ଆତ୍ମଘାତୀ ବିସ୍ଫୋରଣ

0 69

୨୦ ମୃତ, ୩୦ରୁ ଅଧିକ ଆହତ

ମୋଗାଦିଶୁ, ୬ ।୩: ପୂର୍ବ ଆଫ୍ରିକାରେ ଥିବା ସୋମାଲିଆର ରାଜଧାନୀ ମୋଗାଦିଶୁରେ ଏକ ଆତ୍ମଘାତୀ କାର ବିସ୍ଫୋରଣ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି ଏହି ବିସ୍ଫୋରଣ । ଏକ ରେଷ୍ଟୁରାଣ୍ଟ ବାହାରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । “ଆମେନ୍’ ଆମ୍ବୁଲାନ୍ସ ସର୍ଭିସେସର ପ୍ରତିଷ୍ଠାତା ଡକ୍ଟର ଅବଦୁଲକାଦିର ଅଦନ କହିଛନ୍ତି ଯେ ବିସ୍ଫୋରଣ ସ୍ଥାନରୁ ୨୦ ଜଣଙ୍କର ମୃତଦେହ ଓ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ପ୍ରତ୍ୟକ୍ଷଦର୍ଶୀ ଅହମ୍ମଦ ଅବଦୁଲ୍ଲା କହିଛନ୍ତି ଯେ ଲ୍ୟୁଲ ୟମାନି ରେଷ୍ଟୁରାଣ୍ଟ ବାହାରେ ଏହି ବିସ୍ଫୋରଣ ଘଟିଛି । ଦ୍ରୁତ ଗତିରେ ଆସୁଥିବା କାରଟି ରେଷ୍ଟୁରାଣ୍ଟ ବାହାରେ ବିସ୍ଫୋରଣ କରିଥିଲା । ସେହି ସମୟରେ ସେ ରେଷ୍ଟୁରାଣ୍ଟକୁ ଯାଉଥିଲେ । କିନ୍ତୁ ବିସ୍ଫୋରଣ ଘଟିବା ପରେ ସେ ସେଠାରୁ ନିରାପଦରେ ବାହାରକୁ ପଳାଇ ଆସିଥିଲେ ବୋଲି କହିଛନ୍ତି । ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଥିଲା । ତେଣୁ ଅନ୍ଧାରରେ କିଛି ଦେଖାଯାଉନଥିଲା ବୋଲି ଅବଦୁଲ୍ଲା କହିଛନ୍ତି । ତେବେ ଦୁର୍ଘଟଣାସ୍ଥଳ ମୋଗାଦିଶୁରେ ବିସ୍ଫୋରଣ ସ୍ଥଳରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ପୁଲିସ ଏବେ ତଦନ୍ତ ଆରମ୍ଭ କରିବା ସହିତ ସଂପୃକ୍ତ ଅଞ୍ଚଳକୁ ଘେରି ରହିଛି । ତେବେ ଏପର୍ଯ୍ୟନ୍ତ କେହି ଏହି ବିସ୍ପୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ସାଧାରଣତଃ ଏହି ଦେଶରେ ଇସଲାମୀୟ ଆତଙ୍କବାଦୀ ସଂଗଠନ ଅଲ ଶବାବର ଦବଦବା ରହିଛି । ସୋମାଲିଆ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଆତଙ୍କୀ ସଂଗଠନ ବୋମା ବିସ୍ଫୋରଣ କରିଥାଏ । ଆତଙ୍କୀ ସଂଗଠନର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ସରକାରଙ୍କୁ ଗାଦିଚ୍ୟୁତ କରିବା ।

Leave A Reply

Your email address will not be published.