ସେଞ୍ଚୁରୀ ଟପିଲା ପେଟ୍ରୋଲ ଦର

0 69

ନୂଆଦିଲ୍ଲୀ, ୧୭ ।୨: ତୈଳ ଦରବୃଦ୍ଧି ଥମିବାର ନାଁ ଧରୁନି । ଆଜି କ୍ରମାଗତ ୯ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୮୯.୫୪ ଟଙ୍କା ରହିଥିବା ବେଳେ ଡିଜେଲର ଲିଟର ପିଛା ଦର ୭୯.୯୫ ଟଙ୍କା ହୋଇଯାଇଛି । ତେବେ ପ୍ରିମିୟମ ପରେ ଏବେ ରାଜସ୍ଥାନରେ ସାଧାରଣ ପେଟ୍ରୋଲର ଲିଟର ପିଛା ଦାମ ମଧ୍ୟ ୧୦୦ ଟଙ୍କା ପାର କରିଛି । ଆଜି ରାଜ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦାମ ୨୫ ପଇସା ଲେଖାଏ ବୃଦ୍ଧି ପାଇବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । କେବଳ ରାଜସ୍ଥାନ ନୁହେଁ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ମଧ୍ୟ ପ୍ରିମିୟମ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ପାର କରିଥିଲା । ହେଲେ ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ ପ୍ରଥମଥର ପାଇଁ ସାଧାରଣ ପେଟ୍ରୋଲର ଲିଟର ପିଛା ଦାମ ୧୦୦.୧୩ ଛୁଇଁଛି । ଆଜି ସକାଳ ୬ରୁ ଏହି ଦର ଦେଖି ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି । ଗତ ମାସରେ ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟକୁ ୨% ହ୍ରାସ କରିଥିଲେ । ତଥାପି ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଶ୍ରୀଗଙ୍ଗାନଗରରେ ଆଜି ଡିଜେଲର ଲିଟର ପିଛା ଦର ୯୨.୧୩ ଟଙ୍କା ରହିଛି । ଅନ୍ୟପକ୍ଷରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୬ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲର ଲିଟର ପିଛା ଦାମ ୮୬.୯୮ ଟଙ୍କା ରହିଛି । ମଧ୍ୟପ୍ରଦେଶର ଅନୁପୁରରେ ପେଟ୍ରୋଲର ଲିଟର ପିଛା ଦର ୯୯.୯୦ ଟଙ୍କା ଓ ଡିଜେଲ ଲିଟର ପିଛା ୯୦.୩୫ ଟଙ୍କାରେ ବିକ୍ରି କରାଯାଉଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବ୍ରାଣ୍ଡେଣ୍ଡ ପେଟ୍ରୋଲର ଲିଟର ପିଛା ଦର ୧୦୨.୯୧ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୫.୭୯ ଟଙ୍କା ରହିଛି । ଦିଲ୍ଲୀରେ ପ୍ରିମିୟମ ପେଟ୍ରୋଲର ଲିଟର ପିଛା ଦର ୯୨.୩୭ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୮୩.୨୪ ଟଙ୍କା ରହିଛି । ଭୁବନେଶ୍ୱରର ମଧ୍ୟ ପେଟ୍ରୋଲର ଲିଟର ପିଛା ଦର ଆଜି ୨୫ ପଇସା ମହଙ୍ଗା ହୋଇଛି । ଫଳରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦର ୯୦.୨୫ ଟଙ୍କାରେ ପହଞ୍ଚିଯାଇଛି । ସେହିପରି ଡିଜେଲର ଲିଟର ପିଛା ଦର ୨୭ ପଇସା ମହଙ୍ଗା ହୋଇଛି । ନୂଆ ଦର ପରେ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୮୭.୧୨ ଟଙ୍କା ଛୁଇଁଛି ।

Leave A Reply

Your email address will not be published.