ଲାଲକିଲ୍ଲା ହିଂସା ଘଟଣାରେ ଆଉ ଦୁଇ ଗିରଫ

0 66

ନୂଆଦିଲ୍ଲୀ, ୧୦ ।୩: ଲାଲକିଲ୍ଲା ହିଂସା ଘଟଣାରେ ଦିଲ୍ଲୀ ପୁଲିସ୍ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଏମାନଙ୍କୁ ମଧ୍ୟରୁ ଜଣେ ବିଦେଶୀ ନାଗରିକ ହୋଇଥିବା ବେଳେ ଆଉ ଜଣେ ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡ ବେଳେ ପୁଲିସ୍କୁ ଆକ୍ରମଣ କରିଥିଲେ । ଗିରଫ ଅଭିଯୁକ୍ତ ମହିନ୍ଦ୍ରଜିତ ସିଂହ ଜଣେ ଡଚ୍ ନାଗରିକ । ସେ ବ୍ରିଟେନର ବର୍ମିଂହାମରେ ରହୁଥିଲେ । ସେ ନକଲି ଦସ୍ତାବିଜ୍ ଜରିଆରେ ଭାରତ ଛାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ପୂର୍ବରୁ ଲୁକ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା । ଅନ୍ୟ ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖେମପ୍ରୀତ ସିଂହ । ସେ ଲାଲକିଲ୍ଲା ଭିତରେ ପୁଲିସ୍ କର୍ମଚାରୀଙ୍କୁ ଭାଲା ଦ୍ୱାରା ଆକ୍ରମଣ କରିଥିଲେ । ଘଟଣା ପରଠାରୁ ଖେମପ୍ରୀତ ସିଂହ ଫେରାର ରହିଥିଲେ । ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ହୋଇଥିଲା । ଏହି ସମୟରେ ଦିଲ୍ଲୀର ବିଭିତ୍ତ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା । ସେବେଠାରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ଦିଲ୍ଲୀ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି । ଏହି ସମୟରେ ଏକାଧିକ ଲୋକ ଗିରଫ ହେବାରେ ଲାଗିଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ମଧ୍ୟ ରହିଛନ୍ତି । ସେ ହିଁ ଚାଷୀଙ୍କୁ ଲାଲକିଲ୍ଲାରେ ପ୍ରବେଶ କରିବାକୁ ଉସକାଇଥିଲେ ବୋଲି ଅଭିଯୋଗ ହୋଇଛି । ଆଜି ଦୁଇ ଜଣଙ୍କ ଗିରଫଦାରୀକୁ ମିଶାଇ ଏଯାଏ ଲାଲକିଲ୍ଲା ହିଂସା ଘଟଣାରେ ମୋଟ ୧୪ ଜଣ ଗିରଫ ହୋଇସାରିଲେଣି । ମହିନ୍ଦ୍ରଜିତ ସିଂହ ଲାଲକିଲ୍ଲା ଭିତରେ ହାତରେ ଭାଲା ଧରି ଛିଡ଼ା ହୋଇଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏହାକୁ ଆଧାର କରି ପୁଲିସ୍ ତାଙ୍କୁ ଗିରଫ କରିଛି । ତାଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ପଞ୍ଜାବରେ ଏକାଧିକ ଥର ରେଡ୍ କରିଥିଲା । ହେଲେ ସେ ଫେରାର ହୋଇଯାଇଥିଲେ । ଏବେ ସେ ନକଲି ଦସ୍ତାବିଜ୍ ଜରିଆରେ ପ୍ରଥମେ ଦିଲ୍ଲୀରୁ ନେପାଳ ଓ ସେଠାରୁ ବ୍ରିଟେନ ଯିବାକୁ ଲକ୍ଷ୍ୟ ରଖିଥିଲେ । ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏବେ ସେ ପୁଲିସ୍ ରିମାଣ୍ଡରେ ଅଛନ୍ତି । ସେହିପରି ଗିରଫ ଖେମପ୍ରୀତ ସିଂହ ଜେରା ବେଳେ କହିଛନ୍ତି ଯେ ସେ ଓ ତାଙ୍କ ସହଯୋଗୀମାନେ ସଞ୍ଜୟ ଗାନ୍ଧି ଟ୍ରାନ୍ସପୋର୍ଟ ନଗର ଠାରେ ଟ୍ରାକ୍ଟର ରାଲିରେ ସାମିଲ ହୋଇଥିଲେ । ଏହାପରେ ବୁରାରି ଓ ଛାତ ରାଇଲରେ ହୋଇଥିବା ବ୍ୟାରିକେଡ୍ ଭାଙ୍ଗି ଲାଲକିଲ୍ଲାରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.