାନଙ୍କୁ ଭାରତଠୁ ଭଲ ଦେଶ ମିଳିବନି

0 74

ଉଦୟପୁର, ୧୭ ।୨ : ବିହାର ସରକାରରେ ଉଦ୍ୟୋଗ ମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶାହାନବାଜ ହୁସେନ ଦେଶରେ ମୁସଲମାନଙ୍କ ସୁରକ୍ଷାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦେଶର ମୁସଲମାନ ସମ୍ପୂର୍ଣ୍ଣ ସୁରକ୍ଷିତ । ଯଦି କିଏ ନିଜକୁ ଅସୁରକ୍ଷିତ ମନେକରୁଛି ତାହେଲେ ଜଣାଉ । ସେହି ମୁସଲମାନର ସୁରକ୍ଷା ଗ୍ୟାରେଣ୍ଟି ସେ ସ୍ୱୟଂ ଦେବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ହିନ୍ଦୁସ୍ଥାନରୁ ଭଲ ଦେଶ, ହିନ୍ଦୁଙ୍କ ଠାରୁ ଭଲ ବନ୍ଧୁ ଓ ମୋଦିଙ୍କ ଠାରୁ ଭଲ ନେତା ମୁସଲମାନଙ୍କୁ ମିଳିବନି । କାରଣ ଭାରତର ମୁସଲମାନ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଖୁସି । କିନ୍ତୁ ଅନ୍ୟ ଇସ୍ଲାମିକ ଦେଶରେ ମୁସଲମାନଙ୍କ ସ୍ଥିତି ଭଲ ନାହିଁ । ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶାହାନବାଜ ଉଦୟପୁର ଯାଇଥିଲେ । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଉଦ୍ୟୋଗ କ୍ଷେତ୍ରକୁ ଆହୁରି ଉତ୍ତତ କରାଇବା ତାଙ୍କର ପ୍ରାଥମିକତା । ତେବେ ଏହାକୁ ସେ ଚ୍ୟାଲେଞ୍ଜିଙ୍ଗ୍ କାର୍ଯ୍ୟ ବୋଲି କହିଛନ୍ତି । ସେ ସଠିକ ଭାବେ କାମ କରିପାରିବେ ବୋଲି ସେହି ବିଶ୍ୱାସରେ ଦଳ ତାଙ୍କୁ ସବୁବେଳେ କଠିନ କାମ ଦେଇଥାଏ ବୋଲି ସେ କହିଛନ୍ତି । ସେ କହିଥିଲେ ଯେ କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ପଦ୍ମ ଫୁଟେଇବା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା ଓ ସେ କାଶ୍ମୀର ଘାଟିରେ ପଦ୍ମ ଫୁଟାଇ ନିଜ ଦାୟିତ୍ୱ ତୁଲାଇଛନ୍ତି । କୃଷକ ଆନ୍ଦୋଳନକୁ ନେଇ ଶାହନବାଜ କହିଛନ୍ତି ଯେଉଁଭଳି କୃଷକ ଆନ୍ଦୋଳନ ନାଁରେ ଯେଉଁଭଳି ହିଂସା ହୋଇଛି ତାହା କୃଷକ କରିନାହାନ୍ତି । ସରକାରଙ୍କ ସହ କୃଷକଙ୍କର ମନାନ୍ତର ନାହିଁ । ଦେଶକୁ ବଦନାମ କରିବାକୁ ଏହା ଷଡଯନ୍ତ୍ର ବୋଲି ସେ କହିଥିଲେ । କଂଗ୍ରେସର ଦୁର୍ଭାଗ୍ୟ ଯେ ସେ ଶାସନକୁ ଆସୁନାହିଁ ଏବଂ ମଜବୁତ ବିରୋଧୀ ଭୂମିକା ନେବାରେ ମଧ୍ୟ କଂଗ୍ରେସ ବିଫଳ । ସେ ରାଜସ୍ଥାନ କଂଗ୍ରେସ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ହୋର୍ଡ଼ିଂଗ ଲଗାଇବା ପରିବର୍ତ୍ତେ ସରକାର ଯଦି ହ୍ରଦମାନଙ୍କର ସଂରକ୍ଷଣ ପାଇଁ କାମ କରିଥାନ୍ତେ ତାହେଲେ ଭଲ ହୋଇଥାନ୍ତା ।

Leave A Reply

Your email address will not be published.