ଗଜପତିରେ ବିଜୁବାବୁଙ୍କ ଜନ୍ମ ଦିବସ ପାଳିତ

0 84

ପାରଳାଖେମୁଣ୍ଡି, ୫ା୩ -ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମହାନ ଜନ ନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳର ନେତା ଓ କର୍ମିମାନେ ହାଇସ୍କୁଲ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପ୍ରତିମୂର୍ତ୍ତି ଠାରେ ଦଳର ବରିଷ୍ଠ ନେତା ତଥା ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ସାଂସଦ ଚନ୍ଦ୍ରଶେଖର ସାହୁ , ଜିଲ୍ଲା ଯୁବ ସଭାପତି ଏସ୍. ଲିଙ୍ଗରାଜୁ, ଉପ-ସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ନାରୀ ନେତ୍ରୀ ତନୁଜା ଶତପଥୀ ପ୍ରମୁଖ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନ ମଧ୍ୟରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ, ତାଙ୍କର ସାହସିକତା ଏବଂ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ଗୁରୁତ୍ୱ ପ୍ରଦାନ, ଭୂମିକା ଓ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସଶକ୍ତିକରଣ କରାଇବା ଦିଗରେ ତାଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବଜୀବନ ଟ୍ରଷ୍ଟରେ ରହୁଥିବା ଅନାଥ ଶିଶୁ, ବୃଦ୍ଧ, ବୃଦ୍ଧା ଏବଂ କୃଷ୍ଣ ରୋଗୀ ଚିକିତ୍ସାଳୟକୁ ଯାଇ ସେଠାକାର ରୋଗୀମାନଙ୍କୁ ଫଳ ବଣ୍ଟନ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ୱରେ କରାଯାଇଥିଲା । ଏହା ପରେ ଏକ ବିରାଟ ମୋଟର ସାଇକେଲ ର୍ୟାଲିରେ ବିଜେଡି କର୍ମୀମାନେ ପାରଳାଖେମୁଣ୍ଡିରୁ ଗୁରାଣ୍ଡି ଗସ୍ତ କରି ବିଜୁ ବାବୁଙ୍କ ଜନ୍ମ ଦିବସ ପାଳନ କରିବା ସହ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଜୁବାବୁଙ୍କ ତ୍ୟାଗ ଓ ଆଦର୍ଶର ପ୍ରତୀକ ପାଇଁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଯୁବ ସଭାପତି ଏସ୍.ଲିଙ୍ଗରାଜୁ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ସେହିପରି ସମଗ୍ର ଜିଲ୍ଲାର କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡ ଆର୍.ଉଦୟଗିରି, ନୂଆଗଡ, ମୋହନା ଆଦି ବ୍ଲକ ଅଞ୍ଚଳରେ ବିଜେଡି ଦଳ ତରଫରୁ ବିଜୁବାବୁଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.