ସମୟ ପୂର୍ବରୁ ପଦକ୍ଷେପ ନିଆଯାଉ…

0 62

କଥାରେ ଅଛି ବେଳ ଥାଉ ଥାଉ ବନ୍ଧ ବାନ୍ଧରେ କୁମର… । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଶାସନର ମାତ୍ର ୧ ବର୍ଷ ବାକିଥିବା ବେଳେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । କୁହାଯାଉଛି ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ସ୍ଥିତି ପରଖି ଜାଣିବାକୁ ପାଇଛନ୍ତି ତାଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନ ବୈତରଣୀ ପାର୍ କରିବା ମୁସ୍କିଲ୍ ହୋଇପଡ଼ିବ । ତେବେ ଏହା ଉପରେ ପ୍ରକୃତ ସତ୍ୟାସତ୍ୟ କ’ଣ ତାହା ତ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ତଥାପି ମାତ୍ର ୧ ବର୍ଷ ପୂର୍ବରୁ ତାଙ୍କର ଅଚାନକ ଇସ୍ତଫାକୁ ନେଇ ଏଭଳି ପ୍ରଶ୍ନ ଉଠିବା ତ ସ୍ୱାଭାବିକ । ଯଦି ତାଙ୍କ ଶାସନ ପଦ୍ଧତି ଠିକ୍ ନଥିଲା ତେବେ ତାଙ୍କୁ ଗତ ୪ ବର୍ଷ ଧରି କାହିଁକି ପଦରେ ରଖାଯାଇଥିଲା? କ’ଣ ମାତ୍ର ଆଉ ୧ ବର୍ଷ ମଧ୍ୟରେ ଅସଜଡ଼ା ସମସ୍ତ କାମକୁ ସୁଧାରି ଦିଆଯିବ? ଯଦି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଚାହିଁଥାନ୍ତେ ତେବେ କେତେ ସମୟ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରି ତ୍ରିବେନ୍ଦ୍ର ସିଂଙ୍କୁ ଶାସନ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଚେତାଇ ଦେଇପାରିଥାନ୍ତେ । ବିଜେପି ଏକ ରାଷ୍ଟ୍ରୀୟ ଦଳ ହୋଇଥିବାରୁ ପ୍ରତ୍ୟେକ ବିଜେପି ଶାସିତ ରାଜ୍ୟରେ ଟିକ୍ନିକ୍ ଖବର ରଖିବା କେନ୍ଦ୍ରୀୟ ନେତୃବୃନ୍ଦଙ୍କର ଦାୟିତ୍ୱ ଅଟେ । ଏଠାରେ ସୂଚନାଯୋଗ୍ୟ ଯେ ଯେବେଠୁ ଉତ୍ତରାଖଣ୍ଡ ନୂଆ ରାଜ୍ୟ ଭାବେ ଉଭା ହୋଇଛି କେବଳ ନାରାୟଣ ଦତ୍ତ ତିୱାରୀଙ୍କ ଛଡ଼ା ଅନ୍ୟ କୌଣସି ବି ମୁଖ୍ୟମନ୍ତ୍ରୀ (ସେ କଂଗ୍ରେସରୁ ହୁଅନ୍ତୁ ବା ବିଜେପିରୁ) ନିଜର କାର୍ଯ୍ୟକାଳ ୫ ବର୍ଷ ପୂରଣ କରିପାରିନାହାନ୍ତି । ସାଧାରଣତଃ ଉତ୍ତରାଖଣ୍ଡ ଭଳି ଏକ ଛୋଟ ରାଜ୍ୟରେ ଏଭଳି ହେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଓ ଆଶ୍ଚର୍ଯ୍ୟାନ୍ୱିତ । ଯେତେବେଳେ ବି ଏଭଳି ପରିସ୍ଥିତି ଉପୁଜିଥାଏ ସେତେବେଳେ କ୍ଷତି ଯଦି କାହାରି ଅଧିକା ହୋଇଥାଏ ତାହା ହେଉଛି ରାଜ୍ୟବାସୀଙ୍କର । ତ୍ରିଭେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ରାଜ୍ୟର କମାଣ ଭାର ଯିଏ ବି ନେଉନା କାହିଁକି କିନ୍ତୁ ବିଜେପି ଏହିଠାରୁ ଶିକ୍ଷା କରିବା ଉଚିତ୍ । ରାଷ୍ଟ୍ରୀୟ ନେତୃବୃନ୍ଦ ଜାଣିରଖିବା ଉଚିତ୍ କି ଉତ୍ତରାଖଣ୍ଡରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଅନ୍ୟ କୌଣସି ରାଜ୍ୟରେ ଯେଭଳି ନଉପୁଜୁ । ସମୟ ପୂର୍ବରୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସ୍ଥିତିକୁ ନିୟନ୍ତ୍ରଣ କରିବା ଯଥେଷ୍ଟ ଜରୁରୀ । ଅନ୍ୟଥା କେବଳ ଯେ ଏହାଯୋଗୁଁ ଦଳ କ୍ଷତିଗ୍ରସ୍ତ ହେବ ତାହା ନୁହେଁ ବରଂ ରାଜନୈତିକ ଅସ୍ଥିରତା ଯୋଗୁଁ ରାଜ୍ୟର ବିଭିନ୍ନ କ୍ଷେତ୍ର ଯଥା ସାମାଜିକ, ରାଜନୈତିକ, ଅର୍ଥନୈତିକ ଆଦି କ୍ଷେତ୍ରରେ ଗୁରୁତର ପ୍ରଭାବ ପଡ଼ିବ । ଗୋଟିଏପଟେ ତ ଦରଦାମ୍ ବୃଦ୍ଧି ଯୋଗୁଁ ସାରା ଦେଶରେ ଅସନ୍ତୋଷର ବହ୍ନି ଜଳୁଛି । ଅନ୍ୟପଟେ ଯଦି ଏଭଳି ସ୍ଥିତି ଦେଖାଦିଏ ତେବେ ଆଗକୁ ରାଜ୍ୟରେ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.