ସକରାତ୍ମକ ହେଉ ଅଧିବେଶନ

0 69

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ । ଗତ ଅଧିବେଶନରେ ପ୍ରଶ୍ନକାଳ ରହିନଥିଲା କିନ୍ତୁ ଚଳିତଥର ପ୍ରଶ୍ନକାଳ ସହିତ ତାରକା ପ୍ରଶ୍ନ ବି ପଚାରିପାରିବେ ବିଧାୟକ । ମୁଲତବୀ ପ୍ରସ୍ତାବ ମଧ୍ୟ ଦେଢ଼ଘଣ୍ଟା ଧରି ଚାଲିବ । ତେଣୁ ଆଶା କରାଯାଏ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଥର ସୁରୁଖୁରୁରେ ବିଧାନସଭା ଚାଲିବ ଯାହାକୁ ରାଜ୍ୟବାସୀ ଅନାଇ ବସିଛନ୍ତି । କୋଟିଆ ପ୍ରସଙ୍ଗ ଠାରୁ ଆରମ୍ଭ କରି ମହାନଦୀ, ଧାନ କ୍ରୟ ଓ ମଣ୍ଡି ସମସ୍ୟା, ଆଇନ୍ଶୃଙ୍ଖଳା ପରିସ୍ଥିତି ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇପାରେ । ଏହାଛଡ଼ା ରାଜ୍ୟର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାରୁ ତାହା କିଭଳି ପୁଣି ଟ୍ରାକ୍କୁ ଫେରିବ ସେଥିନେଇ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇପାରେ । ଶାସକ ଏବଂ ବିରୋଧୀ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରଖି ଅଯଥା ଅଧିବେଶନକୁ ବନ୍ଦ ନରଖିବା ପାଇଁ ରାଜ୍ୟବାସୀ ଆଶା ରଖିଛନ୍ତି । ଆଜି ତିନିଦଳ ଏଥିନେଇ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ ଶାସକ ଏବଂ ବିରୋଧୀ ପରସ୍ପର ମଧ୍ୟରେ ଆଲୋଚନା କରିବା ଆବଶ୍ୟକ । ଅଯଥା ଯୁକ୍ତିତର୍କ ଓ ହୋହାଲ୍ଲା ନକରି ଗୃହକୁ ବାରମ୍ବାର ମୁଲତବୀ କରିବା ଯୋଗୁଁ ଜନସାଧାରଣଙ୍କୁ ଭୁଲ୍ ବାର୍ତ୍ତା ଯାଉଛି । ଗୋଟିଏ ଗୋଟିଏ ଦିନରେ ଏହି ଅଧିବେଶନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଯାହା ସାଧାରଣ ଲୋକଙ୍କ ଟିକସ ପଇସା । ଏହାକୁ ଅଯଥାରେ ନଷ୍ଟ ନକରି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଉଭୟ ଶାସକ ଏବଂ ବିରୋଧର ଯତ୍ନବାନ୍ ହେବା ଆବଶ୍ୟକ । ଆମ ଦେଶ ହେଉଛି ଗଣତନ୍ତ୍ରର ଦେଶ । ସେମାନଙ୍କ ସମସ୍ୟାକୁ ଉପସ୍ଥାପିତ କରିବା ପାଇଁ ଲୋକେ ପ୍ରତିନିଧିଙ୍କୁ ଭୋଟ୍ ଦେଇ ସଂସଦ ଓ ବିଧାନସଭାକୁ ପଠାଇଥାନ୍ତି । ତେଣୁ ସେମାନଙ୍କ ସମସ୍ୟାକୁ ଗୃହରେ ଉପସ୍ଥାପନ କରି କିଭଳି ସେମାନେ ନ୍ୟାୟ ପାଇପାରିବେ ସେଥିପ୍ରତି ଜନପ୍ରତିନିଧିମାନେ ଯତ୍ନବାନ୍ ହେବା ଆବଶ୍ୟକ । ବାରମ୍ବାର ଦେଖାଯାଉଛି ଶାସକ ଏବଂ ବିରୋଧୀ ଦଳ ଗୋଟିଏ ଗୋଟିଏ ପ୍ରସଙ୍ଗ ନେଇ ଅଯଥାରେ ଗୃହକୁ ଚଳାଇ ଦେଉନାହାନ୍ତି ଯାହା ଆମ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି । ଆମ ରାଜ୍ୟର କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ର କବ୍ଜା କରିସାରିଲାଣି । ସେଠାରେ ସେ ନିର୍ବାଚନ କରିବା ସହ ସ୍କୁଲ ମଧ୍ୟ ଖୋଲିସାରିଲାଣି । ପିଲା ଏବଂ ଅଭିଭାବକମାନେ ପ୍ରଲୋଭନରେ ପଡ଼ି ସେଠାରେ ନାମ ମଧ୍ୟ ଲେଖିସାରିଲେଣି । ଏହାଠାରୁ ଲଜ୍ଜାକର ଘଟଣା ଆଉ କ’ଣ ବା ଥାଇପାରେ? ଆମ ଘର ଭିତରେ ଆସି ବାହାର ଲୋକ ଦଖଲ କରିବା ଠାରୁ ବଳି ଅପମାନ ଓ ଲଜ୍ଜାଜନକ ଘଟଣା ଆଉ କ’ଣ ବା ହୋଇପାରେ । ତେଣୁ ଏ ପ୍ରସଙ୍ଗ ବିଧାନସଭାରେ ଏ ପ୍ରସଙ୍ଗ ଉଠିବା ନିହାତି ଆବଶ୍ୟକ । ଶାସକ ଏବଂ ବିରୋଧୀ ଉଭୟ ସକାରାତ୍ମକ ଭାବେ ଏହା ଉପରେ ବିଚାରବିମର୍ଶ କିର ପଡ଼ୋଶୀ ରାଜ୍ୟର ଦାଦାଗିରିକୁ ଉଚିତ୍ ଜବାବ ଦେବା ପାଇଁ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । କୌଣସି ରାଜନୈତିକ ବାଦବିବାଦ ନକରି ଏ ଦିଗରେ ଉଚିତ୍ ପଦକ୍ଷେପ ନେବେବୋଲି ରାଜ୍ୟବାସୀ ଅନାଇ ବସିଛନ୍ତି । ସେହିପରି ଏନ୍ଏମ୍ଏ ବାଇ ଲ’ ନେଇ ଯେଉଁ ବିବାଦ ଦେଖାଦେଇଛି ତାହାର ମଧ୍ୟ ତୁରନ୍ତ ସମାଧାନ ହେବା ଆବଶ୍ୟକ । ଦୀର୍ଘଦିନ ପରେ ମନ୍ଦିର ଖୋଲିଥିବା ସମୟରେ ଏହି ନିୟମ ପୁଣି ସମସ୍ୟା ସୃଷ୍ଟି କରିଛି । ତେଣୁ ଏ ଦିଗରେ ମଧ୍ୟ ଗୃହରେ ଆପୋଷ ଆଲୋଚନା କରି ରାଜ୍ୟର ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରିବାର ଉଚିତ୍ ସମୟ । ସେହିପରି ମୁଣ୍ଡଝାଳ ତୁଣ୍ଡରେ ମାରି ଅଭାବୀ ବିକ୍ରିର ଶିକାର ହେଉଥିବା ଚାଷୀ ପ୍ରତି ମଧ୍ୟ ଉଚିତ୍ ନ୍ୟାୟ ମିଳିବା ନିହାତି ଦରକାର । ଏମ୍ଏସ୍ପି ଠାରୁ ଆରମ୍ଭ କରି ମଣ୍ଡି ସମସ୍ୟା ଉପରେ ମଧ୍ୟ ଆଲୋଚନା ହେବା ଆବଶ୍ୟକ । ସର୍ବୋପରି ଚଳିତ ବିଧାନସଭା ଅଧିବେଶନ ସକାରାତ୍ମକ ହେଉ ଏହା ସମଗ୍ର ଓଡ଼ିଶାବାସୀ ଅନାଇ ରହିଛନ୍ତି ।

Leave A Reply

Your email address will not be published.