ଟାଇମ୍ସ ନାଓ ସର୍ଭେ : ପଶ୍ଚିମବଙ୍ଗରେ ଦିଦି ମାରିବେ ବାଜି

0 62

ନୂଆଦିଲ୍ଲୀ, ୯ ।୩: ପୁଣିଥରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ମମତା ବାନାର୍ଜୀଙ୍କ ଜଲୱା । ବିଜେପିର ଘନଘନ ଆକ୍ରମଣ ଓ ପ୍ରଚାର ସତ୍ତେ୍ୱ ଦିଦି ରାଜ୍ୟରେ ତୃତୀୟଥର ପାଇଁ କ୍ଷମତା ଦଖଲ କରିବେ । ସେହିପରି କେରଳରେ ବାମପନ୍ଥୀ ସରକାର ଓ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ବାଜିମାତ କରିବେ । ଆସାମରେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ରାଜ୍ୟକୁ ଶାସନ କରିବ । କିନ୍ତୁ ତାମିଲନାଡୁ ଓ ପୁଡୁଚେରୀରେ ସରକାର ବଦଳିବ । ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ଓପିନିଅନ ପୋଲରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ତାମିଲନାଡୁରେ ବଜେପିର ସହଯୋଗୀ ଏଆଇଏଡିଏମକେ ଶାସନରେ ରହିଛି । ସେହିପରି ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏଠାରେ କଂଗ୍ରେସ ସରକାର ଗଠନ କରିଥିଲା । ହେଲେ ଦଳୀୟ ବିଧାୟକ ଇସ୍ତଫା ଦେବାରୁ ସରକାର ଭାଙ୍ଗିଯାଇଛି । ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ପୁଣି ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିବ । ହେଲେ ଦଳର ଆସନ ସଂଖ୍ୟା ହ୍ରାସ ପାଇବ । ୨୯୪ଟି ଆସନରୁ ଟିଏମସି ୧୫୪ଟି ଆସନ ଦଖଲ କରିବ । ଗତ ନିର୍ବାଚନରେ ଦଳ ୨୧୧ଟି ଆସନ ଜିତିଥିଲା । ବିଜେପି ଗତଥର ଅପେକ୍ଷା ବହୁତ ଭଲ ପ୍ରଦର୍ଶନ କରିବ । ୨୦୧୬ରେ ଦଳ ମାତ୍ର ୩ଟି ଆସନ ଜିତିଥିଲା । ହେଲେ ଏଥର ବିଜେପିର ଆସନ ସଂଖ୍ୟା ୧୦୭ରେ ପହଞ୍ଚିବ । ଆସନ ସଂଖ୍ୟା ବଢ଼ିବାକୁ ଥିଲେ ହେଁ ଏଠାରେ ବିଜେପି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରିବ ନାହିଁ । ସେହିପରି କଂଗ୍ରେସ-ବାମପନ୍ଥୀ ଓ ଆଇଏସ୍ଏଫ ମାତ୍ର ୩୩ଟି ଆସନ ଜିତିବାର ସମ୍ଭାବନା ଥିବା ସର୍ଭେ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ତାମିଲନାଡୁରେ ବଡ଼ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି । ଏମକେ ଷ୍ଟାଲିନଙ୍କ ଡିଏମକେ ଓ ଏହାର ସହଯୋଗୀ କଂଗ୍ରେସ ବେଶ ଆରାମରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିନେବେ । ୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଡିଏମକେ ମେଣ୍ଟ ୧୫୮ଟିରେ ଜିତିବ । ସେହିପରି ବିଜେପି ଓ ଏଆଇଏଡିଏମକେ ମେଣ୍ଟ ମାତ୍ର ୬୫ଟି ଆସନରେ ସନ୍ତୁଷ୍ଟ ରହିବେ । ଅନ୍ୟ ଦଳମାନଙ୍କ ଖାତାକୁ ୧୧ଟି ଆସନ ଯିବାର ସମ୍ଭାବନା ରହିଛି । କେରଳରେ ଏଲଡିଏଫ ପୁଣି ସମସ୍ତଙ୍କୁ ଚକମା ଦେଇ ସରକାର ଗଠନ କରିବ । ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ଦଳ ୧୪୦ଟି ବିଧାନସଭା ଆସନରୁ ଏକାକୀ ୮୨ଟିରେ ଜିତିବ । ସେହିପରି କଂଗ୍ରେସ ମେଣ୍ଟ କରିଥିବା ୟୁଡିଏଫ ୫୬, ବିଜେପି ୧ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଦଖଲ କରିବେ । ଆସାମରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିନେବ । ୧୨୬ଟି ବିଧାନସଭା ଆସନରୁ କ୍ଷମତାସୀନ ଏନଡିଏମ ୬୭ଟିରେ ଜିତିବ । ହେଲେ ୨୦୧୬ ତୁଳନାରେ ଦଳର ଆସନ ସଂଖ୍ୟା ହ୍ରାସ ପାଇବ । ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଖାତାକୁ ୫୭ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିବେ ବୋଲି ସର୍ଭେ ସଂସ୍ଥା କହିଛି । ପୁଡୁଚେରୀରେ ନୂଆ ସରକାର ଗଠନ ହେବ । ବିଜେପି ନେତୃତ୍ୱାଧୀନ ଏନଡିଏ ୩୦ଟି ଆସନରୁ ୧୮ଟିରେ ଜିତି ବେଶ ଆରାମରେ ସରକାର ଗଠନ କରିବ । ପୂର୍ବରୁ ଏଠାରେ କ୍ଷମତାରେ ଥିବା କଂଗ୍ରେସ କେବଳ ୧୨ଟି ଆସନ ପାଇବ ବୋଲି ଓପିନିଅନ ପୋଲ ସର୍ଭେରୁ ସାମ୍ନାକୁ ଆସିଛି ।

Leave A Reply

Your email address will not be published.