ପୂଜାର୍ଚ୍ଚନା ପରେ ମମତାଙ୍କ ନାମାଙ୍କନ ଦାଖଲ

0 66

କୋଲକାତା, ୧୦ ।୩:ବିଶାଳ ପଦଯାତ୍ରା କରି ଆଜି ନନ୍ଦିଗ୍ରାମ ଆସନରେ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଟିଏମସି ସଭାପତି ସୁବ୍ରତ ବକ୍ସିଙ୍କ ସହ ହଳଦିଆ ସବ୍ ଡିଭିଜନାଲ ଅଫିସକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସେ ୨ କିମି ବାଟ ପଦଯାତ୍ରା କରିଥିଲେ । ଏହି ସମୟରେ “ଖେଲା ହୋବେ’ ନାରା ଦେଇଥିଲେ । ସେହିପରି ମମତା ନନ୍ଦିଗ୍ରାମରେ ଥିବା ଶିବ ମନ୍ଦିର ଯାଇ ନାମାଙ୍କନ ଦାଖଲ ପୂର୍ବରୁ ଜଳାଭିଷେକ କରିଛନ୍ତି । ଏଥିସହ ସେଠାରେ ଉପସ୍ଥିତି ପୂଜକଙ୍କ ସହ କଥା ହେବା ପରେ ସ୍ଥାନୀୟ ଲୋକଙ୍କୁ ପ୍ରସାଦ ବାଣ୍ଟିଛନ୍ତି । ଆଜି ସକାଳୁ ମମତା ନନ୍ଦିଗ୍ରାମର ରେୟା ପଡ଼ାରେ ଥିବା ମହାରୁଦ୍ର ସିଦ୍ଧାର୍ଥ ମନ୍ଦିରକୁ ଯାଇଥିଲେ । ସେଠାରେ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ପୂଜାର୍ଚ୍ଚନା କରିଥିଲେ । ସେଠାରୁ ସିଧା ପଦଯାତ୍ରା କରି ଡିଏମ ଅଫିସ ଅଭିମୁଖେ ନାମାଙ୍କନ ଭରିବାକୁ ଯାଇଥିଲେ । ନନ୍ଦିଗ୍ରାମରେ ଏଥର ହାଇଭୋଲଟେଜଜ ଲଢ଼େଇ ଦେଖିବାକୁ ମିଳିବ । କାରଣ ଗୋଟିଏପଟେ ମମତା ବାନାର୍ଜୀ ରହିଥିବା ବେଳେ ଅନ୍ୟପଟେ ତାଙ୍କ ପୁରୁଣା ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରହିଛନ୍ତି । ଶୁଭେନ୍ଦୁ କ୍ରମାଗତ ଟିଏମସି ଟିକେଟରେ ନନ୍ଦିଗ୍ରାମରୁ ଜିତି ଆସୁଥିଲେ । ତେବେ ଗତବର୍ଷ ଡିସେମ୍ବର ମାସରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ମଧ୍ୟ ତାଙ୍କୁ ନନ୍ଦିଗ୍ରାମରୁ ଲଢ଼ିବାକୁ ପ୍ରାର୍ଥୀ କରିଛି । ସମ୍ଭବତଃ ଆସନ୍ତାକାଲି ସେ ଏଠାରେ ନାମାଙ୍କନ ଦାଖଲ କରିବେ । ନନ୍ଦିଗ୍ରାମରେ ଆସନ୍ତା ଏପ୍ରିଲ ୧ରେ ଭୋଟ ହେବ । ଅନ୍ୟପକ୍ଷରେ ମମତା ନନ୍ଦିଗ୍ରାମରେ ପୂଜା କରିବା ଓ ମଙ୍ଗଳବାର ଚଣ୍ଡିପାଠ କରିବା ଘଟଣାକୁ ନେଇ ବିଜେପି ତାଙ୍କୁ ସୁବିଧାବାଦୀ ରାଜନୀତି କରୁଥିବା କହିଛି । ଶୁଭେନ୍ଦୁ ଅଧିକାରୀ ଆଜି ଗୋଟିଏ ସଭାରେ କହିଛନ୍ତି, ମମତା କେବେ ହେଲେ ନନ୍ଦିଗ୍ରାମ ଆସନ୍ତି ନାହିଁ । ଏପରି କି ବାତ୍ୟା ଅମ୍ପାନ ପରେ ବି ସେ ଏଠାକୁ ଆସି ନଥିଲେ । ସେ କେବଳ ନିଜ ପୁତୁରାଙ୍କ ନିର୍ବାଚନ ମଣ୍ଡଳୀ ଡାଇମଣ୍ଡ ହାର୍ବର ଯାଆନ୍ତି । ସେ ୫ ବର୍ଷ ପରେ ନନ୍ଦିଗ୍ରାମ ଆସିଛନ୍ତି । ସେ ଜଣେ ସୁବିଧାବାଦୀ । ବର୍ତ୍ତମାନ ମମତା କାହିଁକି ନିଜର ହିନ୍ଦୁ ସର୍ନେମ ବା ସାଂଘିଆ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି? ଗତକାଲି ସେ ଯେଉଁଭଳି ଚଣ୍ଡିପାଠ କରୁଥିଲେ, ମୁଁ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି । ସେ ଭୁଲ ମନ୍ତ୍ର ଉଚ୍ଚାରଣ କରୁଥିବାରୁ ମୁଁ କେବଳ ଭଗବାନଙ୍କୁ ଡାକୁଥିଲି । ଦିଦି ଏବେ ଭୟଭୀତ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି । ଏଥିସହ ସେ ମମତା ଚଣ୍ଡିପାଠ କରୁଥିବା ବେଳର ଅଡିଓକୁ ମାଇକ ଲଗାଇ ସଭାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ଶୁଣାଇଥିଲେ । ଏହା ଭୁଲ ବୋଲି ସେ ପୁଣି ଦୋହରାଇଥିଲେ ।

Leave A Reply

Your email address will not be published.