ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତିରଥ ସିଂହ ରାୱତ

0 76

ଡେରାଡୁନ, ୧୦ ।୩: ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉତ୍ତରାଖଣ୍ଡର ଘରୱାଲର ବିଜେପି ସାଂସଦ ତିରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ବିଧାୟକ ଦଳର ବୈଠକରେ ତିରଥଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ତାଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ୫୬ ବର୍ଷୀୟ ତିରଥ ସିଂହ ରାୱତଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା ହେବା ପରେ ସେ ବିଦାୟୀ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ତାଙ୍କ ବଡ଼ ଭାଇ ବୋଲି ସମ୍ବୋଧନ କରିଥିଲେ । ସେ କହିଥିଲେ ତ୍ରିବେନ୍ଦ୍ର ସିଂହ ରାୱତଙ୍କ କାମକୁ ସେ ଆଗକୁ ନେବେ । ୪ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ବିକାଶ କାମ ହୋଇଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି । ଏଥିସହ ଚାରିଧାମକୁ ସଂଯୋଗ ହେଉଥିବା ରାସ୍ତା କାମ ମଧ୍ୟ ଶେଷ କରିବେ ବୋଲି କହିଛନ୍ତି । ରାଜ୍ୟର ବିକାଶ ପାଇଁ କୃଷି ଓ ପର୍ଯ୍ୟଟନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ପାର୍ଟି ନେତୃତ୍ୱ ତାଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି । ଏଥିପାଇଁ ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ସର୍ବଦା ପ୍ରୟାସ କରିବେ ବୋଲି କହିଛନ୍ତି । ଘରୱାଲର କଲଗିକଲ ବିକାଶ ବ୍ଲକର ସିରୋନରେ ଜନ୍ମଗ୍ରହଣ କରିଥିବା ତିରଥ ସିଂହ ରାୱତ ଛାତ୍ର ସମୟରୁ ଆରଏସଏସ ସହ ଯୋଡ଼ି ହୋଇଥିଲେ । ଆରଏସଏସ ପୃଷ୍ଠଭୂମିରେ ରାୱତ ସକ୍ରିୟ ହେବା ପରେ ବିଜେପିରେ ସକ୍ରିୟ ହୋଇଥିଲେ । ୧୯୯୭ରେ ସେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ହୋଇଥିଲେ । ପରେ ସେ ମନ୍ତ୍ରୀ ହୋଇଥିଲେ । ୨୦୧୨ରେ ଚୌବଟଖାଲ ବିଧାନସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ । ୨୦୧୩ରୁ ୩୧ ଡିସେମ୍ୱର ୨୦୧୫ ପର୍ଯ୍ୟନ୍ତ ୟୁପି ବିଜେପିର ରାଜ୍ୟ ସଭାପତି ଥିଲେ । ହେଲେ ୨୦୧୭ରେ ତିରଥ ସିଂ ରାୱତଙ୍କ ବିଧାନସଭା ଟିକେଟ୍ କଟାଯାଇଥିଲା । ସେତେବେଳେ ସେ ଚୌବାଟଖାଲରୁ ବିଧାୟକ ସହିତ ରାଜ୍ୟ ବିଜେପି ସଭାପତି ଥିଲେ । ରାୱତଙ୍କ ଟିକେଟ୍ କାଟି କଂଗ୍ରେସ ନେତା ସତ୍ୟପାଲ ମହାରାଜଙ୍କୁ ବିଜେପି ଟିକେଟ୍ ଦେଇଥିଲା । ସେତେବେଳେ ଆଶା କରାଯାଉଥିଲା ତିରଥ ସିଂ ବିଦ୍ରୋହ କରିବେ । କିନ୍ତୁ ସେ ଦଳର ନିଷ୍ପତ୍ତିକୁ ଗ୍ରହଣ କରି ପାର୍ଟି ପାଇଁ କାମ କରିଥିଲେ । ଏହାପରେ ତିରଥ ସିଂହ ରାୱତଙ୍କୁ ରାଷ୍ଟ୍ରୀୟ ସଚିବ କରାଯାଇଥିଲା । ଏହି ସମୟରେ ୨୦୧୯ରେ ତିରଥ ସିଂହ ରାୱତ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାଂସଦ ହୋଇଥିଲେ ।

Leave A Reply

Your email address will not be published.