ଆତଙ୍କବାଦୀଙ୍କ ମୁକାବିଲା କରିବେ ମହିଳା କମାଣ୍ଡୋ

0 73

ଡେରାଡୁନ୍,୨୫ ।୨: ଉତ୍ତରାଖଣ୍ଡରେ ଏଣିକି ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅପରେସନରେ ସାମିଲ ହେବେ ମହିଳା କମାଣ୍ଡୋ । ପ୍ରଥମଥର ଉତ୍ତରାଖଣ୍ଡରେ ୨୨ ଜଣ ମହିଳା କମାଣ୍ଡୋଙ୍କୁ ନେଇ ଆତଙ୍କବାଦ ନିରୋଧ ସ୍କ୍ୱାଡ୍ ଗଠନ କରାଯାଇଛି । ଏହି ସ୍କ୍ୱାଡ୍ରେ କେବଳ ମହିଳା କମାଣ୍ଡୋମାନେ ରହିଛନ୍ତି । ସେମାନେ ବିଦ୍ରୋହୀଙ୍କ ବିରୋଧରେ ମଧ୍ୟ ପୁରୁଷ କମାଣ୍ଡୋଙ୍କ ଭଳି ଅପରେସନ କରିବେ । ମଙ୍ଗଳବାର ଉତ୍ତରାଖଣ୍ଡ ପୁଲିସ୍ ଏହି ମହିଳା ଆତଙ୍କବାଦ ନିରୋଧ ସ୍କ୍ୱାଡ୍(ଏଟିଏସ)କୁ ହରିଦ୍ୱାରର ମହାକୁମ୍ଭରେ ମୁତୟନ କରିଛି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ରମ ସିଂହ ରାୱତ କହିଛନ୍ତି, ଚତୁର୍ଥ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ କେବଳ ମହିଳା କମାଣ୍ଡୋ ରହିଥିବା ଏଟିଏସ୍ ଗଠନ କରିଛି । ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଏହା ମହିଳାଙ୍କୁ ଫୋର୍ସରେ ସାମିଲ ହେବାକୁ ପ୍ରେରଣା ଯୋଗାଇବ ଓ ଦେଶର ସେବା କରିବାକୁ ଉତ୍ସାହିତ କରିବ । ୨୦୧୮ରେ ପ୍ରଥମ ରାଜ୍ୟ ଭାବେ ଦିଲ୍ଲୀରେ ମହିଳା କମାଣ୍ଡୋଙ୍କୁ ନେଇ ଏଟିଏସ୍ ସ୍କ୍ୱାଡ୍ ଗଠନ କରାଯାଇଥିଲା । ଚଳିତ ମାସରେ କର୍ଣ୍ଣାଟକା ସମସ୍ତ ମହିଳା ଥିବା ଗରୁଡ଼ କମାଣ୍ଡୋଙ୍କ ଟ୍ରେନିଂ ମଧ୍ୟ ଆରମ୍ଭ କରିଛି । ଆତଙ୍କବାଦୀ ନିରୋଧ ୟୁନିଟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ରହିଛି । ଏହି ସ୍କ୍ୱାଡ୍ରେ ଥିବା ସଦସ୍ୟଙ୍କୁ ଘଞ୍ଚ ଜଙ୍ଗଲରେ ଅପରେସନ୍, ବିଦ୍ରୋହୀଙ୍କୁ କେମିତି ମୁକାବିଲା କରାଯିବ, ଅସ୍ତ୍ରଶସ୍ତ୍ରର ବ୍ୟବହାର, ଆଇଇଡିର ମୁକାବିଲା ଓ ଆତ୍ମରକ୍ଷାର ମାର୍ଶଲ ଆକ୍ଟ ବିଷୟରେ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି । ଉତ୍ତରାଖଣ୍ଡ ପୁଲିସ୍ ଓ ପିଏସି ବାଟାଲିୟନରେ କାମ କରୁଥିବା ବଛାବଛା ସଦସ୍ୟଙ୍କୁ ନେଇ ମହିଳା ଆତଙ୍କବାଦ ନିରୋଧ ସ୍କ୍ୱାର୍ଡ ଗଠନ କରାଯାଇଛି । ପଣବନ୍ଦୀ ସମସ୍ୟା ଓ ଆତଙ୍କବାଦୀ ଆକ୍ରମଣ ବେଳେ ଏମାନେ କେମିତି କାମ କରିବେ, ତା’ର ତାଲିମ ମଧ୍ୟ ସମସ୍ତଙ୍କୁ ଦିଆଯାଇଛି । ଶାରିରୀକ ଶକ୍ତି ଓ ଅସ୍ତ୍ରଶସ୍ତ୍ର ବ୍ୟବହାରର କଳା ଶିଖିଥିବା ପ୍ରାୟ ୨୭ ଜଣ ମହିଳାଙ୍କୁ ଦୁଇ ସପ୍ତାହ ପ୍ରି-କମାଣ୍ଡୋ ତାଲିମ ପାଇଁ ଚୟନ କରାଯାଇଥିଲା । ଏହି ତାଲିମ ଶିବିରରେ ଭଲ ପ୍ରଦର୍ଶନ କରିଥିବା ୨୨ ଜଣ ମହିଳାଙ୍କୁ ଚୂଡ଼ାନ୍ତ ଏଟିଏସ୍ରେ ସାମିଲ କରାଯାଇଛି । ଏବେ ସେମାନଙ୍କ ପରୀକ୍ଷା ହରିଦ୍ୱାର ମହାକୁମ୍ଭରେ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.