ବସା ବାନ୍ଧିଛି ଅନ୍ଧବିଶ୍ୱାସ

0 67

ବିଜ୍ଞାନର ବିକାଶ ଯେତେ ହେଲେ ମଧ୍ୟ ଆମ ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର ହେବାର ନାଁ ଧରୁନାହିଁ । ହାତ ପାଆନ୍ତାରେ ସମଗ୍ର ବିଶ୍ୱକୁ କ୍ଷଣକରେ ବୁଲିଆସି ପାରୁଥିବା ମଣିଷ ନିକଟରୁ କୁସଂସ୍କାର ଏଯାଏଁ କିନ୍ତୁ ହଟିନାହିଁ । କେବଳ ଉପାନ୍ତ ଅଞ୍ଚଳ ନୁହେଁ ସହରୀ ସଭ୍ୟତା ମଣିଷ ମଧ୍ୟ ଏହି କୁସଂସ୍କାର ଓ ଅନ୍ଧବିଶ୍ୱାସର ବେଳେବେଳେ ବଶବର୍ତ୍ତୀ ହୋଇଥିବା ଦେଖିବାକୁ ମିଳିଛି । ଡାହାଣୀ ସନ୍ଦେହରେ ଅନେକ ନିରୀହ ଜୀବନ ଯାଉଥିବା ବେଳେ ପରମ୍ପରାର ଦ୍ୱାହି ଦେଇ ବିଭିନ୍ନ ସ୍ଥାନରେ ହଜାର ହଜାର ସ୍ଥାନରେ ପଶୁବଳି ମଧ୍ୟ ଦିଆଯାଉଥିବାର ଖବର ରହିଛି । ଏପରିକି ଚୋରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖଟିଆ ବୁଲୁଥିବା, ରୋଗର ନିଦାନ ପାଇଁ ଦିଅଁ ଦେବତା ଓ ହୁକୁମ୍ ନେବାର ମଧ୍ୟ ଦେଖିବାକୁ ମିଳୁଛି । ଏପରିକି ସାପ କାମୁଡ଼ିଲେ ମେଡିକାଲ ନଯାଇ ବିଭିନ୍ନ ଦେବତାଙ୍କ ଶରଣରେ ପଶିବା ମଧ୍ୟ ଦେଖାଯାଉଛି । ସବୁଠାରୁ ଜଘନ୍ୟ କାମ ହେଲା ଛୋଟ ଛୋଟ ଶିଶୁଙ୍କୁ ଧରି ଚେଙ୍କ ଦେବା ଘଟଣା । ସରକାର ସ୍ୱାସ୍ଥ୍ୟସେବା ପାଇଁ ମାଳ ମାଳ ଯୋଜନା କରିଥିଲେ ହେଁ ସଚେତନତା ଅଭାବରୁ ଏହି ଯୋଜନାର ସୁଫଳ ଏଯାଏଁ ଲୋକଙ୍କ ପାଖରେ ପହଞ୍ôଚ ପାରୁନାହିଁ । ବିଶେଷକରି ଗଜପତି ଜିଲ୍ଲାରେ ଛୋଟ ଛୋଟ ପିଲାଙ୍କୁ ଏବେ ମଧ୍ୟ ଚେଙ୍କ ଦିଆଯାଉଛି । ଏମାନଙ୍କୁ ଚେଙ୍କ ଦେଲେ ସେମାନେ ସବୁବେଳେ ସୁସ୍ଥ ରହିବେ ବୋଲି ସେମାନଙ୍କର ବିଶ୍ୱାସ ରହିଛି । ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ଘୁ.ଉଦୟଗିରି ବ୍ଲକ ପୁରୁଣା ପାଣି ପଞ୍ଚାୟତ ଅଧୀନ ଅନେକ ଦୁର୍ଗମ ଗାଁରେ ଅନେକ ପିଲାଙ୍କୁ ଏକାଠି କରି ଗଣଚେଙ୍କ ଦିଆଯାଏ । ସେହିଦିନ ଯେଉଁମାନେ ଚେଙ୍କ ନେଇନଥାନ୍ତି ପରବର୍ତ୍ତୀ ସମୟରେ ସେମାନଙ୍କୁ ମଧ୍ୟ ପୁଣି ଚେଙ୍କ ଦିଆଯାଏ । ଯଦି କେହି ଏମାନଙ୍କୁ ମେଡିକାଲ ନେବାକୁ କୁହେ ତେବେ ସେମାନେ କୁହନ୍ତି ଆମେ ମେଡିକାଲ ଦେଖିନୁ ଆଜ୍ଞା, ଡାକ୍ତରଙ୍କୁ ମଧ୍ୟ ଜାଣିନୁ । ତେବେ ପିଲାଙ୍କୁ ନେଇ ଆମେ ଚିକିତ୍ସା କରିବୁ କେଉଁଠି? ସେମାନଙ୍କୁ କ’ଣ ଏମିତି ମରଣମୁହଁରେ ଛାଡ଼ିଦେବୁ ବୋଲି ପାଲଟା ପ୍ରଶ୍ନ କରନ୍ତି । ଅନେକ ସ୍ଥାନରେ ଚେଙ୍କ ନେବାବେଳେ କୁନି କୁନି ଶିଶୁମାନେ ଗୁରୁତର ହୋଇପଡ଼ୁଥିବା ନଜିର ମଧ୍ୟ ରହିଛି ଏବଂ ଅନେକଙ୍କ ଜୀବନ ମଧ୍ୟ ଚାଲିଯାଇଛି । ତଥାପି ଏମାନେ ଏପରି କୁସଂସ୍କାରରୁ ନିଜକୁ ଦୂର କରିପାରିନାହାନ୍ତି । କେବଳ ମନରେ ଏଇଠି ଗୋଟିଏ ପ୍ରଶ୍ନ ଉଠେ ଯଦି ଏହି ଅଞ୍ଚଳରେ ବ୍ୟାପକ ଡାକ୍ତରଖାନା ଏବଂ ଲୋକଙ୍କୁ ସଚେତନତା କରାଯା’ନ୍ତା ତେବେ ଲୋକେ ଅନ୍ଧବିଶ୍ୱାସରୁ କିଛିଟା ମୁକୁଳି ପାରନ୍ତେ । ଖାଲି ଏହି ଚେଙ୍କ ଘଟଣା ନୁହେଁ ରାଜ୍ୟର ଏଭଳି ବହୁ ସ୍ଥାନରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଉଥିବା ନଜିର ରହିଛି । କେଉଁଠି ଗୁଣିଗାରେଡିର ଆଶ୍ରୟ ନେଉଛି ତ ଆଉ କେଉଁଠି ଗୁଣିଗାରେଡି ସନ୍ଦେହରେ ମଣିଷ ମଣିଷକୁ ହତ୍ୟା କରିବାକୁ ପଛାଉନାହାନ୍ତି । ବର୍ତ୍ତମାନ ଅନ୍ଧବିଶ୍ୱାସ ସମାଜରେ ଏଭଳି ବସା ବାନ୍ଧିଯାଇଛି ଯେ ଗଣମାଧ୍ୟମରେ ଯେତେ ଖବର ପ୍ରଚାର ପ୍ରସାର କରାଯାଉଥିଲେ ବି ତାହା ଏମାନଙ୍କ ଉପରେ କିଛି ପ୍ରଭାବ ପକାଉନାହିଁ ।

Leave A Reply

Your email address will not be published.