୧୫୪ଟି ଆସନରେ ଲଢ଼ିବ କମଲ ହାସନଙ୍କ ଦଳ

0 64

ଚେନ୍ନାଇ, ୯ ।୩: ଅଭିନେତାରୁ ନେତା ବନିଥିବା ସୁପରଷ୍ଟାର କମଲ ହାସନଙ୍କ ଦଳ ଏମକେଏମ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ । ରାଜ୍ୟରେ ଥିବା ୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଦଳ ୧୫୪ଟି ସ୍ଥାନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି । ସେହିପରି ବାକି ୮୦ଟି ଆସନ ଏମକେଏମ ନିଜର ଦୁଇ ସହଯୋଗୀ ଏଆଇଏସଏମ ଓ ଆଇଜେକେ ପାଇଁ ଛାଡ଼ିଛି । ଏହି ଦୁଇ ଦଳ ରାଜ୍ୟର ୪୦ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ । ଏମକେଏମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ତାମିଲନାଡୁବାସୀ ଦୀର୍ଘଦିନ ଧରି ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ହେଉଛି ଆମ ଦଳର ଏକମାତ୍ର ଲକ୍ଷ୍ୟ । ତାମିଲନାଡୁର ଗର୍ବ ଓ ଐତିହ୍ୟକୁ ଠିକ୍ ରାସ୍ତାରେ ନେବା ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ । ଆମର ଆଶା ଲୋକମାନେ ମଧ୍ୟ ଆମ ସହ ଏହି ଅଭିଯାନରେ ସାମିଲ ହେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମ୍କେଏମ୍ର ଟିକେଟ ପାଇବା ପାଇଁ ସାଧାରଣ ଲୋକ ବି ଆବେଦନ କରିପାରିବେ । ଜଣେ ବ୍ୟକ୍ତି ଚାହିଁଲେ ଅନଲାଇନ ଦ୍ୱାରା ଏମକେଏମର ଟିକେଟ୍ ପାଇଁ ଆବେଦନ କରିପାରିବେ । ଯଦି ତାଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ଆସିବ, ତା’ହେଲେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ସାକ୍ଷାତକାର ନିଆଯିବ । ସେ ସାକ୍ଷାତକାରରେ ପାସ୍ ହେଲେ ତାଙ୍କୁ ଦଳୀୟ ଟିକେଟ୍ରେ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିବ । ଦଳ ରାଜ୍ୟରେ ବଢ଼ୁଥିବା ଦୁର୍ନୀତି, ନିଯୁକ୍ତି, ଗ୍ରାମୀଣ ବିକାଶ ଓ ଲୋକଙ୍କୁ ସୁହାଇଲା ଭଳି ଇ-ଗର୍ଭନାନ୍ସ ଆଦି ପ୍ରସଙ୍ଗକୁ ଆୟୁଧ କରି ନିଜର ପ୍ରଚାର କରୁଛି । ସରକାରୀ ଯୋଜନା ଲୋକମାନେ ଯେମିତି ପାଇ ପାରିବେ, ସେଥିପାଇଁ ଦଳ କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ୟୁଟର ମାଗଣାରେ ଯୋଗାଇ ଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି । ୨୦୧୯ ମସିହା ଲୋକସଭା ନିର୍ବାଚନରେ କମଲ ହାସନଙ୍କ ଦଳ ମାତ୍ର ୪% ଭୋଟ ପାଇଥିଲା । ସହାରାଞ୍ଚଳରେ ଦଳର ଭୋଟ ପ୍ରତିଶତ ସର୍ବାଧିକ ୧୦% ରହିଥିଲା । ଦଳର ଉପ ସଭାପତି ତଥା କୋଏମ୍ବାଟୁର୍ ଆସନରୁ ପ୍ରାର୍ଥୀ ହୋଇଥିବା ଡା ଆର ମହେନ୍ଦ୍ରନ ପୂରା ଲୋକସଭା ନିର୍ବାଚନ ମଣ୍ଡଳୀରେ ୧.୪୫ ଲକ୍ଷ ବା ୧୧.୬% ଭୋଟ ପାଇଥିଲେ ।

Leave A Reply

Your email address will not be published.