ଅସୁରକ୍ଷିତ ରାଜଧାନୀ

0 66

ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଚୋରି, ରାହାଜାନି, ହତ୍ୟାକାଣ୍ଡ ଭଳି ଜଘନ୍ୟ ଘଟଣା ବଢ଼ିଚାଲିଛି । ଏପରିକି ଦିନ ଦ୍ୱିପ୍ରହରେ ଚୋରମାନେ ଘରେ କଳାକନା ବୁଲାଇବାକୁ ପଛାଉ ନାହାନ୍ତି । ଅଫିସ୍ କିମ୍ବା ବ୍ୟାଙ୍କ ଆଗରେ ଗାଡ଼ି ରଖି ୧୦ ମିନିଟ୍ ପରେ ଆସିଲା ବେଳକୁ ଗାଡ଼ି ନିଖୋଜ ହୋଇଯାଉଛି । ଏଇଥିରୁ ରାଜଧାନୀରେ ଆଇନ୍ଶୃଙ୍ଖଳା ପରିସ୍ଥିତି କିଭଳି ବିଗିଡ଼ିଯାଇଛି ତାହା ସହଜେ ଅନୁମେୟ । ଏହି ଚୋରମାନଙ୍କ ଉତ୍ପାତରେ ରାଜଧାନୀବାସୀ ତ୍ରାହି ତ୍ରାହି ଡାକୁଥିବାବେଳେ ଭୁବନେଶ୍ୱରରେ ଚୋରି ଅଭିଯୋଗରେ ଗତବର୍ଷ ୫୯୧ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କମିଶନରେଟ୍ ପୋଲିସ । ୨୦୨୦ରେ ସବୁଠାରୁ ଯେତେ ଅପରାଧିକ ମାମଲା ରୁଜୁ ହୋଇଛି ସେଥିରୁ ସର୍ବାଧିକ ହେଉଛି ଚୋରି ଓ ରାହାଜାନି । ତେବେ ଗୋଟିଏବର୍ଷରେ ରାଜଧାନୀରେ ୧୮୬୨ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ବାସ୍ତବିକ ସଂଖ୍ୟା କିନ୍ତୁ ଏହାଠାରୁ ଅଧିକ ବୋଲି ଜଣାଯାଇଛି । ଅନେକ ସ୍ଥାନରେ ଛୋଟକାଟର ଚୋରି ପାଇଁ ଲୋକେ ଥାନାକୁ ଯିବାକୁ ଅମଙ୍ଗ ହେଉଛନ୍ତି । ରାଜଧାନୀରେ ଚୋରି ଏଭଳି ସ୍ତରରେ ପହଞ୍ôଚଲାଣି ଯେ ରାତି କଥା ଛାଡ଼, ଦିନବେଳା ବି ଲୋକେ ଘରଦ୍ୱାର ଛାଡ଼ି ବାହାରକୁ ଯାଇପାରୁ ନାହାନ୍ତି । ଘଣ୍ଟାଏ ଦୁଇଘଣ୍ଟା ଯଦି ଘରେ କେହି ରହୁନାହାନ୍ତି ତେବେ ଚୋରମାନେ କଳାକନା ବୁଲାଇ ଦେଉଛନ୍ତି । ଏଭଳି ଘଟଣା ରାଜଧାନୀର କୌଣସି ତଳିଆ ଅଞ୍ଚଳରେ ଘଟୁନାହିଁ । ଖୋଦ୍ ରାଜଧାନୀର ଛାତି ଉପରେ ଥିବା ଲୋକସେବା ଭବନ ଓ ରାଜଧାନୀର ଆଖପାଖରେ ଘଟୁଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଆଇନ୍ ଏବଂ ପୋଲିସକୁ ଏହି ଅପରାଧୀମାନେ କେତେ ଭୟ କରୁଛନ୍ତି । ଏଭଳି ଚୋରି ପାଇଁ ବେଆଇନ୍ ବସ୍ତିକୁ ରାଜଧାନୀବାସୀ ଦାୟୀ କରୁଥିବାବେଳେ ବସ୍ତିରେ ଥିବା ଅଧିକାଂଶ ଘରେ ସରକାରୀ କ୍ୱାଟର୍ସରେ ଥିବା କବାଟ, ଝରକା ଏପରିକି ଇଟା ମଧ୍ୟ ସେମାନେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ବସ୍ତିରେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତି ପାଇଁ କମିଶନରେଟ୍ ପୋଲିସ ୱି କେୟାର, ୱି ଡେୟାର ଅଭିଯାନ କେବେ ଆରମ୍ଭ ହେବ ତାହା ଉପରେ ସମସ୍ତଙ୍କ ନଜର । କେବଳ ଚୋରି ନୁହେଁ ଗତବର୍ଷ ରାଜଧାନୀରେ ୫୧୮ଟି ଆର୍ଥିକ ଠକେଇ, ୫୧୭ଟି ମୋଟରଯାନ ଦୁର୍ଘଟଣା, ୩୮୮ଟି ଲୁଟ୍, ୩୫୦ଟି ସିନ୍ଧିଚୋରି, ୩୪ଟି ଡକାୟତି, ୧୧୩ଟି ଧର୍ଷଣ ଓ ୪୯ଟି ହତ୍ୟାକାଣ୍ଡ ଘଟିଛି । ଯଦିଓ ୨୦୧୯ ତୁଳନାରେ ଅପରାଧ କମିଥିବା ଦର୍ଶାଯାଉଛି କିନ୍ତୁ ବାସ୍ତବିକ ରାଜଧାନୀବାସୀ ଏମାନଙ୍କ ଉତ୍ପାତରେ କଲବଲ ହେଉଥିବା ଦେଖିବାକୁ ମିଳୁଛି । ଅପରାଧୀଙ୍କୁ ସାବାଧ ଓ ଅପରାଧ ହ୍ରାସ ପାଇଁ ତକ୍ରାଳୀନ ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦ ଦୋକାନ ଉପରେ ନଜର ରଖିବା ପାଇଁ ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ ତାହାକୁ ପୋଲିସ ଲାଗୁ କରୁନାହିଁ । ମଦ ଦୋକାନ ଉପରେ କଟକଣା ଲାଗିଲେ ରାଜଧାନୀରେ ଅପରାଧ ହ୍ରାସ ପାଇବ ବୋଲି ପୂର୍ବତନ ପୋଲିସ ଅଧିକାରୀମାନେ ମତ ଦେଇଛନ୍ତି । ତେବେ ରାଜଧାନୀର ବିଭିନ୍ନ ଟ୍ରାଫିକ୍ରେ ସିସିଟିଭି ଲାଗିଥିବା କୁହାଯାଉଥିବା ବେଳେ ଚୋରମାନେ କିନ୍ତୁ ସେମାନଙ୍କ କାମ ଅନାୟାସରେ ଜାରି ରଖିଛନ୍ତି । ତେଣୁ ତୁରନ୍ତ ପୋଲିସର ଉଚ୍ଚ କର୍ତ୍ତୃପକ୍ଷମାନେ ଦୃଷ୍ଟି ଦେଇ ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ନଚେତ୍ ନେଡିଗୁଡ଼ କହୁଣୀକୁ ବୋହିବା ଭଳି ଆମର ଶାନ୍ତ ସହର ଖୁବ୍ଶୀଘ୍ର ଅଶାନ୍ତ ହୋଇଉଠିବ, ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.