ସତର୍କ ଓ ସଚେତନତା ରହିଲେ ସୁରକ୍ଷିତ ରହିପାରିବା

0 65

ଦେଶରେ କରୋନା ସଂକ୍ରମଣ ପୁଣିଥରେ ଆମ ସମସ୍ତଙ୍କୁ ଡରାଉଛି । ଯଦିଓ ଏବେ ଏଥିପାଇଁ ସରକାର ଟିକାକରଣ ଆରମ୍ଭ କରିଛନ୍ତି ତଥାପି କିଛି ରାଜ୍ୟରେ ଏବେ କରୋନାର ଖବର ଆମ ସମସ୍ତଙ୍କ ମନକୁ ବ୍ୟସ୍ତ ବିବ୍ରତ କରିପକାଇଛି । ଏହାକୁ ନେଇ ଏବେ ବିଭିନ୍ନ ରାଜ୍ୟ ସରକାର ବି ଶତତତ୍ପର ଥିବା ଭଳି ମନେହେଉଛି । କରୋନାର ନୂଆ ଷ୍ଟ୍ରେନ୍ ଏବେ ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ ସଦୃଶ ହୋଇଛି । ଏପରି ସ୍ଥିତିରେ ଆମ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ଆମକୁ ପୂର୍ବଭଳି କୋଭିଡ୍ ଗାଇଡ୍ଲାଇନ୍କୁ ମାନି ଚଳିବାକୁ ପଡ଼ିବ । କରୋନା ସଂପୂର୍ଣ୍ଣରୂପେ ଆମକୁ ଛାଡ଼ି ଚାଲିଯାଇନାହିଁ । ଏହି ମହାମାରୀ ଆମ ଚାରିପାଖରେ ଅଛି । ତେଣୁ ଆମକୁ ଓଭର କନ୍ଫିଡେନ୍ସ ନହୋଇ ପୂର୍ବଭଳି ସମସ୍ତ କୋଭିଡ୍ ଗାଇଡ୍ଲାଇନ୍କୁ ମାନିବାକୁ ପଡ଼ିବ । ନଚେତ୍ ଟିକିଏ ଢ଼ିଲାପଣ ପୁଣି ବିପଦକୁ ଡାକିଆଣିବ । ପୂର୍ବଭଳି ହାତ ଧୋଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା କାର୍ଯ୍ୟକୁ ବଜାୟ ରଖିବାକୁ ପଡ଼ିବ । ନଚେତ୍ ସୁଧୁରି ଆସୁଥିବା ସ୍ଥିତି ଯେ ପୁଣି ବିଗିଡ଼ିନଯିବ ତାହା କହିହେବ ନାହିଁ । କରୋନା ମହାମାରୀ ଏବଂ ଲକ୍ଡାଉନ୍ ଯୋଗୁଁ ଆମର ଅର୍ଥନୈତିକ ଅବସ୍ଥା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । କୋଟି କୋଟି ଲୋକ ରୋଜଗାର ହରାଇ ତଳିତଳାନ୍ତ ହୋଇଯାଇଛନ୍ତି । ଏବେ ପୂର୍ବସ୍ଥିତିରେ ଧିରେ ଧିରେ ସୁଧାର ଆସିବାରେ ଲାଗିଛି । ଅଟୋମୋବାଇଲ୍ ସମେତ ଉପଭୋକ୍ତା ସାମଗ୍ରୀ ପାଇଁ ଚାହିଦାରେ ବୃଦ୍ଧି ଘଟୁଛି । ପୁଞ୍ଜିନିବେଶ ମଧ୍ୟ ଧିରେ ଧିରେ ବଢ଼ିବାରେ ଲାଗିଲାଣି । କରୋନା ମହାମାରୀରେ ସବୁ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ କୃଷି କ୍ଷେତ୍ର ଏକମାତ୍ର କ୍ଷେତ୍ର ଯାହା ଆଗକୁ ବଢ଼ିଛି । କୃଷିକୁ ଗ୍ରାମୀଣ ଅଞ୍ଚଳର ଜୀବିକା ପ୍ରଦାନକାରୀ ଭାବେ ନଦେଖି ଏକ ବ୍ୟବସାୟିକ ସଂସ୍ଥା ଭାବେ ବିଚାର କରିବାକୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ଅଭିବୃଦ୍ଧି ବଢ଼ିଲେ ଦେଶ ତଥା ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ । ତେଣୁ ଅଭିବୃଦ୍ଧି ବୃଦ୍ଧି ପାଇଁ ସରକାର ଚେଷ୍ଟା କରୁଥିବାବେଳେ ଆମକୁ ମଧ୍ୟ ସତର୍କ ରହିବାକୁ ପଡ଼ିବ । ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ହୁଗୁଳା ନହୋଇ କୋଭିଡ୍ ଗାଇଡ୍ଲାଇନ୍କୁ ଆହୁରି କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ଯଦି ଆମେ ଟିକିଏ ଢ଼ିଲାପଣ କରିବା ତେବେ ଆମେ ପୁଣି ସଂକଟରେ ପଡ଼ିବା ସମ୍ଭାବନା ରହିଛି । ସ୍ଥିତି ସୁଧୁରିଥିବା ବେଳେ ଆମକୁ ପୂର୍ବଠାରୁ ଆହୁରି ସତର୍କ ଅବଲମ୍ବନ କରିବା । ନଚେତ୍ ଆମର ସ୍ୱପ୍ନ ସବୁଦିନ ପାଇଁ ଧୂଳିସାତ୍ ହୋଇଯିବ । ସେହିପରି ବଜାର ଘାଟରେ ବିଶେଷ ଗହଳଚହଳ ନକରି କରୋନା କଟକଣାକୁ ମାନି ଚଳିବା ଉଚିତ୍ । ସେହିପରି ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ବି ବିଶେଷ ଧ୍ୟାନ ଦିଆଯିବା ଉଚିତ୍ । ବର୍ତ୍ତମାନ ଗ୍ରୀଷ୍ମ ଆରମ୍ଭ ହୋଇଯାଇଥିବା ବେଳେ କରୋନାର ପ୍ରକୋପ କମିବ ବୋଲି କେହି କେହି କହୁଥିବା ଶୁଣିବାକୁ ମିଳୁଛି । ସେହିପରି କରୋନା ଟିକାକରଣ ଆଗାମୀ ଦିନରେ ବ୍ୟାପକ କରାଯିବାର ଯୋଜନା ରହିଛି । କିନ୍ତୁ ତା ସତ୍ତେ୍ୱ ବି ଆମକୁ ନିୟମିତ ଆୟୁର୍ବେଦିକ ପଦ୍ଧତିରେ ଜୀବନକୁ ଅତିବାହିତ କରିବାର ଅଛି । ସେହିପରି ଯୋଗ, ପ୍ରାଣାୟାମ ପ୍ରତ୍ୟେକ କରିବା ଆମ ସମସ୍ତଙ୍କ ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ ।

Leave A Reply

Your email address will not be published.