ମନସୁଖ ହିରେନ ମୃତ୍ୟୁ ମାମଲା: ଅଡୁଆରେ ଉଦ୍ଧବ ସରକାର

0 57

ମୁମ୍ୱାଇ, ୧୦ ।୩: ମନସୁଖ ହିରେନ ମୃତ୍ୟୁ ମାମଲାରେ ଏବେ ଅଡୁଆରେ ଶାସକ ଦଳ ଶିବସେନା । ବିରୋଧୀଙ୍କ ଗୋଟିଏ ପରେ ଗୋଟିଏ ଅଭିଯୋଗ ସରକାରକୁ ଅଡୁଆରେ ପକାଇ ଚାଲିଛି । ଏବେ ଅଭିଯୋଗର ସ୍ୱର ଆହୁରି ତୀବ୍ର ହେଉଥିବା ଦେଖି ବିବାଦୀୟ ପୁଲିସ ଅଫିସର ସଚିନ ବାଜେଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର । ଏହି ମାମଲାର ତଦନ୍ତ ଶେଷ ନହେବା ଯାଏ ସିଚନ ବାଜେଙ୍କୁ କ୍ରାଇମବ୍ରାଞ୍ଚରୁ ହଟାଇ ଦିଆଯାଇଛି ବୋଲି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବିଧାନସଭାରେ କହିଛନ୍ତି । ବିରୋଧୀ ଦଳ ନେତା ଫଡ଼ନାଭିସ ହିରେନ ମୃତ୍ୟୁ ମାମଲାରେ ବାଜେଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ବିଧାନସଭାରେ ଫଡ଼ନାଭିସ ହିରେନଙ୍କ ମୃତ୍ୟୁ ମାମଲାରେ ମତ ରଖୁଥିବା ବେଳେ ଅନୀଲ ଦେଶମୁଖ କହିଥିଲେ ଅନଭୟ ନାୟକ ମୃତ୍ୟୁ ବେଳେ ଫଡ଼ନାଭିସ ସରକାର ଚପାଇ ଦେଇଥିଲେ । ଏବେ ଏହାକୁ ନେଇ ଫଡନାଭିସ ପାଲଟା ଆକ୍ରମଣ କରିଥିଲେ ଏବଂ ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିବାକୁ ପ୍ରସ୍ତାବ ରଖିଛନ୍ତି । ଫଡ଼ନାଭିସ କହିଛନ୍ତି ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇସାରିଥିବା ବେଳେ ଏହାକୁ ନେଇ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ତାଙ୍କ ଉପରେ ଭୁଲ୍ ଆରୋପ ଲଗାଉଛନ୍ତି । ଯାହାକି ଗ୍ରହଣୀୟ ନୁହେଁ । ତେଣୁ ଦେଶମୁଖଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିବାକୁ ସେ ଦାବି କରିଛନ୍ତି । ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାହେବା ବେଳେ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଅନଭୟ ନାୟକ ଆତ୍ମହତ୍ୟା ମାମଲାର କୌଣସି ଆଧାର ମିଳିନାହିଁ । ସୁପ୍ରିମକୋର୍ଟ ଏହା ସ୍ପଷ୍ଟ ଭାବରେ କହିଛନ୍ତି । ତେଣୁ ଦେଶମୁଖ ପ୍ରଶ୍ନ ଉଠାଇବାରେ କୌଣସି ଅଧିକାର ନାହିଁ । ଏହାପରେ ବି ଗୃହମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି କୋର୍ଟଙ୍କ ପ୍ରତି ଅପମାନ କରିଛନ୍ତି । ତେଣୁ ସେ ଗୃହରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସ୍ୱାଧୀକାର ଉଲ୍ଲଂଘନ ପାଇଁ ଦାବି କରିଛନ୍ତି । ଏହାବାଦ ଦେବେନ୍ଦ୍ର ଫଡନାଭିସ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନଙ୍କ ବିରୋଧରେ ମଧ୍ୟ ସ୍ୱାଧୀକାର ଉଲ୍ଲଂଘନ ନୋଟିସ୍ ଦାବି କରିଛନ୍ତି । ସେ କହିଛନ୍ତି ଯେ ମରାଠା ସଂରକ୍ଷଣ ପ୍ରସଙ୍ଗରେ ଅଶୋକ ଚୌହ୍ୱାନ ବୁଧବାର ଗୃହରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁପ୍ରିମକୋର୍ଟର ୧୦୨ ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମକୁ ଦର୍ଶାଇ ଆଟର୍ଣ୍ଣି ଜେନେରାଲ ମରାଠା ସଂରକ୍ଷଣ ଉପରେ କୌଣସି ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି । ଏହାପରେ ଫଡନାଭିସ୍ କହିଛନ୍ତି ଯେ ସୁପ୍ରିମକୋର୍ଟରେ ଆଟର୍ଣ୍ଣି ଜେନେରାଲ୍ ଯାହା କହି ନାହାନ୍ତି, ଅଶୋକ ତାହା ତାଙ୍କ ବିବୃତ୍ତିରେ ବିଧାନସଭାରେ ଉଲ୍ଲେଖ କରିଛନ୍ତି । ଅଶୋକ ଚୌହ୍ୱାନ ଏଭଳି କରି ମରାଠା ସମାଜକୁ ଦ୍ୱନ୍ଦ୍ୱରେ ପକାଇଛନ୍ତି ଏବଂ ନିଜର ଅଜ୍ଞତା ଦେଖାଇଛନ୍ତି । ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କ ଏଭଳି ଗୋଟିଏ ପରେ ଗୋଟିଏ ଆକ୍ରମଣ ବିଧାନସଭା ଏବଂ ବିଧାନସଭା ବାହାରେ ରାଜ୍ୟ ସରକାରଙ୍କୁ ଘାଇଲା କରିଛି । ସୂଚନାଯୋଗ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଦେବେନ୍ଦ୍ର ଫଡନାଭିସ୍ ଟିକଟକ ସୁନ୍ଦରୀ ପୂଜା ଚୌହ୍ୱାନଙ୍କ ମୃତ୍ୟୁ ମାମଲାରେ ମନ୍ତ୍ରୀ ସଞ୍ଜୟ ରାଠୋଡଙ୍କୁ ଘେରିଥିଲେ । ଆଉ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ମନସୁଖ ହିରେନ ମୃତ୍ୟୁ ମାମଲାରେ ପୂର୍ବତନ ଶିବସେନା ନେତା ତଥା ମୁଖପାତ୍ର ଥିବା ଆଇପିଏସ ସଚିନ୍ ବାଜେଙ୍କୁ ବଦଳି କରିବାକୁ ସରକାର ବାଧ୍ୟ ହୋଇଛନ୍ତି । ଫଡନାଭିସଙ୍କର ଗୋଟିଏ ପରେ ଗୋଟିଏ ଆକ୍ରାମଣାତ୍ମକ ବୋଲିଂ ଆଗରେ ଉଦ୍ଧବ ସରକାର ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.