ନିର୍ବାଚନ ପୂର୍ବରୁ ପିସି ଚାକୋଙ୍କ ଇସ୍ତଫା

0 75

ନୂଆଦିଲ୍ଲୀ, ୧୦ ।୩: କଂଗ୍ରେସକୁ ବହୁତ ବଡ଼ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ପିସି ଚାକୋ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏଥିସହ ନିଜର ଇସ୍ତଫାପତ୍ରକୁ ସେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଆସନ୍ତାମାସରେ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପିସି ଚାକୋଙ୍କ ଏଭଳି ପଦକ୍ଷେପ କଂଗ୍ରେସକୁ ଝଟକା ସଦୃଶ ହୋଇଛି । ସେ ଆଜି ନିଜର ଇସ୍ତଫା ସମ୍ପର୍କରେ କହିଛନ୍ତି ମୁଁ କଂଗ୍ରେସକୁ ବାଏବାଏ କହିଦେଇଛି ଓ ମୋ ଇସ୍ତଫାପତ୍ରକୁ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛି । ମୁଁ ଦଳ ପାଇଁ ଅନେକ କଠିନ ପରିଶ୍ରମ କରିଛି । କିନ୍ତୁ ଏବେ କେରଳ କଂଗ୍ରେସ ଟିମ୍ ସହ କାର୍ଯ୍ୟ କରିବା ଅସମ୍ଭବ । କଂଗ୍ରେସ ନେଇଥିବା ପ୍ରତିଟି ନିଷ୍ପତ୍ତିକୁ ମୁଁ ପାଳନ କରିଥିଲି । କିନ୍ତୁ ଏବେ ମୋ ପକ୍ଷରେ ନିଷ୍ପତ୍ତି ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି । ଆପଣ କେବେ ହେଲେ ଜଣଙ୍କୁ ନେଇ ଦଳ ଚଳାଇ ପାରିବେ ନାହିଁ । କଂଗ୍ରେସ କେରଳରେ ଗୋଟିଏ ଦଳ ଭାବେ ନୁହେଁ ବରଂ ଦୁଇଟି ଗ୍ରୁପ୍ ମଧ୍ୟରେ ଥିବା କୋର୍ଡିନେସନ କମିଟି ଭାବେ କାର୍ଯ୍ୟ କରୁଛି । କେରଳରେ କଂଗ୍ରେସକୁ ଏ ଓ ଆଇ ଗ୍ରୁପ୍ର ନେତା ଚଳାଉଛନ୍ତି । କେରଳରେ କିଏ ପ୍ରାର୍ଥୀ ହେବ, ତା’ର ଆଲୋଚନା ନିର୍ବାଚନ କମିଟିରେ ଆଲୋଚନା ହେଉନାହିଁ । ନିଜ ଇଚ୍ଛାରେ ଏ ଓ ଆଇ ଗ୍ରୁପ୍ର ସଦସ୍ୟମାନେ ନେତାଙ୍କୁ ଟିକେଟ ଦେଉଛନ୍ତି । ସବୁ କିଛି ଗ୍ରୁପ୍ରେ ହେଉଥିବା ବେଳେ ହାଇକମାଣ୍ଡ କେବଳ ନିରବତା ଅବଲମ୍ବନ କରୁଛନ୍ତି । ଏପରି ସ୍ଥିତିରେ ଦଳରେ ରହିବା ଅସମ୍ଭବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.