ରାଜନେତାଙ୍କ ପ୍ରତିଶ୍ରୁତିର ବର୍ଷା

0 68

କ୍ଷମତାକୁ ଆସିଲେ ମାଗଣା ଗ୍ୟାସ୍ ଓ ୧୫୦୦ ଟଙ୍କାର ଆର୍ଥିକ ସହାୟତା : ଏଆଇଏଡିଏମକେ

ଚେନ୍ନାଇ, ୯ ।୩:ତାମିଲନାଡୁ ବିଧାନସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ରାଜନେତାଙ୍କ ପ୍ରତିଶ୍ରୁତି ବର୍ଷାର ପର୍ବ ସେତିକି ବଢ଼ୁଛି । ବିରୋଧୀ ଡିଏମକେ ପରେ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ପ୍ରତିଶ୍ରୁତି ଘୋଷଣା କରିଛି । ଦଳ କହିଛି ଯେ ରାଜ୍ୟ ସରକାର କ୍ଷମତାକୁ ଆସିବା ପରେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ମାସିକ ୧୫ ଶହ ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବେ । ସେହିପରି ଲୋକଙ୍କୁ ୬ଟି ଏଲପିଜି ସିଲିଣ୍ଡର ମାଗଣାରେ ମିଳିବ । କିନ୍ତୁ କେଉଁ ବର୍ଗର ଲୋକ ଏହି ଯୋଜନାର ଲାଭ ପାଇବେ, ସେ ବିଷୟରେ ଦଳ ପକ୍ଷରୁ କିଛି ବି କୁହାଯାଇ ନାହିଁ । ଏହାପୂର୍ବରୁ ଡିଏମକେ କହିଥିଲା ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ରାଜ୍ୟର ଥିବା ଘରର ମହିଳା ମୁଖ୍ୟଙ୍କୁ ୧୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ ବୋଲି ଘୋଷଣା କରିଥିଲା । ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ କହିଛନ୍ତି, ଏପ୍ରିଲ ୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏଆଇଏଡିଏମକେ ଖୁବଶୀଘ୍ର ତା’ର ଇସ୍ତାହାର ଘୋଷଣା କରିବ । ଏଥିରେ ଅନେକ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବ୍ୟବସ୍ଥା କରାଯାଇଛି । ସମାଜରେ ଆର୍ଥିକ ସମାନତା ପାଇଁ ଏଆଏଡିଏମକେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ମାସିକ ୧୫ ଶହ ଟଙ୍କା ଦେବ । ସେହିପରି ପ୍ରତିବର୍ଷ ମାଗଣାରେ ୬ଟି ଲେଖାଏ ସିଲିଣ୍ଡର ଯୋଗାଇ ଦିଆଯିବ । ଆମେ ବହୁ ପୂର୍ବରୁ ଏଭଳି ବ୍ୟବସ୍ଥା କରିବାକୁ ଯୋଜନା କରିଥିଲୁ । ଏପରି କି ଆମ ଇସ୍ତାହାରରେ ମଧ୍ୟ ଏହା ଉଲ୍ଲେଖ ରହିଛି । ୧୫ ଦିନ ହେଲା ଏହାକୁ ପ୍ରସ୍ତୁତ କରାଯାଉଛି । କିନ୍ତୁ ସମ୍ଭବତଃ ଡିଏମକେକୁ ଆମ ଯୋଜନା ବିଷୟରେ କିଏ ଗୁପ୍ତ ଖବର ଜଣାଇଦେଉଛି । ଏହି କାରଣରୁ ସେମାନେ ତରବରିଆ ଭାବେ ଆମ ଯୋଜନାକୁ ନିଜ ନାଁରେ ଘୋଷଣା କରିଛନ୍ତି । ଆମେ ତାଙ୍କୁ ନୁହେଁ ବରଂ ସେମାନେ ଆମକୁ କପି କରିଛନ୍ତି ବୋଲି ସେ କହିଛନ୍ତି । ଏଥିସହ ସେ ଆହୁରି କହିଛି ଯେ ଖୁବଶୀଘ୍ର ଆମେ ସିଟ୍ ଶେୟାରିଂ ଓ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବୁ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.