ଭିକାରୀଙ୍କ କବ୍ଜାରେ ରାଜଧାନୀ

0 63

ରାଜ୍ୟକୁ ଭିକାରୀମୁକ୍ତ କରିବା ପାଇଁ ସରକାର ସହାୟ ଯୋଜନା ପ୍ରଣୟନ କରିଛନ୍ତି । ବିଶେଷଭାବେ ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏହି ଯୋଜନାକୁ ପ୍ରଣୟନ କରିବା ସହିତ ସହରକୁ ଭିକାରୀମୁକ୍ତ କରିବା ପାଇଁ ତତ୍ପରତା ଦେଖାଇଛି । ଏହାର ସୁଯୋଗ ନେଇ ଏବେ ସହରର ପ୍ରମୁଖ ଛକ ଗୁଡ଼ିକରେ ମାଳ ମାଳ ଭିକାରୀ ଦେଖିବାକୁ ମିଳୁଛି । ଏହି ଭିକାରୀମାନଙ୍କ ସହିତ ବୁଲା ଭିକାରୀ ଓ କିନ୍ନରମାନଙ୍କ ଉପସ୍ଥିତି ଏବେ ସହରର ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କଲାଣି । ରାଜଧାନୀରେ ଆଉ ଭିକାରୀ ରହିବେ ନାହିଁ । ସେମାନଙ୍କୁ ଥଇଥାନ କରାଯିବା ସହିତ ଆତ୍ମନିର୍ଭର କରିବା ପାଇଁ ବିଏମ୍ସି ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ଏହି ଘୋଷଣା ପରେ ସହରରେ ଭିକାରୀମୁକ୍ତ ହେବେ କ’ଣ ଏବେ ଭିକାରୀବହୁଳ ହେବାରେ ଲାଗିଛି । ସହରର ତଳି ଅଞ୍ଚଳରେ ଖୋଦ୍ ରାଜଧାନୀର ଛାତି ଉପରେ ଥିବା ଲୋକସେବା ଭବନ, କଡ଼ରେ ଥିବା ଏଜି ଛକ, ପାୱାର ହାଉସ୍ ଛକ ଆଦି ପ୍ରମୁଖ ସ୍ଥାନରେ ଶହ ଶହ ସଂଖ୍ୟାରେ ଭିକାରୀ ଦେଖିବାକୁ ମିଳିଛି । କିଏ କଅଁଳ ପିଲାଙ୍କୁ କାଖରେ ଜାକି ଧୂ ଧୂ ଖରାରେ ଭିକ ମାଗୁଛି ତ ଆଉ କିଏ ଆଶାବାଡ଼ି କାଖରେ ଜାକି ହାତ ପତାଉଛନ୍ତି । ଆଉ କେତେକ ବଡ଼ ବଡ଼ ପେନ୍ ଆଦି ହାତରେ ଧରି ଲୋକଙ୍କୁ କିଣିବା ପାଇଁ ବାଧ୍ୟ କରୁଥିବା ଦେଖାଯାଉଛି । କରୋନା ସମୟରେ ଗାଇଡ୍ଲାଇନ୍ ମାନିବା ପାଇଁ ସରକାର ସଚେତନ କରୁଥିବା ବେଳେ ଏହି ଭିକାରୀମାନେ ଲୋକଙ୍କୁ ଛୁଇଁ ଭିକ ମାଗୁଛନ୍ତି । ଯଦ୍ୱାରା କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଅଧିକ ଦେଖାଦେଇଛି । ଏହି ଭିକାରୀମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଅଣଓଡ଼ିଆ । ଏମାନେ ପରସ୍ପର ମଧ୍ୟରେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଲୋକେ ପଚାରୁଥିବା କୌଣସି ପ୍ରଶ୍ନର ସେମାନେ ଉତ୍ତର ଦେଇପାରୁ ନାହାନ୍ତି । ଏହି ଭିକାରୀଙ୍କ ପାଇଁ ଅନେକ ସମୟରେ ଟ୍ରାଫିକ୍ ବ୍ୟବସ୍ଥା ବିଗୁଡ଼ି ଯାଇଛି । ଟ୍ରାଫିକ୍ ସିଗ୍ନାଲ୍ ଦେଉଥିଲେ ମଧ୍ୟ ଏମାନେ ଲୋକଙ୍କୁ ରାସ୍ତା ଛାଡ଼ୁନାହାନ୍ତି । ଟ୍ରାଫିକ୍ ଛକଠାରେ ଉପସ୍ଥିତ ଥିବା ଟ୍ରାଫିକ୍ ପୋଲିସ ସବୁ ଦେଖି ମଧ୍ୟ ନୀରବଦ୍ରଷ୍ଟା ସାଜିଥାଏ । ଯଦ୍ୱାରା ଦୁର୍ଘଟଣା ମଧ୍ୟ ବଢ଼େ । ଖାଲି ଏହି ଭିକାରୀ ନୁହଁନ୍ତି ସହରର ପ୍ରମୁଖ ଛକଗୁଡ଼ିକ ଏବେ ରାଜ୍ୟ ବାହାରର ବୁଲା ଭିକାରୀଙ୍କ କବ୍ଜାରେ ଥିବା ଦେଖାଯାଇଛି । ମାଳ ମାଳ ଯୁବକ ଯୁବତୀମାନେ ଡଟ୍ପେନ୍ ଠାରୁ ଆରମ୍ଭ କରି ଘରକରଣା ଏବଂ ଖେଳନା ଆଦି ବିକ୍ରି କରୁଛନ୍ତି । ଏମାନଙ୍କ ଯୋଗୁଁ ଅଧିକାଂଶ ସମୟରେ ଟ୍ରାଫିକ୍ ସିଗ୍ନାଲ୍ ପାଇଲେ ମଧ୍ୟ ଗାଡ଼ି ମୋଟର ଆଗକୁ ବଢ଼ିପାରୁ ନାହିଁ । ଖାଲି ଏମାନେ ନୁହଁନ୍ତି କିନ୍ନରମାନଙ୍କ ପ୍ରାଦୁର୍ଭାବ ମଧ୍ୟ କମ୍ ନୁହେଁ । ସେମାନେ ଟ୍ରାଫିକ୍ ଆଗରେ ଆସି ସବୁ ଲୋକଙ୍କୁ ଟଙ୍କା ମାଗୁଥିବା ଦେଖିବାକୁ ମିଳୁଛି । ଆଶିର୍ବାଦ ଦେବା ପାଇଁ ଏମାନେ ଏକପ୍ରକାର ବାଧ୍ୟ କରୁଛନ୍ତି । ଏପରି ଭିକ୍ଷାବୃତ୍ତି ସର୍ବସମ୍ମୁଖରେ ବିଶେଷକରି ଲୋକସେବା ଭବନ ଓ ପୋଲିସ ସେବା ଭବନ ସମ୍ମୁଖରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଚାଲିଥିବା ବେଳେ ଏହାକୁ କେହି ରୋକୁନାହାନ୍ତି । ଏହି ଭିକ୍ଷା ବୃତ୍ତିରେ ଲିପ୍ତ ହେଉଥିବା ମହିଳା ଏବଂ କୁନି କୁନି ପିଲା କେଉଁଠୁ ଆସିଛନ୍ତି ଏବଂ କେଉଁଠି ରହିଛନ୍ତି ତାହା ମଧ୍ୟ କାହାକୁ ଜଣାନାହିଁ । ତେଣୁ ଏଇମାନେ ଯେ ଦିନେ ସହରବାସୀଙ୍କ ପାଇଁ କାଳ ପାଲଟିବେ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.