ସିସିଟିଭିରେ ଦୁର୍ବୃତ୍ତ କଏଦ: ପିପିଇ କିଟ୍ ପିନ୍ଧି ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଗାଡ଼ି ରଖିଥିଲା

0 81

ମୁମ୍ବାଇ, ୯ ।୩:ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଖଚିତ ଗାଡ଼ି ରଖିଥିବା ଦୁର୍ବୃତ୍ତ ଜଣଙ୍କ ସିସିଟିଭରେ ଧରାପଡ଼ିଛି । ପିପିଇ କିଟ୍ ପିନ୍ଧି ଜଣେ ବ୍ୟକ୍ତି ବିସ୍ଫୋରକ ଗାଡ଼ି ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଫେବୃଆରୀ ଶେଷ ସପ୍ତାହରେ ଅମ୍ବାନୀଙ୍କ ଘର ନିକଟରୁ ଗୋଟିଏ ପରିତ୍ୟକ୍ତ ସ୍କର୍ପିଓ ଠାବ ହୋଇଥିଲା । ବୋମା ନିଷ୍କ୍ରିୟ ଟିମ୍ ଏହା ମଧ୍ୟରୁ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ କରିଥିଲା । ଜିଲୋଟିନ୍ ଗୁଡ଼ିକର ଓଜନ ପ୍ରାୟ ୨.୫ କେଜି ହେବ । ଏବେ ଜଣାପଡ଼ିଛି ଯେ ଦୁର୍ବୃତ୍ତ ଜଣଙ୍କ ନିଜ ପରିଚୟକୁ ଗୋପନ ରଖିବା ପାଇଁ ଜାଣିଶୁଣି ପିପିଇ କିଟ୍ ପିନ୍ଧି ବିସ୍ଫୋରକ ଖଚିତ ଗାଡ଼ିକୁ ଅମ୍ବାନୀଙ୍କ ଘର ପାଖରେ ରଖିଥିଲା । ଏହାପରେ ସେ ରାସ୍ତାରେ ସେହି ପିପିଇ କିଟ ପିନ୍ଧି ଚାଲି ଚାଲି ଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାର ତଦନ୍ତ ଗତକାଲି ଠାରୁ ଏନଆଇଏକୁ ହସ୍ତାନ୍ତର କରାଯାଇଛି । ତେଣୁ ଏହି ସିସିଟିଭିକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଆଗକୁ ବଢ଼ିବ । ପୁଲିସ୍ କହିଛି ଯେ ଏହି ଗାଡ଼ିଟିକୁ ଫେବୃଆରୀ ୧୮ରେ ଅଇରୋଲି-ମୁଲୁନ୍ଦ ବ୍ରିଜ୍ ନିକଟରୁ ଚୋରି କରି ନିଆଯାଇଥିଲା । ପୁଲିସ ଗାଡ଼ିର ମାଲିକଙ୍କୁ ମଧ୍ୟ ଠାବ କରିଥିଲା । ତେବେ ମାଲିକଙ୍କ ପାଖରେ ପୁଲିସ୍ ପହଞ୍ଚିବା ପୂର୍ବରୁ ତାଙ୍କ ମୃତଦେହ ମୁମ୍ୱାଇର ଗୋଟିଏ ନାଳ ପାଖରୁ ମିଳିଥିଲା । ତାଙ୍କ ମୁହଁରେ ୫ଟି ରୁମାଲ ମଧ୍ୟ ବନ୍ଧା ଯାଇଥିଲା । ଏହା ହତ୍ୟା ନା ଆତ୍ମହତ୍ୟା, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏସବୁ ଭିତରେ ଏନଆଇଏ ତଦନ୍ତଭାର ହାତକୁ ନେଇଛି । ଗାଡ଼ିଟିକୁ କିଏ ଓ କାହିଁକି ଏଠାରେ ରଖିଲା? ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ସେସବୁର ତଦନ୍ତ ଏନଆଇଏ କରିବ । ଏଥିସହ ଗାଡ଼ି ମାଲିକଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରୁ ମଧ୍ୟ ପରଦା ହଟାଇବ ।

Leave A Reply

Your email address will not be published.