ଭାରତର କରୋନା ଟିକା ନୀତିକୁ ଆଇଏମଏଫର ପ୍ରଶଂସା

0 61

ମିଳିତ ଜାତିସଂଘ, ୯ ।୩: ମହାମାରୀ କରୋନାକୁ ମାତ୍ ଦେବାରେ ଭାରତ ଆପଣାଇଥିବା ଆଭିମୁଖ୍ୟକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରିଛି । ବିଶେଷକରି କରୋନା ଟିକାକୁ ନେଇ ଭାରତ ଯେଉଁ ନୀତି ଅବଲମ୍ବନ କରିଛି ତାହା ଗୋଟିଏ ଅଲଗା ଉଦାହାରଣ ସୃଷ୍ଟି କରିଛି ବୋଲି ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି । କରୋନା ମହାମାରୀ ବେଳେ ଭାରତ ଟିକାର ଉତ୍ପାଦନ ଓ ଏହାକୁ ବିଭିନ୍ନ ରାଷ୍ଟ୍ରକୁ ପଠାଇଥିବାରୁ ଗୀତା ଗୋପୀନାଥ ଏପରି କହିଛନ୍ତି । ସେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମ ଯୋଗଦେଇ କହିଛନ୍ତି, ଯଦି ଆପଣମାନେ ପଚାରନ୍ତି ଦୁନିଆରେ ଟିକା ଉତ୍ପାଦନ ହବ୍ କେଉଁଠାରେ ଅଛି, ତେବେ ଏହାର ଉତ୍ତର ଭାରତ ହିଁ ହେବ । ଭାରତ କରୋନା ଟିକା ପ୍ରଦାନରେ ଯେଉଁ ନୀତି ଅବଲମ୍ବନ କରିଛି, ତାହା ସମଗ୍ର ବିଶ୍ୱରେ ନୂଆ ଉଦାହରଣ ସୃଷ୍ଟି କରିଛି । ଗୀତା ଗୋପୀନାଥ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ନିୟମିତ ଭାବେ ପ୍ରତିବର୍ଷ ସେରମ ବିଶ୍ୱରରେ ସବୁଠାରୁ ଅଧିକ ଟିକା ଉତ୍ପାଦନ କରୁଛି । ଏବେ ସେରମ କୋଭାକ୍ସିନ୍କୁ ଦିଆଯିବାକୁ ଥିବା ଟିକାର ଉତ୍ପାଦନ କରୁଛି । ସେରମ ଉତ୍ପାଦିତ କରିଥିବା ଟିକା କୋଭାକ୍ସ ଜରିଆରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଦାନ କରାଯିବ । ମହାମାରୀ କରୋନା ବିରୋଧରେ ଲଢ଼େଇ କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବିଶ୍ୱରେ ଦେଖାଯାଇଥିବା ସବୁଠାରୁ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ବେଳେ ଭାରତ ସମସ୍ତଙ୍କୁ ସହଯୋଗ କରିଛି । ଟିକାଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ମେଡିକାଲ ଭିତ୍ତିଭୂମି ଯୋଗାଇ ଦେଇଛି ବୋଲି ସେ କହିଛନ୍ତି । ଭାରତ ଅନୁଦାନ ଭିତ୍ତିରେ ତା’ର ପଡ଼ୋଶୀ ନେପାଳ, ବାଂଲାଦେଶ, ମିଆଁମାରକୁ କରୋନା ଟିକା ଦେଇଛି । ସେହିପରି କେତେକ ଦେଶକୁ ବାଣିଜ୍ୟିକ ଯୋଗାଣ ମଧ୍ୟ କରାଯାଇଛି । ସୂଚନାଯୋଗ୍ୟ ଏହା ପୂର୍ବରୁ ଆଇଏମଏଫ ଭାରତର ଅଭିବୃଦ୍ଧି ୨୦୨୧ରେ ୧୧.୫% ରହିବ ବୋଲି ଆକଳନ କରିଥିଲା । କରୋନା ସଙ୍କଟ ପରେ ଭାରତ ସମଗ୍ର ବିଶ୍ୱରେ ପ୍ରଥମ ରାଷ୍ଟ୍ର ଭାବେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାରରେ ଆଗକୁ ବଢ଼ିବ ବୋଲି ଆଇଏମଏଫ କହିଛି ।

Leave A Reply

Your email address will not be published.