ତେଲ ଦରବୃଦ୍ଧିକୁ ବିରୋଧ

0 73

ଇ-ସ୍କୁଟରରେ ନବାନ୍ନ ଗଲେ ମମତା

କୋଲକାତା,୨୫ ।୨: ଗୁରୁବାର ତେଲ ଦରକୁ ବିରୋଧ କରି କୋଲକାତାରେ ଇ-ସ୍କୁଟରରେ ଯାତ୍ରା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଇ-ସ୍କୁଟରରେ ବସିବା ବେଳେ ମମତା ହେଲମେଟ ପିନ୍ଧିବା ସହିତ ଏକ ପୋଷ୍ଟର ଘୋଡ଼େଇ ହୋଇ ବସିଥିଲେ । ମମତାଙ୍କ ଏହି ବାଇକ ରାଲି ହରିଶ ଚାଟାର୍ଜୀ ଷ୍ଟ୍ରିଟ ପାଖରୁ ଆରମ୍ଭ କରି ରାଜ୍ୟର ମୁଖ୍ୟ ସଚିବାଳୟ ନବାନ୍ନ ପର୍ଯ୍ୟନ୍ତ ଯାଇଥିଲା । ସଚିବାଳୟରେ ମମତା ପହଞ୍ଚିବା ପରେ ପେଟ୍ରୋଲ ଓ ଡିଜେଲ ଦରକୁ ବିରୋଧ କରି କେନ୍ଦ୍ର ବିରୋଧରେ ବର୍ଷିଥିଲେ । ତେଲ ଦର ବଢ଼ୁଥିବାରୁ ଦେଶ ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଉଛି । ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଦାୟୀ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ତେଲଦର ବୃଦ୍ଧିକୁ ନେଇ ଏବେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶାର ମାଲକାନଗିରି, ମଧ୍ୟପ୍ରଦେଶର ଭୋପାଲ ଆଦିରେ ତେଲ ଦର ଶତକ ମାରିସାରଲାଣି । ଅନ୍ୟସ୍ଥାନରେ ଶହେ ପାଖାପାଖି ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ଲିଟର ପିଛା ୯୦ଟଙ୍କାରୁ ଅଧିକ ହୋଇଛି । ତେଲ ଦର ବଢ଼ୁଥିବା ଦେଖି ପଶ୍ଚିମବଙ୍ଗ ସମେତ କିଛି କଂଗ୍ରେସ ଶାସିତ ରାଜ୍ୟ ରାଜ୍ୟ ସରକାର ନେଉଥିବା ଟିକସ କମାଇଛନ୍ତି । ହେଲେ କେନ୍ଦ୍ର ସରକାର ଏଯାବତ ଟିକସ କମାଇନଥିବା ଦେଖିବାକୁ ମିଳଛି । ଅନ୍ୟପଟେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଉପରେ ରାଜସ୍ୱ ଚାପ ରହିଛି । କୋଭିଡ ମହାମାରୀ ପାଇଁ ଅନେକ ରାଜସ୍ୱ ହାନୀ ହୋଇଛି । ଯାହାକି ସରକାରଙ୍କ ପାଇଁ ଏକ ବଡ଼ ଚାପ ପକାଇଛି । ଏହି ଚାପରୁ ଦେଶ ତଥା ଲୋକଙ୍କୁ କରୋନାରୁ ବାହାର କରିବା ପାଇଁ ସରକାରକୁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଶକ୍ତିକାନ୍ତ ଆହୁରି କହିଛନ୍ତି ଯେ ଏଭଳି ପରିସ୍ଥିତିରେ ରାଜସ୍ୱ ଏବଂ ସରକାରଙ୍କ ବାଧ୍ୟତାମୂଳକ ଆବଶ୍ୟକତା ସମ୍ପୂର୍ଣ୍ଣ ବୁଝାପଡୁଛି । କିନ୍ତୁ ସେହି ସମୟରେ ଏହା ବୁଝିବାର ଆବଶ୍ୟକତା ଅଛି ଯେ ଏହାର ମୁଦ୍ରାସ୍ଫୀତି ହାର ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଅଧିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉତ୍ପାଦନ ଖର୍ଚ୍ଚ ଉପରେ ପ୍ରଭାବ ପକାଇଥାଏ । ତେଣୁ ତେଲ ଦର କମାଇବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ରାଜସ୍ୱ କମାଇବା ଦରକାର ବୋଲି ଶକ୍ତିକାନ୍ତ କହିଛନ୍ତି ।

Leave A Reply

Your email address will not be published.